Minor Student Harassment Case: ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ମାମଲା: ୬୯ ବର୍ଷୀୟ ଟ୍ୟୁସନ୍ ଶିକ୍ଷକଙ୍କୁ ୩ ବର୍ଷ ଜେଲ୍
ଭୁବନେଶ୍ୱରରେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ୬୯ ବର୍ଷୀୟ ଅବସରପ୍ରାପ୍ତ ଶିକ୍ଷକଙ୍କୁ ୩ ବର୍ଷ ସଶ୍ରମ ଜେଲ୍ ଓ ୧୦ ହଜାର ଟଙ୍କା ଜରିମାନା।

ଭୁବନେଶ୍ୱର: ୩ ବର୍ଷ ପୂର୍ବେ ଜଣେ ନାବାଳିକା ଛାତ୍ରୀଙ୍କୁ ଅସଦାଚରଣ ମାମଲାରେ ରାୟ ପ୍ରକାଶ ପାଇଛି। ଆଡହକ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଏଫ୍ଟିଏସ୍ସି-୨ (ପୋକ୍ସୋ) କୋର୍ଟ ବିଚାରପତି ଜ୍ଞାନ ରଞ୍ଜନ ମହାନ୍ତି ମାମଲାର ବିଚାର କରି ଜଣେ ଅବସରପ୍ରାପ୍ତ ଶିକ୍ଷକ ତଥା ଅଭିଯୁକ୍ତ ଟ୍ୟୁସନ ସାରଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ୩ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସେ ହେଲେ ଲିଙ୍ଗରାଜ ଥାନା ପୁରୁଣା ଭୁବନେଶ୍ବର ଅଞ୍ଚଳର କେଳୁ ଚରଣ ପାଣି(୬୯)।
କାରାଦଣ୍ଡ ସହ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ମଧ୍ୟ କରାଯାଇଛି। ଜରିମାନା ଅନାଦାୟ ହେଲେ ଅଧିକ ୧ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ହେବ ବୋଲି ରାୟରେ ଉଲ୍ଲେଖ ରହିଛି।
ମାମଲାର ବିବରଣୀ ମୁତାବକ, ୧୪ ବର୍ଷୀୟା ଦଶମ ଶ୍ରେଣୀ ଛାତ୍ରୀ ପୁରୁଣା ଭୁବନେଶ୍ବରସ୍ଥିତ କେଳୁଚରଣଙ୍କ ଘରକୁ ଇଂରାଜୀ ଟ୍ୟୁସନ ପଢ଼ିବାକୁ ଯାଉଥିଲେ। ତେବେ ଗତ ୨୦୨୩ ମସିହା ସେପ୍ଟେମ୍ବର ୩ ତାରିଖ ସକାଳେ ଅନ୍ୟ ଛାତ୍ରଛାତ୍ରୀ ଟ୍ୟୁସନରୁ ଚାଲିଯିବା ପରେ ଛାତ୍ରୀଜଣକ ଏକୁଟିଆ ନୋଟ୍ସ ଲେଖୁଥିଲେ। ଏହି ସମୟରେ ସୁଯୋଗ ପାଇ କେଳୁ ତାଙ୍କ ସହ ଅସଦାଚରଣ କରିଥିଲେ। ଛାତ୍ରୀ ଏହାର ବିରୋଧ କରି ସେଠାରୁ ଯିବାକୁ ଉଦ୍ୟମ କରିବାରୁ ଅଭିଯୁକ୍ତ ତାଙ୍କ ହାତ ଧରି ଅଟକାଇବା ସହ ଘଟଣା ସମ୍ପର୍କରେ କାହାକୁ ନକହିବା ପାଇଁ ଧମକ ଦେଇଥିଲେ। ପରେ ଛାତ୍ରୀ ଘରକୁ ଫେରି ଘଟଣା ସମ୍ପର୍କରେ ପରିବାରଲୋକଙ୍କୁ ଜଣାଇଥିଲେ।
ସୌଜନ୍ୟ ସମ୍ବାଦ




