ରାଜ୍ୟ

Former Naxals Education ; ଶିକ୍ଷା ନୂଆ ଯୁଦ୍ଧକ୍ଷେତ୍ର, ଅସ୍ତ୍ର କଲମ, ବସ୍ତରର ୮ ପୂର୍ବ ମାଓବାଦୀ କଲେ ଦଶମ ପାସ୍‌

  • ନର୍ସିଂ ପଢ଼ିବେ ୩୫ବର୍ଷୀୟା ଗୀତା
  • ବି.ଟେକ୍ କରିବାକୁଚାହାନ୍ତି ଅରବିନ୍ଦା
  • ଉଚ୍ଚଶିକ୍ଷା ପାଇଁ ମନବଳାଇଛନ୍ତି ସାନୁ

ରାୟପୁର,୧/୧୦ : ଦିନ ଥିଲା ବନ୍ଧୁକ ଧରି ଜଙ୍ଗଲ ଓ ଏହାର ଆଖପାଖ ଅଞ୍ଚଳରେ ଘୂରି ବୁଲୁଥିଲେ । ସମାଜର ମୁଖ୍ୟସ୍ରୋତରୁ ନିଜକୁ ବହୁ ଦୂରରେ ରଖୁଥିଲେ । ଆଇନ ବିରୋଧରେ ଯାଇ ବିଭିନ୍ନ ଅପରାଧ ଘଟାଉଥିଲେ । ହେଲେ ଏବେ ସେମାନଙ୍କ ଜୀବନ ବଦଳି ଯାଇଛି । ମାଓବାଦୀରୁ ବନିଛନ୍ତି ସାଧାରଣ ମଣିଷ । ଶିକ୍ଷା ସେମାନଙ୍କର ନୂଆ ଯୁଦ୍ଧ କ୍ଷେତ୍ର ପାଲଟିଛି । ଆଉ ଅସ୍ତ୍ର ସାଜିଛି କଲମ । ଏହା ହେଉଛି ୮ ଜଣ ପୂର୍ବତନ ମାଓବାଦୀଙ୍କ କାହାଣୀ । ଆତ୍ମସମର୍ପଣ ନିଷ୍ପତ୍ତି ଆଜି ସେମାନଙ୍କ ଜୀବନ ବଦଳାଇ ଦେଇଛି । ପାଠ ପଢ଼ି ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେବା ପରେ ଏବେ ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ସ୍ୱପ୍ନ ଦେଖିବା ଆରମ୍ଭ କରିଛନ୍ତି । ଛତିଶଗଡ଼ ବସ୍ତର ଡିଭିଜନର ଏହି ୮ ଜଣ ପୂର୍ବତନ ମାଓବାଦୀ ଛତିଶଗଡ଼ ଓପନ୍ ସ୍କୁଲ୍ ମାଧ୍ୟମରେ ଦଶମ ଶ୍ରେଣୀ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ବର୍ଷ ବର୍ଷର ହିଂସାତ୍ମକ କାର୍ଯ୍ୟକଳାପ ଛାଡ଼ି ଶିକ୍ଷା ଓ ସମାଜର ମୁଖ୍ୟସ୍ରୋତକୁ ଫେରିବା ଦିଗରେ ଏହା ସେମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କୁହାଯାଉଛି ।

ଏମାନଙ୍କ ମଧ୍ୟରେ ମାଓବାଦୀ ସଙ୍ଗଠନର ପୂର୍ବତନ ଲଢ଼ୁଆ ସ୍କ୍ୱାଡ ଓ ସାଂଗଠନିକ ୟୁନିଟର ପୂର୍ବ ସଦସ୍ୟମାନେ ଅଛନ୍ତି । ସେମାନଙ୍କ ମଧ୍ୟରେ ଦଣ୍ଡକାରଣ୍ୟ ସ୍ପେସାଲ ଜୋନାଲ କମିଟିର ପୂର୍ବତନ ସଦସ୍ୟ ଭାସ୍କର ବି ଅନ୍ତର୍ଭୁକ୍ତ, ଯେ କି ପ୍ରଥମ ଶ୍ରେଣୀରେ ଦଶମ ପାସ୍ କରିଛନ୍ତି । ଏହି ୮ ଜଣ ଚଳିତ ବର୍ଷ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ ଏବଂ ସମସ୍ତେ ପ୍ରଥମ ପ୍ରୟାସରେ ହିଁ ସଫଳତା ହାସଲ କରିଛନ୍ତି । ବସ୍ତର ଆଇଜି ବଦ୍ରିନାରାୟଣ ମୀନାଙ୍କ ଅନୁସାରେ, ଏହି ପଦକ୍ଷେପ ଆତ୍ମସମର୍ପଣ କରିଥିବା ନକ୍ସଲମାନଙ୍କ ପୁନର୍ବାସ ପ୍ରକ୍ରିୟାର ଏକ ଅଂଶ, ଯାହା ଅଧୀନରେ ସେମାନଙ୍କ ପସନ୍ଦ ଓ ଦକ୍ଷତା ଆଧାରରେ ଶିକ୍ଷା, ଧନ୍ଦାମୂଳକ ତାଲିମ ଏବଂ ରୋଜଗାର ପାଇଁ ଉତ୍ସାହିତ କରାଯାଉଛି । ଏମାନଙ୍କ ମଧ୍ୟରେ ୬ ଜଣ ବସ୍ତର ଜିଲ୍ଲାର ହୋଇଥିବା ବେଳେ କାଙ୍କେର ଓ ବିଜାପୁରରୁ ଜଣେ ଲେଖାଏଁ ଅଛନ୍ତି । ପୁଲିସ ଅଧିକାରୀମାନେ କହିଛନ୍ତି ଯେ ଯେଉଁମାନେ ଆଗକୁ ପଢ଼ିବାକୁ ଚାହିଁବେ, ସେମାନଙ୍କୁ ସବୁ ପ୍ରକାର ସହାୟତା ଯୋଗାଇ ଦିଆଯିବ ।

 

 

 

 

 

ସୌଜନ୍ୟ ପ୍ରମେୟ

Show More

Leave a Reply

Your email address will not be published. Required fields are marked *

Back to top button