Landslides: କୁମାୟୁଁ ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ: ଆଖି ଆଗରେ ଧସିଲା ପାହାଡ଼, ଭିଡିଓ ଭାଇରାଲ୍
ଉତ୍ତରାଖଣ୍ଡର କୁମାୟୁଁ ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ ଘଟିଛି। ଏଥିରେ ପାହାଡ଼ର ଏକ ବିଶାଳ ଅଂଶ ହଠାତ୍ ଧସି ତଳକୁ ଖସିପଡ଼ିଛି। ଏହି ଘଟଣାର ଦୃଶ୍ୟ ଏକ ଭିଡିଓରେ କଏଦ ହୋଇଥିବା ବେଳେ ତାହା ଏବେ ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବେ ପ୍ରସାରିତ ହେଉଛି।

କୁମାୟୁଁ: ଉତ୍ତରାଖଣ୍ଡର କୁମାୟୁଁ ଅଞ୍ଚଳରେ ଭୟଙ୍କର ଭୂସ୍ଖଳନ ଘଟିଛି। ଏଥିରେ ପାହାଡ଼ର ଏକ ବିଶାଳ ଅଂଶ ହଠାତ୍ ଧସି ତଳକୁ ଖସିପଡ଼ିଛି। ଏହି ଘଟଣାର ଦୃଶ୍ୟ ଏକ ଭିଡିଓରେ କଏଦ ହୋଇଥିବା ବେଳେ ତାହା ଏବେ ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବେ ପ୍ରସାରିତ ହେଉଛି। ଭିଡିଓରେ ପାହାଡ଼ର ଏକ ବଡ଼ ଅଂଶ ଭାଙ୍ଗି ମାଟି ଓ ପଥର ସହ ଦ୍ରୁତ ଗତିରେ ତଳକୁ ଖସୁଥିବା ଦେଖିବାକୁ ମିଳିଛି।
ପ୍ରସାରିତ ଭିଡିଓରେ ପାହାଡ଼ର ଉପର ଭାଗରୁ ପ୍ରଥମେ ମାଟି ଓ ପଥର ଖସିବା ଆରମ୍ଭ ହେଉଛି। ଏହାପରେ ଦେଖୁ ଦେଖୁ ପାହାଡ଼ର ଏକ ବିଶାଳ ଅଂଶ ଭୁଶୁଡ଼ି ପଡ଼ୁଛି। ବିପୁଳ ପରିମାଣର ମାଟି, ବଡ଼ ବଡ଼ ପଥର ଓ ଭଗ୍ନାବଶେଷ ପାହାଡ଼ ତଳକୁ ମାଡ଼ି ଆସୁଥିବା ଦୃଶ୍ୟ ଏଥିରେ ରହିଛି। ହଠାତ୍ ଏଭଳି ଭୂସ୍ଖଳନ ଘଟିବା ଯୋଗୁଁ ଅଞ୍ଚଳରେ ଆତଙ୍କ ଖେଳିଯାଇଛି।
କୁମାୟୁଁ ହିମାଳୟର ପାଦଦେଶରେ ଏହି ଘଟଣା ଘଟିଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ନିକଟରେ ଏହି ଅଞ୍ଚଳରେ ଲଗାତାର ପ୍ରବଳ ବର୍ଷା ହୋଇଥିବାରୁ ପାହାଡ଼ର ମାଟି ଓ ପଥର ଦୁର୍ବଳ ହୋଇ ଏଭଳି ଭୂସ୍ଖଳନ ଘଟିଥିବା କୁହାଯାଉଛି। ତେବେ ଏହି ଭୂସ୍ଖଳନ ଯୋଗୁଁ ରାସ୍ତାଘାଟ, ଜନବସତି ଓ ସମ୍ପତ୍ତିର କେତେ ପରିମାଣର କ୍ଷୟକ୍ଷତି ହୋଇଛି, ସେ ସମ୍ପର୍କରେ ସ୍ପଷ୍ଟ ତଥ୍ୟ ମିଳିନାହିଁ। ଅନ୍ୟପକ୍ଷରେ, ଉତ୍ତରାଖଣ୍ଡର ଉତ୍ତରକାଶୀ, ରୁଦ୍ରପ୍ରୟାଗ, ଚମୋଲି, ବାଗେଶ୍ୱର, ନୈନିତାଲ, ଆଲମୋଡ଼ା ଓ ପିଥୋରାଗଡ଼ ଜିଲ୍ଲା ପାଇଁ ପାଣିପାଗ ବିଭାଗ ବର୍ଷା ଓ ଘଡ଼ଘଡ଼ିର ସତର୍କ ସୂଚନା ଜାରି କରିଥିବା ରିପୋର୍ଟରେ କୁହାଯାଇଛି।
ସୌଜନ୍ୟ ସମ୍ବାଦ




