ରାଜ୍ୟ

Sweta ganga: ସମସ୍ୟା ଜର୍ଜରିତ ଶ୍ୱେତଗଙ୍ଗା, ଆଗକୁ ପିତୃପକ୍ଷ, ଦୁର୍ଗା ପୂଜା ଓ ମହାକାର୍ତ୍ତିକ, କିଛି ଅଘଟଣ ପାଇଁ ଦାୟୀ ରହିବେ ସରକାର

ପୁରୀ,୨୨/୦୯: ଲଗାଣ ବର୍ଷା ପାଇଁ ଆହୁରି ଅସୁରକ୍ଷିତ ହୋଇପଡ଼ିଛି ଅନ୍ୟତମ ପଞ୍ଚତୀର୍ଥ ପବିତ୍ର ଶ୍ୱେତଗଙ୍ଗା ପରିସର । ପାଚେରି ଭୁଶୁଡ଼ିବାକୁ ଦୁଇ ମାସ ବିତିଗଲା ହେଲେ ଆଜି ପର୍ଯ୍ୟନ୍ତ ପୁନରୁଦ୍ଧାର କାର୍ଯ୍ୟ ଆରମ୍ଭ ହେଲା ନାହିଁ । ଆଗକୁ ପିତୃ ପକ୍ଷ, ଦୁର୍ଗା ପୂଜା ଓ ତା’ପରକୁ ମହାକାର୍ତ୍ତି ମାସ । ଏସବୁ ଦିନମାନଙ୍କରେ ଶ୍ୱେତଗଙ୍ଗାକୁ ବହୁ ଅଧିକ ଲୋକଙ୍କ ଆଗମନ ହେବ । ଶ୍ୱେତଗଙ୍ଗାରେ ମାଳ ମାଳ ସମସ୍ୟା ରହିଛି । ପୁଣି ଲଗାତାର ବର୍ଷାରେ ପାଚେରି ଅଜାଡ଼ି ହୋଇ ମାଟି ଅତଡ଼ା ଖସିବାର ଯଥେଷ୍ଟ ଆଶଙ୍କା ରହିଛି । ସମସ୍ୟା ଜର୍ଜରିତ ଶ୍ୱେତଗଙ୍ଗାରେ କୌଣସି କାରଣରୁ ଯଦି କାହାରି ଜୀବନ ଯାଏ କିମ୍ବା କିଛି କ୍ଷୟକ୍ଷତି ହୁଏ ସେନେଇ ସରକାର ନିଜେ ଦାୟୀ ରହିବେ ବୋଲି ସ୍ଥାନୀୟ ବାସିନ୍ଦା ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ସ୍ଥାନୀୟ ସଂଗଠନ ଶ୍ରୀଶ୍ରୀ ନୀଳମାଧବ ବିନାୟକ ସମିତି ଦୀର୍ଘ ୧୬ ବର୍ଷ ହେଲା ନିଃଶୁଳ୍କ ଶ୍ରମ ଦାନ କରି ଶ୍ୱେତଗଙ୍ଗାର ସ୍ୱଚ୍ଛତା ଓ ସବୁଜିମା ରକ୍ଷା ସହ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ଜାରି ରଖିଛନ୍ତି । ହେଲେ ପ୍ରଶାସନ ପବିତ୍ର ତୀର୍ଥର ବିକାଶ ନେଇ ଯାହା ସବୁ ପ୍ରତିଶ୍ରୁତି ଦେଇଥିଲେ ଅସଲରେ ବିକାଶ ପରିବର୍ତ୍ତେ ବିନାଶର ପଥକୁ ପବିତ୍ର ଶ୍ୱେତଗଙ୍ଗା ଠେଲି ହୋଇ ଯାଇଥିବା ଅଭିଯୋଗ ହେଉଛି । ୨୦୨୨ ମସିହାରେ ନରେନ୍ଦ୍ର, ମାର୍କଣ୍ଡ, ଇନ୍ଦ୍ରଦ୍ୟୁମ୍ନ ଓ ଶ୍ୱେତଗଙ୍ଗା ଉନ୍ନୟନ କାର୍ଯ୍ୟକୁ ସରକାର ଅବଢ଼ା ଯୋଜନାରେ ନେଇଥିଲେ । ଅନ୍ୟ ତିନି ପୁଷ୍କରିଣୀର ଉନ୍ନୟନ ହୋଇଥିଲେ ସୁଦ୍ଧା ଶ୍ୱେତଗଙ୍ଗାର ଉନ୍ନତୀକରଣ କାର୍ଯ୍ୟ ଏପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ । ସେହି ସମୟରେ ବଡ଼ ବଡ଼ ଅଧିକାରୀମାନେ ଶ୍ୱେତଗଙ୍ଗା ପରିଦର୍ଶନ କରି ଶ୍ୱେତଗଙ୍ଗାର ସୌନ୍ଦର୍ଯ୍ୟୀକରଣ, ତୀର୍ଥଜଳର ଶୁଦ୍ଧତା, ପାହାଚରେ ଗ୍ରାନାଇଟ୍ ଲଗାଇବା, ଆଲୋକୀକରଣ, ପ୍ରବେଶ ଦ୍ୱାରରେ ସୁଦୃଶ୍ୟ ତୋରଣ ସହ ନାମଫଳକ ଲଗାଇବା, ଯାତ୍ରୀଙ୍କ ଶୌଚାଳୟ, ଶ୍ରୀମନ୍ଦିର ଦକ୍ଷିଣଦ୍ୱାର ନିକଟରୁ ଏକ ୪୦ ଫୁଟିଆ ରାସ୍ତା ଶ୍ୱେତଗଙ୍ଗା ପୁଷ୍କରିଣୀକୁ ସଂଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କାମ ଆରମ୍ଭ କ’ଣ ଆଜି ପର୍ଯ୍ୟନ୍ତ ଖଣ୍ଡିଏ ହେଲେ ଇଟା ଏଠାରେ ପଡ଼ିନାହିଁ ।

ଯାତ୍ରୀଙ୍କ ଭିଡ଼ ସାଙ୍ଗକୁ ଶୁଦ୍ଧିକ୍ରିୟା କାର୍ଯ୍ୟ ବହୁ ମାତ୍ରାରେ ହେଉଥିବାରେ ଯେତିକି ସଫେଇ କର୍ମଚାରୀ ରହିଛନ୍ତି ସେତିକିରେ ଶ୍ୱେତଗଙ୍ଗାର ୨୪ ଘଣ୍ଟିଆ ସ୍ୱଚ୍ଛତା ରକ୍ଷା ସମ୍ଭବ ହେଉନି । ଶ୍ୱେତଗଙ୍ଗା ଜଳ ଅପରିଷ୍କାର ହୋଇଥିବା ସ୍ଥଳେ ପୂର୍ବରୁ ଲାଗିଥିବା ୱାଟର ପ୍ୟୁରିଫାୟାର ମେସିନ୍ଟିକୁ କାଢ଼ି ନିଆଯାଇଛି । ଓଟିଡିସି ପକ୍ଷରୁ ଲାଗିଥିବା ଇଲେକ୍ଟି ଲାଇଟ୍ ପୋଷ୍ଟଗୁଡ଼ିକ କାଢ଼ି ନେଇଛନ୍ତି । ଗଙ୍ଗା ସ୍ନାନର ପୁଣ୍ୟ ଅର୍ଜନ ପାଇଁ ପ୍ରତିଦିନ ହଜାର ହଜାର ଯାତ୍ରୀ ଏଠାରେ ବୁଡ଼ ପକାଉଛନ୍ତି । ମାଟିମଣ୍ଡପ ସାହି, କାଳିକାଦେବୀ ସାହି, ବାଲି ସାହି, ହରଚଣ୍ଡୀ ସାହି, ମଣିକର୍ଣ୍ଣିକା ସାହି, ବାସେଳୀ ସାହି, ଦୋଳମଣ୍ଡପ, ବଳିଆପଣ୍ଡା ଆଦି ଅଞ୍ଚଳର ବାସିନ୍ଦାମାନେ ଶୁଦ୍ଧି କାର୍ଯ୍ୟ ପାଇଁ ଶ୍ୱେତଗଙ୍ଗା ଉପରେ ନିର୍ଭରଶୀଳ । ଶ୍ରୀମନ୍ଦିରର ୯୦ ଭାଗ ଭଳି ସେବକ ଦଶାହ ଆଦି ଶୁଦ୍ଧି କାର୍ଯ୍ୟ ଏହିଠାରେ କରିଥାନ୍ତି । ପୂର୍ବରୁ ଶ୍ୱେତଗଙ୍ଗାରେ ପ୍ରଶାସନ ପକ୍ଷରୁ ଲାଗିଥିବା ସିସି କ୍ୟାମେରା ଆଉନାହିଁ । ଫଳରେ ଅସାମାଜିକଙ୍କ ଦୌରାତ୍ମ୍ୟ ବଢ଼ିଛି । ସୁଯୋଗ ଉଣ୍ଡି ନିଶା ଖାଇବା ସହ ଯାତ୍ରୀଙ୍କ ମୂଲ୍ୟବାନ ଜିନିଷ ଚୋରି କରି ନେଉଛନ୍ତି । ପୂର୍ବରୁ ଲାଗିଥିବା ସାଉଣ୍ଡସିଷ୍ଟମ ଅକାମୀ । ରକ୍ଷଣାବେକ୍ଷଣ ଅଭାବରୁ ପୁଷ୍କରିଣୀ ପାଚେରିରେ ଗଛ ଉଠି ପୁରୁଣା ପଥର କାନ୍ଥ ଫଟାଇଲାଣି ।

ସେହିଭଳି ପଶ୍ଚିମ ପାର୍ଶ୍ବ ପାଚେରି ଭାଙ୍ଗିବାକୁ ଦୁଇ ମାସ ବିତିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପାଚେରି ତିଆରି ଆରମ୍ଭ ହୋଇ ନାହିଁ । ଲଗାଣ ବର୍ଷାରେ ମାଟି ଧସି ଜଳରେ ମିଶୁଛି । ନିରାପଦ ସ୍ନାନ ପାଇଁ ପାହାଚରୁ ପାଣିକୁ ଲାଗିଥିବା ପାଇପ୍ ଅନେକ ସ୍ଥାନରେ ଭାଙ୍ଗି ବିପଦ ସୃଷ୍ଟି କରୁଛି । ଏପରିକି କିଛି ଭଙ୍ଗା ଅଂଶ ପାଣିରେ ବୁଡ଼ି ସ୍ନାନକାରୀଙ୍କୁ କ୍ଷତାକ୍ତ କରୁଛି । ଶ୍ୱେତଗଙ୍ଗାରେ ସ୍ଥାୟୀ ସୁରକ୍ଷା କର୍ମୀ ନଥିବାରେ ବର୍ଷକ ମଧ୍ୟରେ ଅସୁରକ୍ଷିତ ଶ୍ୱେତଗଙ୍ଗାରେ ୬ଟି ଅମୂଲ୍ୟ ପ୍ରାଣ ଚାଲିଗଲାଣି । ଶିଉଳି ଲଗା ପାହାଚରେ ନିତି ଲୋକେ ପଡ଼ି ଆହତ ହେଉଛନ୍ତି । ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ଲାଗିଥିବା ଉଜ୍ୱଳ ଆଲୋକ ବ୍ୟବସ୍ଥା ମଧ୍ୟ ଅଧାଅଧି ଅକାମୀ । ପ୍ଲାଇରେ ତିଆରି ଅସ୍ଥାୟୀ ପାହାଚ ନଷ୍ଟ ହୋଇଗଲାଣି । ସେହିଭଳି ସରକାରୀ ଜାଗା ଥିଲେ ମଧ୍ୟ ଯାତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଶାସନ ଶୌଚାଳୟ ନକରିବା ଦୁର୍ଭାଗ୍ୟର ବିଷୟ ବୋଲି ସ୍ଥାନୀୟ ଲୋକେ ସମାଲୋଚନା କରୁଛନ୍ତି । ବାଧ୍ୟରେ ଉପାୟ ନପାଇ ମହିଳାଙ୍କ ପୋଷାକବଦଳା ଗୃହକୁ ଲୋକେ ଶୌଚାଳୟ ଭାବେ ବ୍ୟବହାର କରୁଛନ୍ତି ।

 

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button