Asian Games 2026: ୧୨ ବର୍ଷ ପରେ ପଦକ ଜିତିଲା ପାକିସ୍ତାନ, ବ୍ରୋଞ୍ଚ ମେଡାଲ୍ ମ୍ୟାଚ୍ରେ ବାଂଲାଦେଶକୁ ହରାଇଲା

ନୂଆଦିଲ୍ଲୀ,୨୨/୦୯; ୨୦ତମ ଏସୀୟ କ୍ରୀଡ଼ାରେ ଖେଳାଯାଇଥିବା ମହିଳା କ୍ରିକେଟର ବ୍ରୋଞ୍ଜ ପଦକ ମ୍ୟାଚରେ ପାକିସ୍ତାନ ବାଂଲାଦେଶକୁ ପରାସ୍ତ କରିଛି । ୧୨ ବର୍ଷ ପରେ ଏସିଆନ୍ ଗେମ୍ସରେ ପାକିସ୍ତାନ ବାଂଲାଦେଶକୁ ୩୧ ରନରେ ପରାସ୍ତ କରି ବ୍ରୋଞ୍ଜ ପଦକ ଜିତିଛି । ଏହି ବିଜୟରେ ପାକିସ୍ତାନର ଅଧିନାୟିକା ଫାତିମା ସାନା ପ୍ରମୁଖ ଯୋଗଦାନ ଦେଇଛନ୍ତି । ୨୦୧୪ରେ ପାକିସ୍ତାନ ମହିଳା କ୍ରିକେଟରେ ପଦକ ଜିତିଥିଲା । ୧୨ ବର୍ଷ ପରେ ଦଳ ପଦକ ହାତେଇଛି । ୧୨ ବର୍ଷ ତଳେ ବାଂଲାଦେଶକୁ ହରାଇ ପଦକ ଜିତିଥିଲା ଏବେ ବି ବାଂଲାଦେଶକୁ ହରାଇ ବିଜୟୀ ହୋଇ ହିସାବ ବରାବର କରିଛି ଟିମ୍ ଫାତିମା ।
ବାଂଲାଦେଶକୁ ପରାସ୍ତ କଲା ପାକିସ୍ତାନ – ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ବାଂଲାଦେଶ ସାମ୍ନାରେ ୨୦ ଓଭରରେ ୧୪୬ ରନ୍ ର ଲକ୍ଷ୍ୟ ରଖିଥିଲା। ତେବେ ବାଂଲାଦେଶ ମହିଳା ଦଳ ୨୦ ଓଭରରେ ୭ ୱିକେଟ୍ ହରାଇ ମାତ୍ର ୧୧୪ ରନ୍ କରିପାରିଥିଲା। ବାଂଲାଦେଶ ପକ୍ଷରୁ ଶର୍ମିନ ଅଖତର ସର୍ବାଧିକ ୪୬ ରନ୍ କରିଥିଲେ। ସେହିପରି ଅଧିନାୟକ ନିଗାର ସୁଲତାନା ୨୫ ରନ୍ କରିଥିଲେ। ତେବେ ଏହି ଦୁଇଜଣଙ୍କୁ ଛାଡ଼ି ଅଧିକାଂଶ ବ୍ୟାଟ୍ସମ୍ୟାନ୍ ଦୁଇ ଅଙ୍କ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ପାରିନଥିଲେ। ଓପନର ଦିଲାରା ଅକ୍ତର ୧୨ ରନ୍ କରିଥିଲେ ମଧ୍ୟ ସେଗୁଡ଼ିକ ଯଥେଷ୍ଟ ନଥିଲା।
ପାକିସ୍ତାନର ବୋଲିଂ କିପରି ଥିଲା ? ବ୍ରୋଞ୍ଜ ପଦକ ମ୍ୟାଚରେ ପାକିସ୍ତାନର ବୋଲିଂ ବିଷୟରେ କହିବାକୁ ଗଲେ ଉମ-ଏ-ହନି ୪ ଓଭରରେ ୧୦ ରନ୍ ଦେଇ ୩ ୱିକେଟ୍ ନେଇଥିଲେ। ଏମାନଙ୍କ ବ୍ୟତୀତ ନଶ୍ରା ସାନ୍ଧୁ, ତୁବା ହାସନ, ତସମିଆ ରୁବାବ ଓ ଅଧିନାୟିକା ଫାତିମା ସାନା ୧-୧ ୱିକେଟ୍ ନେଇଥିଲେ।
ଫାତିମା ସାନାଙ୍କ ଅଧିନାୟକତ୍ୱରେ ବିଜୟ- ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ୮ ୱିକେଟ୍ ହରାଇ ୧୪୫ ରନ୍ କରିଥିଲା। ସେଥିରୁ ୪୫ ରନ୍ କେବଳ ପାକିସ୍ତାନ ଅଧିନାୟିକା ଫାତିମା ସାନା ହାସଲ କରିଥିଲେ। ସେ ପାକିସ୍ତାନ ଦଳର ସବୁଠାରୁ ସଫଳ ବ୍ୟାଟର ଥିଲେ। ସେ ୩୦ ଟି ବଲରେ ୩ ଟି ଛକା ଏବଂ ଅନେକ ଚୌକା ସାହାଯ୍ୟରେ ଏହି ରନ୍ କରିଥିଲେ। ଫାତିମା ସାନାଙ୍କ ବ୍ୟତୀତ ଗୁଲ୍ ଫିରୋଜା ୩୧ ରନ୍ କରିଥିବା ବେଳେ ଆଲିଆ ରିଆଜ୍ ୨୫ ରନ୍ କରିଥିଲେ। ଏହି ବ୍ୟାଟରଙ୍କ ଆଧାରରେ ପାକିସ୍ତାନ ୧୪୦ରୁ ଅଧିକ ସ୍କୋର କରିପାରିଥିଲା ।
ସୌଜନ୍ୟ ପ୍ରମେୟ




