Odisha Drought Hotspot: ୫୨ ବର୍ଷର ଅଧ୍ୟୟନରୁ ବଡ଼ ଖୁଲାସା, ଓଡ଼ିଶାରେ ବଢ଼ୁଛି ଭୟଙ୍କର ସଙ୍କଟ, ବ୍ୟାକ୍ ଟୁ ବ୍ୟାକ୍ ଆସୁଛି ମରୁଡ଼ି ଓ ବାତ୍ୟା

ଭୁବନେଶ୍ୱର, ୨୧/୦୯: ଜଳବାୟୁ ପରିବର୍ତ୍ତନର ଭୟଙ୍କର ପ୍ରଭାବ ଓଡ଼ିଶାରେ ଦେଖାଦେଇଛି । ପୂର୍ବ ଉପକୂଳରେ ଗ୍ରୀଷ୍ମ ଜନିତ ଚାପ ବଢ଼ିବା କାରଣରୁ ରାଜ୍ୟରେ ମରୁଡ଼ିର ତୀବ୍ରତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଫଳରେ ଏହା ଏବେ ‘ମରୁଡ଼ି ହଟ୍ସ୍ପଟ୍’ ପାଲଟିଛି । ଅର୍ଥାତ ମରୁଡ଼ିପ୍ରବଣ ରାଜ୍ୟ ବିବେଚିତ ହୋଇଛି ଓଡ଼ିଶା । ‘ଇଣ୍ଟରନ୍ୟାସନାଲ ଜର୍ନାଲ ଅଫ୍ କ୍ଲାଇମେଟୋଲୋଜି’ର ସଦ୍ୟ ଅଧ୍ୟୟନରୁ ଏହା ଜାଣିବାକୁ ମିଳିଛି ।
ରିପୋର୍ଟରୁ ଜଣାପଡ଼ିଛି ଯେ ସମଗ୍ର ଦେଶରେ ଅତ୍ୟଧିକ ମରୁଡ଼ି ପରିସ୍ଥିତି ଲାଗିରହିଛି । ଜଳବାୟୁ ପରିବର୍ତ୍ତନ ପ୍ରଭାବରେ ଏହାର ତୀବ୍ରତା ବୃଦ୍ଧି ପାଉଛି । ବିଶେଷକରି ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଭଳି ପୂର୍ବ ଉପକୂଳବର୍ତ୍ତୀ ରାଜ୍ୟ ମରୁଡ଼ି କବଳରେ ଅଧିକ ପଡ଼ୁଛନ୍ତି । ଦୀର୍ଘ ୫୨ ବର୍ଷ ଧରି ପାଣିପାଗ ବିଜ୍ଞାନୀମାନେ ଜଳବାୟୁ ପ୍ରଭାବକୁ ଅଧ୍ୟୟନ କରି ଏଭଳି ନିର୍ଯାସରେ ପହଞ୍ଚିଛନ୍ତି । ଭାରତୀୟ ପାଣିପାଗ ବିଭାଗ, ନ୍ୟାସନାଲ ସେଣ୍ଟର ଫର୍ ମିଡିୟମ ରେଞ୍ଜ ୱେଦର ଫୋର୍କାଷ୍ଟିଂ ଏବଂ ଆଟ୍ରିଆ ୟୁନିଭର୍ସିଟି ବେଙ୍ଗାଲୁରୁର ବୈଜ୍ଞାନିକଙ୍କ ଦ୍ୱାରା ୧୯୭୧ରୁ ୨୦୨୨ ପର୍ଯ୍ୟନ୍ତ ଏହି ବିଶ୍ଳେଷଣ କରାଯାଇଥିଲା ।
ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା, ମରୁଡ଼ି ପରିସ୍ଥିତି, ପ୍ରବଳ ବର୍ଷା, ଗ୍ରୀଷ୍ମ ପ୍ରବାହ ଏବଂ ଗ୍ରୀଷ୍ମଜନିତ ଚାପ ଭଳି ୭ଟି ସୂଚକାଙ୍କକୁ ଏକତ୍ର କରି ଗବେଷକମାନେ ଏକ ନୂଆ ‘ଇଣ୍ଡିଆ କ୍ଲାଇମେଟ୍ ଏକ୍ସଟ୍ରିମ୍ସ ଇଣ୍ଡେକ୍ସ’ ପ୍ରସ୍ତୁତ କରିଛନ୍ତି । ସୂଚକାଙ୍କରୁ ଜଣାପଡ଼ିଛି ଯେ ଉଚ୍ଚ ତାପମାତ୍ରା, ଦୀର୍ଘାବଧି ଶୁଷ୍କ ପାଣିପାଗ ଏବଂ ବିଗୁଡ଼ୁଥିବା ମରୁଡ଼ି ପରିସ୍ଥିତି ଯୋଗୁ ଦେଶବ୍ୟାପୀ ଜଳବାୟୁର ଭୟାନକ ରୂପ ଘାତକ ହେବାରେ ଲାଗିଛି ।
ଏହି ଅଧ୍ୟୟନର ଭୌଗୋଳିକ ବିଶ୍ଳେଷଣରୁ ମଧ୍ୟ ଆହୁରି ଅନେକ ନକାରାତ୍ମକ ଚିତ୍ର ସାମ୍ନାକୁ ଆସିଛି । ଏହା ଅନୁସାରେ, ୧୯୮୧-୧୯୯୧ ତୁଳନାରେ ୨୦୧୧ରୁ ୨୦୨୧ ମଧ୍ୟରେ ପୂର୍ବ ଭାରତରେ ମରୁଡ଼ି ଜନିତ ଅତି ଖରାପ ସ୍ଥିତି ତୀବ୍ର ଗତିରେ ବୃଦ୍ଧି ପାଇଛି । ଦକ୍ଷିଣ, ମଧ୍ୟ ଏବଂ ଉତ୍ତର-ପୂର୍ବ ଭାରତର ଏକ ବଡ଼ ଅଂଶରେ ବାରମ୍ୱାର ମରୁଡ଼ି ପରିସ୍ଥିତି ଅନୁଭୂତ ହୋଇଛି । କିନ୍ତୁ ପୂର୍ବ ଉପକୂଳରେ ସବୁଠାରୁ ଅଧିକ ସଙ୍କଟଜନକ ମରୁଡ଼ି ହଟ୍ସ୍ପଟ୍ ଅଞ୍ଚଳ ଦେଖିବାକୁ ମିଳିଛି ।
ଅଧ୍ୟୟନରେ ବିଶେଷକରି ଓଡ଼ିଶା ଉପରେ ରେଖାଙ୍କିତ କରାଯାଇଛି । ମରୁଡ଼ି ପ୍ରଭାବିତ ଅଞ୍ଚଳରେ ସବୁଠାରୁ ତୀବ୍ର ବୃଦ୍ଧି ରେକର୍ଡ କରିଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାକୁ ସ୍ୱତନ୍ତ୍ର ଭାବେ ଚିହ୍ନଟ କରାଯାଇଛି । ଅଧ୍ୟୟନର ପ୍ରମୁଖ ପ୍ରସ୍ତୁତକାରୀ ବା ଲେଖକ ଥୋଟା ମୋହନଙ୍କ ଅନୁସାରେ, ସାରା ଦେଶରେ ମରୁଡ଼ିର ତୀବ୍ରତାକୁ ଆକଳନ କଲା ବେଳେ ପୂର୍ବ ଉପକୂଳବର୍ତ୍ତୀ ଅଞ୍ଚଳ ଅଧିକ ଦୃଷ୍ଟି ଆକର୍ଷଣ କରିଥିଲା । ବିଗତ ୩୦ ବର୍ଷ ମଧ୍ୟରେ ପ୍ରତ୍ୟେକ ଦଶନ୍ଧିରେ ଏହି ମରୁଡ଼ି ପ୍ରଭାବିତ ଅଞ୍ଚଳ ଏକପଞ୍ଚମାଂଶରୁ ଅଧିକ ବୃଦ୍ଧି ପାଇଛି।
ସୌଜନ୍ୟ ପ୍ରମେୟ




