Orangutan: ବହୁତ ଶୀଘ୍ର ନନ୍ଦନକାନନରେ ଓରାଙ୍ଗଉଟାନଙ୍କୁ ଦେଖିପାରିବେ ପର୍ଯ୍ୟଟକ, ଖୁସି ଖବର ଦେଲେ ଉପମୁଖ୍ୟମନ୍ତ୍ରୀ

ବାରଙ୍ଗ,୦୧/୧୦: ପର୍ଯ୍ୟଟକମାନଙ୍କ ପାଇଁ ଖୁସିଖବର । ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁବ୍ଶୀଘ୍ର ପର୍ଯ୍ୟଟକମାନେ ଓରାଙ୍ଗଉଟାନଙ୍କୁ ଦେଖିବାର ସୁଯୋଗ ପାଇବେ । ବୁଧବାର ନନ୍ଦନକାନନ ପରିଦର୍ଶନରେ ଆସିବା ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇଛନ୍ତି । ଗୁରୁବାର ସନ୍ଧ୍ୟାରେ ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ାଙ୍କ ସହିତ ଜଙ୍ଗଲ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଏବଂ ପିସିସିଏଫ୍ ପ୍ରେମ କୁମାର ଝା ନନ୍ଦନକାନନ ପ୍ରାଣୀଉଦ୍ୟାନ ପରିଦର୍ଶନ କରିଥିଲେ । ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ଉଦ୍ଧାର ହୋଇ ଆସିଥିବା ୫ ଓରାଙ୍ଗଉଟାନ ଶାବକଙ୍କ ସ୍ୱାସ୍ଥ୍ୟ ଓ ସେବାଯତ୍ନ କାର୍ଯ୍ୟ ସମୀକ୍ଷା କରିଥିଲେ । ସେମାନଙ୍କ ହାବଭାବ ଓ ଖାଦ୍ୟପେୟ କ’ଣ ରହିଛି ପଚାରି ବୁଝିଥିଲେ । ବହୁତ ଶୀଘ୍ର ପର୍ଯ୍ୟଟକମାନେ ସେମାନଙ୍କୁ ଦେଖିପାରିବେ ବୋଲି ଶ୍ରୀମତୀ ପରିଡ଼ା ସାମ୍ବାଦିକ ସମ୍ମିଳନୀରେ କହିଥିଲେ ।
ସୂଚନାଯୋଗ୍ୟ, ନନ୍ଦନକାନନ ପ୍ରାଣୀଉଦ୍ୟାନକୁ ଗତ ୮ ତାରିଖରେ ବାଲେଶ୍ୱରରୁ ଉଦ୍ଧାର ହୋଇ ୫ଟି ଓରାଙ୍ଗଉଟାନ ଶାବକ ଆସିଥିଲେ । ସେମାନଙ୍କୁ ପ୍ରାଣୀ ଚିକିତ୍ସାଳୟ ନିକଟ ଶିଶୁ ଯତ୍ନ ଗୃହ କ୍ୱାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଛି । ପାଉଡ଼ର କ୍ଷୀର ପ୍ରତି ଦୁଇଘଣ୍ଟା ଅନ୍ତରରେ ଖାଇବାକୁ ଦିଆଯାଉଥିଲା । ଡାକ୍ତରମାନେ ୨୪ ଘଣ୍ଟିଆ ନଜରରେ ରଖିଥିଲେ । ଏହି ଶାବକମାନଙ୍କଠାରେ ରକ୍ତହୀନତା ଦେଖାଦେଇଥିଲା । ତେଣୁ ସେମାନଙ୍କର ଭଲ ଚିକିତ୍ସା ପାଇଁ ପିସିସିଏଫଙ୍କ ଦ୍ୱାରା ଏକ ବୈଷୟିକ କମିଟି ଗଢ଼ାଯାଇଥିଲା । କମିଟିରେ ଥିବା ବିଶେଷଜ୍ଞ ଡାକ୍ତରମାନେ ଚିକିତ୍ସା ଆରମ୍ଭ କରିଥିଲେ । ସେମାନଙ୍କ ପାଇଁ କଣ୍ଢେଇ, ଦୋଳିର ବ୍ୟବସ୍ଥା କରାଯଇଥିଲା । ଧୀରେ ଧୀରେ ସେମାନେ ସୁସ୍ଥ ହେବାକୁ ଲାଗିଲେ।
ସୌଜନ୍ୟ ପ୍ରମେୟ




