Rozgar Mela: ଆଜି ୨୦ତମ ରୋଜଗାର ମେଳା, ପ୍ରଧାନମନ୍ତ୍ରୀ ବାଣ୍ଟିବେ ୫୧ ହଜାର ନିଯୁକ୍ତିପତ୍ର, ୪୫ଟି ସ୍ଥାନରେ ଅନୁଷ୍ଠିତ ହେବ

ଭୁବନେଶ୍ୱର,୧୯/୦୯: ଆଜି ୨୦ତମ ରୋଜଗାର ମେଳା ଅନୁଷ୍ଠିତ ହେବ । ସରକାରୀ ନିଯୁକ୍ତି ପାଇଥିବା ୫୧ ହଜାରରୁ ଅଧିକ ଯୁବକଯୁବତୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଯୁକ୍ତିପତ୍ର ବାଣ୍ଟିବେ । ଦେଶବ୍ୟାପୀ ଏହି ରୋଜଗାର ମେଳା ୪୫ଟି ସ୍ଥାନରେ ଅନୁଷ୍ଠିତ ହେବ । ଏହି ଅବସରରେ ଓଡ଼ିଶାର ଦୁଇଟି ସ୍ଥାନରେ ଏହି କାର୍ଯ୍ୟକ୍ରମ କରାଯିବ ।
କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସର ସ୍ଥିତ ରେଭେନ୍ସା କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ଏହି ରୋଜଗାର ମେଳାରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍ ଯୋଗଦେବେ । ସେହିପରି ଭୁବନେଶ୍ୱର ଚନ୍ଦ୍ରଶେଖରପୁର ସ୍ଥିତ ରେଳ ଅଡିଟୋରିୟମ୍ରେ ଆୟୋଜିତ କାର୍ଯ୍ୟକ୍ରମରେ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ କମଳେଶ ପାଶୱାନ୍ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ଭୁବନେଶ୍ୱର କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ସରକାରୀ ବିଭାଗରୁ ୧୬୧ ଜଣ ନବନିଯୁକ୍ତ ପ୍ରାର୍ଥୀ ସାମିଲ ହେବେ । ରେଳବାଇ ବିଭାଗରେ ୩୭ ଜଣ, ସ୍ୱାସ୍ଥ୍ୟ ମନ୍ତ୍ରଣାଳୟରେ ୪୧, ଡାକ ବିଭାଗରେ ୩୦, ଭୁବନେଶ୍ୱର ସିଜିଏସ୍ଟିରେ ୨୨, ଆୟକରରେ ୧୦, ଇଏସ୍ଆଇସି ଓଡ଼ିଶାରେ ୮ଜଣ, ଜଳଶକ୍ତି ମନ୍ତ୍ରଣାଳୟ/ କେନ୍ଦ୍ରୀୟ ଭୂଜଳ ବୋର୍ଡରେ ୪ଜଣ, ଆର୍ଥିକ ସେବା ବିଭାଗରେ ୩ଜଣ, ସିଆଇଏସ୍ଏଫ୍ରେ ୨ଜଣ, ଶିକ୍ଷା ମନ୍ତ୍ରଣାଳୟରେ ୨ଜଣ, ପ୍ରତିରକ୍ଷା ଲେଖା ବିଭାଗରେ ଜଣେ ଓ ପରିସଂଖ୍ୟାନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟରେ ଜଣେ ନବନିଯୁକ୍ତ ଯୋଗଦେବେ । ଏହାପରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ରଖିବେ । ସ୍ଥାନୀୟ କାର୍ଯ୍ୟକ୍ରମରେ ଉପସ୍ଥିତ ମୁଖ୍ୟ ଅତିଥିମାନେ ନବ ନିଯୁକ୍ତମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବେ।
ସୌଜନ୍ୟ ପ୍ରମେୟ




