ରାଜ୍ୟ

Odisha Drought Hotspot: ୫୨ ବର୍ଷର ଅଧ୍ୟୟନରୁ ବଡ଼ ଖୁଲାସା, ଓଡ଼ିଶାରେ ବଢ଼ୁଛି ଭୟଙ୍କର ସଙ୍କଟ, ବ୍ୟାକ୍ ଟୁ ବ୍ୟାକ୍ ଆସୁଛି ମରୁଡ଼ି ଓ ବାତ୍ୟା

ଭୁବନେଶ୍ୱର, ୨୧/୦୯: ଜଳବାୟୁ  ପରିବର୍ତ୍ତନର ଭୟଙ୍କର ପ୍ରଭାବ ଓଡ଼ିଶାରେ  ଦେଖାଦେଇଛି । ପୂର୍ବ ଉପକୂଳରେ  ଗ୍ରୀଷ୍ମ ଜନିତ ଚାପ ବଢ଼ିବା କାରଣରୁ  ରାଜ୍ୟରେ ମରୁଡ଼ିର ତୀବ୍ରତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଫଳରେ ଏହା ଏବେ  ‘ମରୁଡ଼ି ହଟ୍‌ସ୍ପଟ୍‌’ ପାଲଟିଛି । ଅର୍ଥାତ  ମରୁଡ଼ିପ୍ରବଣ ରାଜ୍ୟ ବିବେଚିତ ହୋଇଛି  ଓଡ଼ିଶା । ‘ଇଣ୍ଟରନ୍ୟାସନାଲ ଜର୍ନାଲ ଅଫ୍‌  କ୍ଲାଇମେଟୋଲୋଜି’ର ସଦ୍ୟ ଅଧ୍ୟୟନରୁ  ଏହା ଜାଣିବାକୁ ମିଳିଛି ।

ରିପୋର୍ଟରୁ ଜଣାପଡ଼ିଛି ଯେ ସମଗ୍ର  ଦେଶରେ ଅତ୍ୟଧିକ ମରୁଡ଼ି ପରିସ୍ଥିତି  ଲାଗିରହିଛି । ଜଳବାୟୁ ପରିବର୍ତ୍ତନ  ପ୍ରଭାବରେ ଏହାର ତୀବ୍ରତା ବୃଦ୍ଧି ପାଉଛି । ବିଶେଷକରି ଓଡ଼ିଶା, ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଭଳି ପୂର୍ବ ଉପକୂଳବର୍ତ୍ତୀ  ରାଜ୍ୟ ମରୁଡ଼ି କବଳରେ ଅଧିକ ପଡ଼ୁଛନ୍ତି । ଦୀର୍ଘ ୫୨ ବର୍ଷ ଧରି ପାଣିପାଗ ବିଜ୍ଞାନୀମାନେ ଜଳବାୟୁ ପ୍ରଭାବକୁ ଅଧ୍ୟୟନ କରି ଏଭଳି ନିର୍ଯାସରେ ପହଞ୍ଚିଛନ୍ତି । ଭାରତୀୟ ପାଣିପାଗ ବିଭାଗ, ନ୍ୟାସନାଲ  ସେଣ୍ଟର ଫର୍‌ ମିଡିୟମ ରେଞ୍ଜ ୱେଦର ଫୋର୍‌କାଷ୍ଟିଂ ଏବଂ ଆଟ୍ରିଆ ୟୁନିଭର୍ସିଟି  ବେଙ୍ଗାଲୁରୁର ବୈଜ୍ଞାନିକଙ୍କ ଦ୍ୱାରା  ୧୯୭୧ରୁ ୨୦୨୨ ପର୍ଯ୍ୟନ୍ତ ଏହି ବିଶ୍ଳେଷଣ  କରାଯାଇଥିଲା ।

ସର୍ବୋଚ୍ଚ ଏବଂ ସର୍ବନିମ୍ନ ତାପମାତ୍ରା, ମରୁଡ଼ି ପରିସ୍ଥିତି, ପ୍ରବଳ ବର୍ଷା, ଗ୍ରୀଷ୍ମ  ପ୍ରବାହ ଏବଂ ଗ୍ରୀଷ୍ମଜନିତ ଚାପ ଭଳି ୭ଟି  ସୂଚକାଙ୍କକୁ ଏକତ୍ର କରି ଗବେଷକମାନେ ଏକ ନୂଆ ‘ଇଣ୍ଡିଆ କ୍ଲାଇମେଟ୍‌ ଏକ୍ସଟ୍ରିମ୍ସ  ଇଣ୍ଡେକ୍ସ’ ପ୍ରସ୍ତୁତ କରିଛନ୍ତି । ସୂଚକାଙ୍କରୁ  ଜଣାପଡ଼ିଛି ଯେ ଉଚ୍ଚ ତାପମାତ୍ରା, ଦୀର୍ଘାବଧି  ଶୁଷ୍କ ପାଣିପାଗ ଏବଂ ବିଗୁଡ଼ୁଥିବା ମରୁଡ଼ି  ପରିସ୍ଥିତି ଯୋଗୁ ଦେଶବ୍ୟାପୀ ଜଳବାୟୁର  ଭୟାନକ ରୂପ ଘାତକ ହେବାରେ ଲାଗିଛି ।

ଏହି ଅଧ୍ୟୟନର ଭୌଗୋଳିକ  ବିଶ୍ଳେଷଣରୁ ମଧ୍ୟ ଆହୁରି ଅନେକ  ନକାରାତ୍ମକ ଚିତ୍ର ସାମ୍ନାକୁ ଆସିଛି । ଏହା  ଅନୁସାରେ, ୧୯୮୧-୧୯୯୧ ତୁଳନାରେ  ୨୦୧୧ରୁ ୨୦୨୧ ମଧ୍ୟରେ ପୂର୍ବ ଭାରତରେ ମରୁଡ଼ି ଜନିତ ଅତି ଖରାପ ସ୍ଥିତି ତୀବ୍ର  ଗତିରେ ବୃଦ୍ଧି ପାଇଛି । ଦକ୍ଷିଣ, ମଧ୍ୟ ଏବଂ  ଉତ୍ତର-ପୂର୍ବ ଭାରତର ଏକ ବଡ଼ ଅଂଶରେ  ବାରମ୍ୱାର ମରୁଡ଼ି ପରିସ୍ଥିତି  ଅନୁଭୂତ ହୋଇଛି । କିନ୍ତୁ ପୂର୍ବ ଉପକୂଳରେ ସବୁଠାରୁ  ଅଧିକ ସଙ୍କଟଜନକ ମରୁଡ଼ି ହଟ୍‌ସ୍ପଟ୍‌ ଅଞ୍ଚଳ ଦେଖିବାକୁ  ମିଳିଛି ।

ଅଧ୍ୟୟନରେ ବିଶେଷକରି ଓଡ଼ିଶା ଉପରେ  ରେଖାଙ୍କିତ କରାଯାଇଛି । ମରୁଡ଼ି ପ୍ରଭାବିତ ଅଞ୍ଚଳରେ ସବୁଠାରୁ ତୀବ୍ର ବୃଦ୍ଧି ରେକର୍ଡ କରିଥିବା ରାଜ୍ୟଗୁଡ଼ିକ  ମଧ୍ୟରେ ଓଡ଼ିଶାକୁ ସ୍ୱତନ୍ତ୍ର ଭାବେ ଚିହ୍ନଟ କରାଯାଇଛି ।  ଅଧ୍ୟୟନର ପ୍ରମୁଖ ପ୍ରସ୍ତୁତକାରୀ ବା ଲେଖକ ଥୋଟା  ମୋହନଙ୍କ ଅନୁସାରେ, ସାରା ଦେଶରେ ମରୁଡ଼ିର  ତୀବ୍ରତାକୁ ଆକଳନ କଲା ବେଳେ ପୂର୍ବ ଉପକୂଳବର୍ତ୍ତୀ  ଅଞ୍ଚଳ ଅଧିକ ଦୃଷ୍ଟି ଆକର୍ଷଣ କରିଥିଲା । ବିଗତ  ୩୦ ବର୍ଷ ମଧ୍ୟରେ ପ୍ରତ୍ୟେକ ଦଶନ୍ଧିରେ ଏହି ମରୁଡ଼ି  ପ୍ରଭାବିତ ଅଞ୍ଚଳ ଏକପଞ୍ଚମାଂଶରୁ ଅଧିକ ବୃଦ୍ଧି ପାଇଛି।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button