ରାଜ୍ୟ

Karama festival : ପ୍ରକୃତି ପୂଜାର ପର୍ବ ‘କରମା’ ,ନାଚଗୀତରେ କମ୍ପୁଛି ଆଦିବାସୀ ପଡ଼ା

ରାଉରକେଲା,୨୨\୯(ସୁଜ୍ଞାନୀ ରାୟ) : ଗଣପର୍ବ  ‘କରମା’କୁ ନେଇ ଉତ୍ସବମୁଖର ଆଦିବାସୀ ପଡ଼ା ।  ଉଜ୍ଜୀବିତ ହୋଇଛି ପ୍ରକୃତି ପୂଜାର ଅନନ୍ୟ ପରମ୍ପରା ।  ସୁଦୃଢ଼ ହୋଇଛି ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କ ।  ମାଦଳର ତାଳେତାଳେ ନାଚଗୀତରେ ଜନଜାତି ସମ୍ପ୍ରଦାୟର  ଆବାଳ ବୃଦ୍ଧ ବନିତା ମତୁଆଲା ହୋଇ ଉଠିଛନ୍ତି । ପ୍ରକୃତିର  ଉପାସନା ଏବଂ ସାମାଜିକ ସମ୍ପର୍କର ମୂକସାକ୍ଷୀ ଏହି  ପର୍ବ ପାଇଁ ସମଗ୍ର ସୁନ୍ଦରଗଡ଼ ଜିଲ୍ଲା ଉଠୁଛି ପଡୁଛି । ପ୍ରକୃତି ପ୍ରତି ସମର୍ପଣ, ଭଲ ଫସଲ ଏବଂ  ଭାଇ-ଭଉଣୀଙ୍କ ପବିତ୍ର ସମ୍ପର୍କର ଧାରାକୁ ବଜାୟ  ରଖିବା ଉଦ୍ଦେଶ୍ୟରେ ପାଳିତ ହେଉଛି କର୍‌ମା ପୂଜା ।

ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାର ଓରାମ, ମୁଣ୍ଡା,  ଖଡ଼ିଆ, କିଷାନ, ଭୂୟାଁ, କୁଡୁମୀ, ସାନ୍ତାଳୀ ସମ୍ପ୍ରଦାୟର  ଏହା ଗଣପର୍ବ । ପ୍ରତିବର୍ଷ ଭାଦ୍ରବ ମାସ ଶୁକ୍ଳପକ୍ଷ  ଏକାଦଶୀ ତିଥି (ଚଳିତବର୍ଷ ସେପ୍ଟେମ୍ବର ୨୨)ରେ  ମୁଖ୍ୟପୂଜା ଆୟୋଜିତ ହେଉଛି । କିନ୍ତୁ ଏହାର ଯଥେଷ୍ଟ  ପୂର୍ବରୁ ଆରମ୍ଭ ହୋଇଯାଏ ପ୍ରସ୍ତୁତି । କରମା ପୂଜାର  ନିର୍ଦ୍ଦିଷ୍ଟ ନୀତିନିୟମ ରହିଛି । ଭାଦ୍ରବ ପଞ୍ଚମୀ ତିଥିରେ  ଅବିବାହିତା କନ୍ୟାମାନେ ନଦୀ ତୁଠରୁ ବାଲି ଆଣି ଘର  ଭିତରେ ଅନ୍ଧାରୁଆ ସ୍ଥାନରେ ରଖିଥାଆନ୍ତି । ବାଲିରେ ୭  ପ୍ରକାର ଶସ୍ୟର ବୀଜ ପୋତା ଯାଏ । ପ୍ରତିଦିନ ସକାଳେ ଝିଅମାନେ ନିତ୍ୟକର୍ମ ସାରି ସେଠାରେ ପୂଜା କରନ୍ତି  ଓ ହଳଦୀ ପାଣି ସିଞ୍ଚନ କରନ୍ତି । ଅଙ୍କୁରିତ ହୋଇଥିବା  ବୀଜକୁ ‘ଜାୱା ଫୁଲ’ କୁହାଯାଏ । ସମ୍ପ୍ରଦାୟର ଦେବତା  ଧର୍ମେଶଙ୍କ ପ୍ରତୀକ ଭାବେ କରମା ଗଛ ଡାଳ ଆଣି  ପୂଜାରେ ସାମିଲ ଝିଅମାନେ ଆଖଡ଼ା ଘରେ ସ୍ଥାପନ  କରନ୍ତି । ପାହାନା (ଆଦିବାସୀ ପୂଜକ)ଙ୍କ ଦ୍ୱାରା ସେଠାରେ  ପୂଜା କରାଯାଇଥାଏ । କରମା ପୂଜା ସମୟରେ ‘ଜାୱା  ଫୁଲ’କୁ ଭୋଗ ଭାବେ ଅର୍ପଣ କରାଯାଏ । ଏହାପରେ  ‘କରମା ଓ ଧରମା’ ଦୁଇ ଭାଇଙ୍କ ପୌରାଣିକ କଥା  ପାହାନା ଶୁଣାଇଥାନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button