Bus Fire: ଯମୁନା ଏକ୍ସପ୍ରେସ୍ୱେରେ ଭୟଙ୍କର ଅଗ୍ନିକାଣ୍ଡ, ସ୍ଲିପର ବସ୍ ପାଲଟିଲା ଜୁଇର ପିଣ୍ଡ, ୯ ଯାତ୍ରୀ ଜୀବନ୍ତ ଦଗ୍ଧ

ଲକ୍ଷ୍ନୌ, ୨୪/୦୯: ଜଳିଗଲା ବସ୍ , ଜଳିଗଲେ ୯ ଯାତ୍ରୀ । ବସ୍ ଭିତରେ ଜୀବନ୍ତ ଦଗ୍ଧ । ଉତ୍ତର ପ୍ରଦେଶର ଗ୍ରେଟର ନୋଏଡ଼ା ଅଞ୍ଚଳରୁ ଆସିବ ଭୟଙ୍କର ଚିତ୍ର । ଯମୁନା ଏକ୍ସପ୍ରେସୱେରେ ଗୁରୁବାର ରାତି ସାଢ଼େ ୧୧ଟାରେ ଅତ୍ୟନ୍ତ ଦୁଃଖଦ ଓ ଭୟଙ୍କର ଦୁର୍ଘଟଣା ଘଟିଯାଇଛି। ଦିଲ୍ଲୀରୁ ମହୋବା ଅଭିମୁଖେ ଯାଉଥିବା ଏକ ଡବଲ ଡେକର ସ୍ଲିପର ବସରେ ଅଚାନକ ନିଆଁ ଲାଗିଯାଇଥିଲା । ଏଥିରେ ୯ଜଣ ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇପ୍ରାଣ ହରାଇଛନ୍ତି ।
ବସଟି ଯମୁନା ଏକ୍ସପ୍ରେସୱେ ଦେଇ ଯାଉଥିବା ସମୟରେ ଅଚାନକ କୌଣସି କାରଣରୁ ନିଆଁ ଲାଗିଯାଇଥିଲା। ବସରେ ସେହି ସମୟରେ ପ୍ରାୟ ୫୦ ଜଣ ଯାତ୍ରୀ ଥିଲେ। ଗାଡ଼ି ଭିତରୁ ଧୂଆଁ ବାହାରିବା ମାତ୍ରେ ଡ୍ରାଇଭର ସାବଧାନତା ଅବଲମ୍ବନ କରି ବସକୁ ରାସ୍ତା କଡ଼ରେ ରଖିଦେଇଥିଲେ। ତେବେ ନିଆଁ ଅତି ଦ୍ରୁତ ଗତିରେ ବ୍ୟାପିଯିବାରୁ ବସ ଭିତରେ ଆତଙ୍କ ଖେଳିଯାଇଥିଲା। କେତେକ ଯାତ୍ରୀ କାଚ ଭାଙ୍ଗି ଓ ଝରକାରୁ ଡେଇଁ ନିଜ ଜୀବନ ବଞ୍ଚାଇବାରେ ସଫଳ ହୋଇଥିଲେ। ମାତ୍ର ନିଆଁର ପ୍ରକୋପ ଏତେ ପ୍ରବଳ ଥିଲା ଯେ କିଛି ଯାତ୍ରୀ ଗାଡ଼ି ଭିତରୁ ବାହାରି ନପାରି ଭିତରେ ହିଁ ଫସି ରହିଯାଇଥିଲେ।
ଏହି ଭୀଷଣ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୯ ଜଣ ଯାତ୍ରୀଙ୍କ ମଧ୍ୟରେ ମହିଳା, ବୃଦ୍ଧ ଓ ଜଣେ ଦିବ୍ୟାଙ୍ଗ ଶିଶୁ ସାମିଲ ଅଛନ୍ତି । ଘଟଣାସ୍ଥଳରେ ସ୍ଥାନୀୟ ପୋଲିସ, ଯମୁନା ଏକ୍ସପ୍ରେସୱେ ସୁରକ୍ଷା କର୍ମୀ ଓ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଆହତ ଯାତ୍ରୀମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ନିକଟସ୍ଥ କୈଲାଶ ହସ୍ପିଟାଲରେ ଭର୍ତ୍ତି କରାଯାଇଛି, ଯେଉଁଥିରୁ କେତେକଙ୍କ ଅବସ୍ଥା ଗୁରୁତର ରହିଛି। ପୋଲିସ ଘଟଣାର ତଦନ୍ତ କରୁଛି ।
ସୌଜନ୍ୟ ପ୍ରମେୟ




