ରାଜ୍ୟ

Clean-Up Drive : ଝାଡ଼ୁ ଧରି ଖଣ୍ଡଗିରିରୁ ମୋହନଙ୍କ ବଡ଼ ବାର୍ତ୍ତା, ସ୍ଵଚ୍ଛତାରେ ନବମରୁ ପ୍ରଥମ ହେବ ଭୁବନେଶ୍ୱର

ଭୁବନେଶ୍ଵର, ୧୦/୧ : ଐତିହାସିକ ଖଣ୍ଡଗିରି-ଉଦୟଗିରି ଠାରେ ଆଜି ସକାଳ ୮ଟାରେ ‘ସ୍ୱଚ୍ଛତା ହିଁ ସେବା’ ମାସିଭ୍ ଡ୍ରାଇଭ୍ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଛନ୍ତି । ଝାଡ଼ୁ ଧରି ଅଳିଆ ସଫା କରିଛନ୍ତି । ତାଙ୍କ ସହ ଶତାଧିକ ସଫେଇ କର୍ମୀ ଓ ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ବଡ଼ ବାର୍ତ୍ତା ଦେଇଛନ୍ତି । ସେ କହିଛନ୍ତି ଯେ, “ମହାତ୍ମା ଗାନ୍ଧୀ କହୁଥିଲେ, ସ୍ୱାଧୀନତା ଠାରୁ ମଧ୍ୟ ସ୍ୱଚ୍ଛତା ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହା ଥିଲା ଗାନ୍ଧିଜୀଙ୍କ ସ୍ୱପ୍ନ । ସେହି ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ୱଚ୍ଛ ଭାରତ ମିଶନକୁ ସବୁଠୁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି । ଏହା ଏକ ଅଭିନବ ଉଦ୍ୟମ ।”

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ପୂର୍ବ ଅପେକ୍ଷା ଭୁବନେଶ୍ୱର ଏବେ ଅଧିକ ସ୍ୱଚ୍ଛ ଓ ସୁନ୍ଦର ହୋଇପାରିଛି । ଏହାର ସମ୍ପୂର୍ଣ୍ଣ ଶ୍ରେୟ ଆମର ସଫେଇ ମିତ୍ରମାନଙ୍କୁ ଯାଏ । ସେମାନେ ଦିନରାତି ପରିଶ୍ରମ କରି ସହରକୁ ସଫା ରଖୁଛନ୍ତି । ଏଥିସହ ଗୃହ ଓ ନଗର ଉନ୍ନୟନ ବିଭାଗ ଏବଂ ଭୁବନେଶ୍ୱର ମହାନଗର ନିଗମ (BMC) କୁ ମଧ୍ୟ ସେ ଧନ୍ୟବାଦ ଜଣାଇଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ବଡ଼ ଖୁସି ଖବର ଦେଇଛନ୍ତି । ଦେଶର ୫୦ଟି ମଡେଲ୍ ସାନିଟେସନ ସିଟି ତାଲିକାରେ ଓଡ଼ିଶାର ଭୁବନେଶ୍ୱର ଓ ପୁରୀ ସହର ସ୍ଥାନ ପାଇଛନ୍ତି । ମଞ୍ଚରେ ଭୁବନେଶ୍ୱର ଓ ପୁରୀର ସଫେଇ ମିତ୍ରଙ୍କୁ ସମ୍ମାନିତ କରି ସେମାନଙ୍କ ସାମାଜିକ ସୁରକ୍ଷା ପାଇଁ ସରକାର ସବୁବେଳେ ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button