ଛାତ୍ରୀଛାତ୍ରଙ୍କୁ ଜଳଖିଆ ପରଷିଲେ, ନିଜେ ବି ଖାଇଲେ ସିଏମ ବିଜୟ; ଭିଡିଓ ଭାଇରାଲ

ଚେନ୍ନାଇ,୨୨।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ମଙ୍ଗଳବାର (ସେପ୍ଟେମ୍ବର ୨୨) ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଜଳଖିଆ ଯୋଜନାର ସମ୍ପ୍ରସାରଣ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ ଚେନ୍ନାଇର ଏକ ସ୍କୁଲରେ ପହଞ୍ଚି ଛାତ୍ରୀଛାତ୍ରଙ୍କୁ ନିଜେ ଜଳଖିଆ ପରଷିବା ସହ ସେମାନଙ୍କ ସହ ବସି ଖାଇଥିଲେ।
ସୂଚନା ଅନୁସାରେ, ଏହି ଯୋଜନାର ସମ୍ପ୍ରସାରଣ ଫଳରେ ତାମିଲନାଡୁର ୧୫,୪୫୪ଟି ସରକାରୀ ଓ ସରକାରୀ ସହାୟତାପ୍ରାପ୍ତ ସ୍କୁଲର ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ୁଥିବା ପ୍ରାୟ ୧୫.୩୦ ଲକ୍ଷ ଅତିରିକ୍ତ ଛାତ୍ରୀଛାତ୍ର ଉପକୃତ ହେବେ।
ଯୋଜନାର ଶୁଭାରମ୍ଭ ଅବସରରେ ସିଏମ ବିଜୟ ସ୍କୁଲରେ ଛାତ୍ରୀଛାତ୍ରଙ୍କୁ ଜଳଖିଆ ପରଷିଥିଲେ। ପରେ ସେମାନଙ୍କ ସହ ନିଜେ ଜଳଖିଆ ଖାଇବା ସହ କ୍ଲାସରୁମ ପରିଦର୍ଶନ କରିଥିଲେ। ଏହି ସମୟରେ ସେ ଛାତ୍ରୀଛାତ୍ରଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ବିଷୟରେ ମଧ୍ୟ ପଚାରି ବୁଝିଥିଲେ।
ତାମିଲନାଡୁର ସମଗ୍ର ରାଜ୍ୟରେ ଏହି ଯୋଜନା ଲାଗୁ କରାଯାଇଛି। ଜୋସେଫ ବିଜୟ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ଯୋଜନାର ନାମ ପରିବର୍ତ୍ତନ କରି ‘ପେରୁନ୍ଥଲୈଭର କାମରାଜ ବ୍ରେକଫାଷ୍ଟ ଯୋଜନା’ ରଖାଯାଇଥିବା କୁହାଯାଇଛି। ତାମିଲନାଡୁର ପୂର୍ବତନ ମୁଖ୍ୟମନ୍ତ୍ରୀ କାମରାଜଙ୍କ ସମ୍ମାନରେ ଏହି ନାମ ରଖାଯାଇଛି।
ପୂର୍ବରୁ ଏହି ଯୋଜନା କେବଳ ସରକାରୀ ସ୍କୁଲର ପ୍ରାଥମିକ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ଲାଗୁ ଥିଲା। ଏବେ ଏହାକୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବଢ଼ାଇ ଦିଆଯାଇଛି। ଏହାଦ୍ୱାରା ବିଶେଷକରି ଆର୍ଥିକ ଦୁର୍ବଳ ପରିବାରର ଅନେକ ପିଲା ଉପକୃତ ହେବେ।
ସୌଜନ୍ୟ ଧରିତ୍ରୀ




