ରାଜ୍ୟ

Chief Minister: ବନ୍ୟା ବିଭୀଷିକା ଦେଖିଲେ ମୁଖ୍ୟମନ୍ତ୍ରୀ: କୋଟପାଡ଼ ଓ ନବରଙ୍ଗପୁର ସ୍ଥିତି ଅନୁଧ୍ୟାନ, ବିପନ୍ନଙ୍କୁ ମିଳିଲା ସହାୟତା ପ୍ରତିଶ୍ରୁତି

କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ଅବପାତ। ବର୍ଷା କମିବା ସତ୍ତ୍ବେ ଜଳବନ୍ଦି ଅଞ୍ଚଳରେ ପାଣି କମୁନାହିଁ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟାଞ୍ଚଳ ପରିଦର୍ଶନ କରି ବିପନ୍ନଙ୍କ ପୀଡ଼ା ଶୁଣିଛନ୍ତି।

କୋରାପୁଟ/କୋଟପାଡ଼/ନବରଙ୍ଗପୁର: କୋରାପୁଟ ଓ ନବରଙ୍ଗପୁର ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଛି ଅବପାତ। ବର୍ଷା କମିବା ସତ୍ତ୍ବେ ଜଳବନ୍ଦି ଅଞ୍ଚଳରେ ପାଣି କମୁନାହିଁ। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବନ୍ୟାଞ୍ଚଳ ପରିଦର୍ଶନ କରି ବିପନ୍ନଙ୍କ ପୀଡ଼ା ଶୁଣିଛନ୍ତି। ସହାୟତାର ଭରସା ଦେଇଛନ୍ତି। ରବିବାର ମଧ୍ୟାହ୍ନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଜୟପୁର ଏୟାରପୋର୍ଟରେ ଅବତରଣ କରି ସଡ଼କ ପଥରେ କୋଟପାଡ଼ ବ୍ଲକର ବନ୍ୟା ପ୍ରଭାବିତ ଅଞ୍ଚଳକୁ ଯାଇଥିଲେ। ବୋଟ୍‌ରେ ପ୍ରାୟ ୪କିମି ଜଳବନ୍ଦି ଅଞ୍ଚଳ ପରିଦର୍ଶନ କରିବା ପରେ ପିରିଞ୍ଚି ଗାଁ‌ର ବିପନ୍ନଙ୍କୁ ଭେଟିଥିଲେ। ଏହି ଅଞ୍ଚଳ ବାରମ୍ବାର ବନ୍ୟାର ସମ୍ମୁଖୀନ ହେଉଥିବା ବେଳେ ଯୋଗାଯୋଗ ବିଚ୍ଛିନ୍ନ ହେଉଛି। ତେଣୁ ଉଚ୍ଚା ପୋଲ ଏବଂ ଉଚ୍ଚସ୍ଥାନରେ ଆଶ୍ରୟସ୍ଥଳୀ ନିର୍ମାଣ କରିବାକୁ ଗ୍ରାମବାସୀ ନିବେଦନ କରିଥିଲେ। ଏହାପରେ ଚାନ୍ଦିଲି ଆଶ୍ରୟସ୍ଥଳରେ ବିପନ୍ନ ପରିବାରଙ୍କ ସହ ସିଧାସଳଖ ଆଲୋଚନା କରି ସେମାନଙ୍କ ସମସ୍ୟା, ଆବଶ୍ୟକତା ଓ ପ୍ରଶାସନ ପକ୍ଷରୁ ମିଳୁଥିବା ସହାୟତା ବିଷୟରେ ପଚାରି ବୁଝିଥିଲେ। ଗୁହାରି ଶୁଣିବା ପାଇଁ ଖୋଦ ସରକାର ତୁମ ପାଖକୁ ଆସିଛନ୍ତି। ବନ୍ୟାରେ ଯାହା କିଛି କ୍ଷୟକ୍ଷତି ହୋଇଛି ତାହାର ଆକଳନ କରାଯିବ। ତୁରନ୍ତ କ୍ଷତିପୂରଣ ମିଳିବ ଏବଂ ସମ୍ପୂର୍ଣ୍ଣ ଘର କ୍ଷତିଗ୍ରସ୍ତ ହୋଇଥିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନୂଆ ଘର ଦିଆଯିବ। ଆଂଶିକ କ୍ଷତିଗ୍ରସ୍ତଙ୍କୁ ମରାମତି ପାଇଁ ଆର୍ଥିକ ସହାୟତା ଦିଆଯିବ। ପାଣି ପୂରା କମିଲେ ଲୋକେ ଘରକୁ ଫେରିବେ। ସେତିକି ଦିନ ପର୍ଯ୍ୟନ୍ତ ଆଶ୍ରୟସ୍ଥଳରେ ରହିବେ। ଘରକୁ ଫେରିବା ସମୟରେ ୧୫ ଦିନ ପାଇଁ ମାଗଣା ଚାଉଳ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ବାସନା ଦେଇଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button