Cannabis trafficking: ଇ-କମର୍ସ ଜରିଆରେ ଗଞ୍ଜେଇ କାରବାର: ୫ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
ଗଞ୍ଜେଇ ମାଫିଆମାନେ ଏବେ ଇ-କମର୍ସ ଜରିଆରେ କାରବାର କରିବାର ନୂଆ ତରିକା ଆପଣାଇଛନ୍ତି। ବଲାଙ୍ଗୀରରେ କିଛିଦିନ ତଳେ ଆମାଜନ ଯୋଗେ ଗଞ୍ଜେଇ ଚାଲାଣ କରାଯିବାବେଳେ ୧ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା।

ଭବାନୀପାଟଣା: ଗଞ୍ଜେଇ ମାଫିଆମାନେ ଏବେ ଇ-କମର୍ସ ଜରିଆରେ କାରବାର କରିବାର ନୂଆ ତରିକା ଆପଣାଇଛନ୍ତି। ବଲାଙ୍ଗୀରରେ କିଛିଦିନ ତଳେ ଆମାଜନ ଯୋଗେ ଗଞ୍ଜେଇ ଚାଲାଣ କରାଯିବାବେଳେ ୧ କ୍ବିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ ହୋଇଥିଲା। ଆଜି ଭବାନୀପାଟଣାରେ ସେଫ୍ ଏକ୍ସପ୍ରେସ କୋରିଅର ମାଧ୍ୟମରେ ୫ କ୍ବିଣ୍ଟାଲ ଗଞ୍ଜେଇ ଜବତ କରାଯିବା ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଅବକାରୀ ବିଭାଗର ସୂଚନା ମୁତାବକ କଳାହାଣ୍ଡିଜିଲ୍ଲା ଭବାନୀପାଟଣାରୁ ସେଫ୍ ଏକ୍ସପ୍ରେସ କୋରିଅର ଜରିଆରେ ୫ କ୍ବିଣ୍ଟାଲ ଗଞ୍ଜେଇ ମାଛପ୍ୟାକିଂ ଡବାରେ ଭର୍ତ୍ତି କରାଯାଇ ଉତ୍ତରପ୍ରଦେଶ ବୁଲନ୍ଦସହର ଜିଲ୍ଲା ଖୁର୍ଜା ଅତିରିକ୍ତ ଜିଲ୍ଲା ଜଜ୍ଙ୍କ ଠିକଣାରେ ପଠାଯାଉଥିଲା।
ଏ ସଂପର୍କରେ ସୂଚନା ପାଇ ଭବାନୀପାଟଣା ଅବକାରୀ ବିଭାଗ ସେଫ୍ ଏକ୍ସପ୍ରେସ କୋରିଅର ଗୋଦାମରେ ଚଢ଼ଉ କରିବାବେଳେ ୨୫ ବସ୍ତା ଗଞ୍ଜେଇ ପ୍ୟାକିଂ ହୋଇଥିବା ଦେଖିବାକୁ ମିଳିଥିଲା। ପ୍ରତି ବସ୍ତାରେ ୨୦ କେଜି ହିସାବରେ ୫ ଶହ କେଜି ଗଞ୍ଜେଇ ମାଛପ୍ୟାକିଂ ଡବାରେ ଭର୍ତ୍ତି ହୋଇ ରଖାଯାଇଥିଲା। ଅତିରିକ୍ତ ଅବକାରୀ ଅଧୀକ୍ଷକ ସାଗରିକା ପ୍ରଧାନଙ୍କ ନେତୃତ୍ବରେ ମୋବାଇଲ ସ୍କ୍ବାଡ୍ ଇନ୍ସପେକ୍ଟର ରାମଜୀ ପଟେଲ, ଭବାନୀପାଟଣା ଅଫିସର ଇନ୍ଚାର୍ଜ ପ୍ରିୟକାନ୍ତ ନାଏକ, ଏସ୍ଆଇ ପଙ୍କଜ ନାଏକଙ୍କ ନେତୃତ୍ବରେ ଏକ ଟିମ୍ ଚଢ଼ଉ କରିଥିଲେ। ଏହି ଘଟଣାରେ ଗୋଦାମର ମୁଖ୍ୟ ମ୍ୟାନେଜର ୟୁପି ରାଏବରେଲି ଜିଲ୍ଲାର ସତ୍ୟେନ୍ଦ୍ର ପାଣ୍ଡେ (୩୦)ଙ୍କୁ ଅବକାରୀ ବିଭାଗ ଗିରଫ କରି ଅଧିକ ତଦନ୍ତ ଜାରି ରଖିଛି।
ସୌଜନ୍ୟ ସମ୍ବାଦ




