Academic pressure : ଆଇଆଇଟି କ୍ୟାମ୍ପସରେ ଗମ୍ଭୀର ସଙ୍କଟ, ୨୦ ବର୍ଷରେ ୧୭୧ ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟା

ନୂଆଦିଲ୍ଲୀ, ୨୪/୯ : ଦେଶର ପ୍ରମୁଖ ବୈଷୟିକ ଶିକ୍ଷାନୁଷ୍ଠାନ ଆଇଆଇଟି ଗୁଡି଼କ ସଂପର୍କରେ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ଏକ ପୂର୍ବତନ ଛାତ୍ର ସଙ୍ଗଠନ ଦ୍ୱାରା ସଙ୍କଳିତ ତଥ୍ୟ ଅନୁସାରେ, ୨୦୦୬-୨୦୨୬ ମଧ୍ୟରେ ଅର୍ଥାତ୍ ବିଗତ ୨୦ ବର୍ଷ ମଧ୍ୟରେ ୧୭୧ଜଣ ଆଇଆଇଟି ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ସବୁଠୁ ଉଦ୍ବେଗଜନକ କଥା ହେଲା ଏଥିମଧ୍ୟରୁ ୭୦ ପ୍ରତିଶତ ମୃତ୍ୟୁ ଗତ ଦଶନ୍ଧିରେ ହିଁ ରେକର୍ଡ କରାଯାଇଛି । ଏହି ତଥ୍ୟ ଆଇଆଇଟି ପରିସରରେ ଲଗାତର ବଢ଼ୁଥିବା ମାନସିକ ଚାପ ଆଡ଼କୁ ଇଙ୍ଗିତ କରୁଥିବା ସଙ୍ଗଠନ ଦର୍ଶାଇଛି ।
ଗ୍ଲୋବାଲ ଆଇଆଇଟି ଆଲୁମିନି ସପୋର୍ଟ ଗ୍ରୁପ୍ର ସଂସ୍ଥାପକ ଏବଂ ଆଇଆଇଟି କାନପୁରର ପୂର୍ବତନ ଛାତ୍ର ଧୀରଜ ସିଂହଙ୍କ ଦ୍ୱାରା ସଙ୍କଳିତ ତଥ୍ୟ ଅନୁସାରେ, ୨୦୦୬-୨୦୧୫ ମଧ୍ୟରେ ଦେଶର ବିଭିନ୍ନ ଆଇଆଇଟିରେ ୫୧ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଥିଲେ । କିନ୍ତୁ ୨୦୧୬-ସେପ୍ଟେମ୍ବର ୨୦୨୬ ମଧ୍ୟରେ ଏହି ସଂଖ୍ୟା ବଢ଼ି ୧୨୦ ହୋଇଯାଇଛି । ଏଥିମଧ୍ୟରୁ ୮୨ ପ୍ରତିଶତ ଆତ୍ମହତ୍ୟା ଆଇଆଇଟି ପରିସରରେ ହୋଇଥିବା ଜଣାପଡି଼ଛି । ପରୀକ୍ଷା ଏବଂ ଫଳାଫଳ ଘୋଷିତ ହେବା ସମୟରେ ସର୍ବାଧିକ ଆତ୍ମହତ୍ୟା ମାମଲା ରେକର୍ଡ ହୋଇଛି । ସେହିପରି ଆଇଆଇଟି ଖଡଗପୁର, ମାଡ୍ରାସ ଏବଂ କାନପୁରରୁ ସର୍ବାଧିକ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଥିବା ସଙ୍ଗଠନ ଦର୍ଶାଇଛି ।
ସୌଜନ୍ୟ ପ୍ରମେୟ




