Cyclone Fear: ବଙ୍ଗୋପସାଗରରେ ବଳ ଗୋଟାଉଛି ଲଘୁଚାପ, ଆଜି ଅବପାତ, ଗଞ୍ଜାମ-ପୁରୀ ଉପକୂଳ ଦେଇ ସ୍ଥଳଭାଗ ଛୁଇଁପାରେ ବାତ୍ୟା

ଭୁବନେଶ୍ୱର,୨୧/୦୯: ଉତ୍ତର ପୂର୍ବ ଆଣ୍ଡାମାନ ସାଗର ଓ ସଂଲଗ୍ନ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଉତ୍ତର-ପଶ୍ଚିମ ଦିଗକୁ ମୁହାଁଇଛି । ସୋମବାର ସୁଦ୍ଧା ଏହା ଅବପାତରେ ପରିଣତ ହେବ । ୨୨ ତାରିଖରେ ଗଭୀର ଅବପାତ ରୂପ ନେବ । ଏହା ପୁଣି ୨୩ ତାରିଖ ସକାଳେ ପଶ୍ଚିମ- ଉତ୍ତର ପଶ୍ଚିମ ଦିଗକୁ ମୁହାଁଇ, ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳରେ ଛୁଇଁବ । ଏହା ପ୍ରଭାବରେ ରାଜ୍ୟରେ ଆଗାମୀ ପାଞ୍ଚ ଦିନ ଯାଏ ପ୍ରବଳ ବର୍ଷା ହେବ ବୋଲି ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି ।
ତେବେ ବାତ୍ୟା ରୂପ ନେବା ଆଶା କ୍ଷୀଣ । ଯଦି ସମୁଦ୍ରରେ ଅନୁକୂଳ ବାତବରଣ ରୁହେ, ତେବେ ଛୋଟ ବାତ୍ୟାରେ ପରିଣତ ହୋଇ ଦ୍ରୁତ ଗତିରେ ଦୁର୍ବଳ ହୋଇଯିବ ବୋଲି କୃଷି ପାଣିପାଗ ବିଶେଷଜ୍ଞ ଡକ୍ଟର ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି ।
ପାଣିପାଗ ବିଭାଗ କିନ୍ତୁ ଏ ନେଇ ରବିବାର ସୁଦ୍ଧା କୌଣସି ପୂର୍ବାନୁମାନ ଦେଇ ନାହିଁ । ଡକ୍ଟର ପଶୁପାଳକଙ୍କ ଆକଳନ କହୁଛି, ଗଭୀର ଅବପାତ ଗଞ୍ଜାମ-ଶ୍ରୀକାକୁଲମ କିମ୍ବା ପୁରୀ ଗଞ୍ଜାମ ଉପକୂଳ ଦେଇ ୨୩ କିମ୍ବା ୨୪ ତାରିଖ ବେଳକୁସ୍ଥଳଭାଗରେ ପ୍ରବେଶ କରିବା ସମ୍ଭାବନା ରହିଛି । ସମୁଦ୍ର ଜଳସ୍ତର ଗରମ ରହିଛି । ଏବଂ ଆର୍ଦ୍ରତା ବି ଅଧିକ ରହିଛି । କିନ୍ତୁ ପଶ୍ଚିମ ବଙ୍ଗୋପସାଗରରେ ପବନର ଚାପ କମ୍ ରହିଛି, ଯାହା ଅବପାତର ଶକ୍ତିବୃଦ୍ଧିକୁ ରୋକିପାରେ ।
ପାଣିପାଗ ବିଭାଗ କହୁଛି, ଆଜି ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତ୍ସିଂହପୁର, କଟକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାର କିଛି ସ୍ଥାନରେ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ସହ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି । ନୂଆପଡ଼ା, କଳାହାଣ୍ଡି, ରାୟଗଡ଼ା, କୋରାପୁଟ, ମାଲକାନାଗିରି, ଗଜପତି, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ନୟାଗଡ଼ ଜିଲ୍ଲାକୁ ୟୋଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।
ସୌଜନ୍ୟ ପ୍ରମେୟ




