ରାଜ୍ୟ

ପାଠ୍ୟପୁସ୍ତକ ସଂଶୋଧନ ପ୍ରସଙ୍ଗ, ଟ୍ଵିନ୍ ସିଟିରେ ବଣ୍ଟାଗଲା ୪୫ ହଜାର ଓଡ଼ିଆ, ଉର୍ଦ୍ଦୁ ବହି… ବାକି ବହି ମିଳିବ କେବେ ?

ଭୁବନେଶ୍ୱର, ୨୨/୯ : ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ତ୍ରୁଟି ସୁଧାରୁଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ । ସୋମବାରଠାରୁ ସଂଶୋଧିତ ନୂତନ ପାଠ୍ୟପୁସ୍ତକ ବଣ୍ଟନ ଆରମ୍ଭ ହୋଇଛି । ଭୁବନେଶ୍ୱର, ଜଟଣୀ ଓ କଟକରେ ୪୧ ହଜାର ୧୫୦ ଓଡ଼ିଆ ଓ ୩ ହଜାର ୧୫୦ ଉର୍ଦ୍ଦୁ ବହି ବଣ୍ଟନ କରାଯାଇଛି । ଅନ୍ୟପଟେ ଯାହା ସୂଚନା ମିଳିଛି, ଏସ୍‌ସିଇଆର୍‌ଟି ଇଂରାଜୀ ବହିର ସଂଶୋଧନ କରି ମୁଦ୍ରଣ ପାଇଁ ପଠାଇ ସାରିଛି । ସଂସ୍କୃତ, ହିନ୍ଦୀ, ବିଜ୍ଞାନ, ସାମାଜିକ ବିଜ୍ଞାନ ବହିର ସଂଶୋଧନ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ଗଣିତ ବହିର ମଧ୍ୟ ସଂଶୋଧନ ପ୍ରକ୍ରିୟା ଜାରି ରହିଛି । କିନ୍ତୁ କୌଶଳବୋଧ, ଖେଳ ଶିକ୍ଷା ଓ କଳାକୃତି ବହି ସଂଶୋଧନ ଓ ମୁଦ୍ରଣରେ ବିଳମ୍ବ ହେବ ବୋଲି ଆଶଙ୍କା କରାଯାଉଛି । ତେବେ ଶିକ୍ଷକ ସଂଘର ଅଭିଯୋଗ, ବିଧାନସଭା ଅଧିବେଶନକୁ ଆଖିରେ ରଖି କେବଳ ଦେଖାଣିଆ ଓଡ଼ିଆ ଓ ଉର୍ଦ୍ଦୁ ବହି ଭୁବନେଶ୍ୱର, କଟକରେ ବାଣ୍ଟି ଦେଇ ପ୍ରଚାର କରିଦେଲେ ହେବ ନାହିଁ । ରାଜ୍ୟର ଅନ୍ୟ ଜିଲ୍ଲାର ପିଲାଙ୍କୁ କେବେ ଏହି ବହି ମିଳିବ ତାହା ସ୍ପଷ୍ଟ କରନ୍ତୁ ।

ସୂଚନାଯୋଗ୍ୟ, ଜାତୀୟ ଶିକ୍ଷା ନୀତି ୨୦୨୦କୁ ଆଧାର କରି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକର ନବକଳେବର କଲା । ଏହି ବହିରେ ମାଳ ମାଳ ତ୍ରୁଟି ଦେଖିବାକୁ ମିଳିଲା । ଏହାକୁ ନେଇ ତମ୍ବି ତୋଫାନ ହେଲା । ସରକାର ଏହାକୁ ଗୁରୁତ୍ୱର ସହ ନେଇ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଲେ । ଏପରିକି ତ୍ରୁଟି ଶୂନ୍ୟ ନୂତନ ବହି ଛାପି ପିଲାଙ୍କ ପାଖେ ପହଞ୍ଚାଇବାକୁ ନିର୍ଦ୍ଦେଶ ଦେଲେ । ବହି ସଂଶୋଧନ ସାରି ଏହାକୁ ପିଲାଙ୍କ ପାଖେ ପହଞ୍ଚାଇବା ପ୍ରକ୍ରିୟା ଆରମ୍ଭ କରିଛି ଗଣଶିକ୍ଷା ବିଭାଗ । ପ୍ରଥମ ଦିନରେ ୪୫ ହଜାର ପାଠ୍ୟପୁସ୍ତକ ବଣ୍ଟନ କରାଯାଇଛି । ଦ୍ୱିତୀୟରୁ ଷଷ୍ଠ ଶ୍ରେଣୀ ଯାଏ ପିଲାଙ୍କ ପାଇଁ ଓଡ଼ିଆ ସାହିତ୍ୟ ବହି ଏବଂ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ଉର୍ଦ୍ଦୁ ବହି ସଂଶୋଧନ ପରେ ମୁଦ୍ରଣ ହୋଇ ବଣ୍ଟନ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳ, ଜଟଣୀ, ଭୁବନେଶ୍ୱର ସଦର, କଟକ ମହାନଗର ନିଗମ, କଟକ ସଦର, ସାଲେପୁର ଓ ନିଶ୍ଚିତକୋଇଲିରେ ଏହି ୪୫ ହଜାର ବହି ବଣ୍ଟନ କରାଯାଇଛି ।

ଗଣଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ସବୁ ବହିର ସଂଶୋଧନ ପ୍ରକ୍ରିୟା ଶେଷ ହୋଇନି । ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ (ଏସ୍‌ସିଇଆର୍‌ଟି) ପକ୍ଷରୁ କେବଳ ଓଡ଼ିଆ, ଇଂରାଜୀ ବହିର ସଂଶୋଧନ ପ୍ରକ୍ରିୟା ଶେଷ ହୋଇଛି । ଆଗରୁ ଓଡ଼ିଆ ଓ ଉର୍ଦ୍ଦୁ ବହିର ସଂଶୋଧନ ହୋଇ ମୁଦ୍ରଣ ପାଇଁ ପଠାଇଥିଲୁ । ଯାହା ଆଜିଠୁ ବଣ୍ଟନ ଆରମ୍ଭ ହୋଇଛି । ଇଂରାଜୀ ବହିର ସଂଶୋଧନ ସରି ଏହାକୁ ମୁଦ୍ରଣ ପାଇଁ ପ୍ରେସ୍‌କୁ ପଠା ସରିଛି । ବିଜ୍ଞାନ, ସଂସ୍କୃତ, ହିନ୍ଦୀ ବହିର ସଂଶୋଧନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଏହି ବହିର ଶେଷ ପ୍ରୁଫ୍‌ ରିଡିଂ ହେବା ପରେ ମୁଦ୍ରଣ ପାଇଁ ପଠାଯିବ । ସେହିପରି ସାମାଜିକ ବିଜ୍ଞାନ ଓ ଗଣିତ ବହିର ସଂଶୋଧନ ଚାଲିଛି । ଏହି ସମସ୍ତ ବହି ଦଶହରା ପୂର୍ବରୁ ସଂଶୋଧନ ସରିଯିବ । ଏହା ପରେ ମୁଦ୍ରଣ ପାଇଁ ପଠାଯିବ । ବାକି କୌଶଳବୋଧ, ଖେଳ ଶିକ୍ଷା, କଳାକୃତି ବହିକୁ ପରବର୍ତ୍ତୀ ସମୟରେ ସଂଶୋଧନ କରାଯାଇ ମୁଦ୍ରଣ ହେବ । ଏପରିକି ଏହି ସମସ୍ତ ସଂଶୋଧିତ ବହି ଆସନ୍ତା ଶିକ୍ଷାବର୍ଷ ପାଇଁ ମଧ୍ୟ ଏକା ସାଙ୍ଗେ ପ୍ରସ୍ତୁତ କରାଯାଇଛି । ଏହି ସମସ୍ତ ବହିର ମୁଦ୍ରଣ ଦାୟିତ୍ୱ ପୁନଃ ପାଠ୍ୟପୁସ୍ତକ ଉତ୍ପାଦନ ଓ ବିକ୍ରୟ ନିର୍ଦ୍ଦେଶାଳୟ (ଟିବିପିଏମ୍‌)କୁ ପ୍ରଦାନ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଟିବିପିଏମ୍‌ରେ ଓଡି଼ଆ ଓ ଉର୍ଦ୍ଦୁ ବହି ମୁଦ୍ରଣ ପାଇଁ ପହଞ୍ଚିଛି । ଏସ୍‌ସିଇଆର୍‌ଟି ପକ୍ଷରୁ ଇଂରାଜୀ ବହି ମୁଦ୍ରଣ ପାଇଁ ପଠା ମଧ୍ୟ ହୋଇଛି । ତେବେ ବାକି ବହି ମୁଦ୍ରଣ ପାଇଁ ଏଠାକୁ ଆସିନାହିଁ ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button