ଖେଳ

Guinness World Record: ସତ୍ୟପୀରଙ୍କ ଗିନିଜ୍‌ ବିଶ୍ୱ ରେକର୍ଡ: ୧ ମିନିଟ୍‌ରେ ୧୮୩ ପଞ୍ଚ, ଇରାନର ନମଦାର ଗିଲାନିଙ୍କ ରେକର୍ଡ ଭାଙ୍ଗିଲେ

କଳାହାଣ୍ଡି ମାଟିରୁ ଅନ୍ତର୍ଜାତୀୟ ମଞ୍ଚରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ପଞ୍ଚ ମାଷ୍ଟର୍‌ ସତ୍ୟପୀର ପଧାନ। ପଞ୍ଚ ଷ୍ଟ୍ରାଇକ୍ସ ବର୍ଗରେ ମାତ୍ର ଗୋଟିଏ ମିନିଟ୍‌ରେ ସମ୍ପୂର୍ଣ୍ଣ ହାତ ପ୍ରସାରଣରେ ଏକ କିଲୋଗ୍ରାମ ଓଜନ...

ଭୁବନେଶ୍ବର: କଳାହାଣ୍ଡି ମାଟିରୁ ଅନ୍ତର୍ଜାତୀୟ ମଞ୍ଚରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି ପଞ୍ଚ ମାଷ୍ଟର୍‌ ସତ୍ୟପୀର ପଧାନ। ପଞ୍ଚ ଷ୍ଟ୍ରାଇକ୍ସ ବର୍ଗରେ ମାତ୍ର ଗୋଟିଏ ମିନିଟ୍‌ରେ ସମ୍ପୂର୍ଣ୍ଣ ହାତ ପ୍ରସାରଣରେ ଏକ କିଲୋଗ୍ରାମ ଓଜନ ଧରି ୧୮୩ଟି ଏକହାତିଆ ପଞ୍ଚ ପ୍ରହାର (ଫୁଲ୍‌ ଏକ୍ସଟେନସନ୍‌ ୱାନ୍‌ ହ୍ୟାଣ୍ଡ ପଞ୍ଚ ଷ୍ଟ୍ରାଇକ୍‌) ମାରି ସେ ଆଉ ଏକ ଗିନିଜ୍‌ ୱାର୍ଲ୍ଡ ରେକର୍ଡ ହାସଲ କରିଛନ୍ତି। ତାଙ୍କର ଏହି ଅନନ୍ୟ ସଫଳତାକୁ ଗିନିଜ୍‌ ୱାର୍ଲ୍ଡ ରେକର୍ଡ୍ସ ପକ୍ଷରୁ ଗତ ସେପ୍ଟେମ୍ବର ୨୧ ତାରିଖ‌ରେ ଅନୁମୋଦନ ଓ ସ୍ୱୀକୃତି ମିଳିସାରିଛି। ପୂର୍ବରୁ ଏହି ରେକର୍ଡ ଇରାନର ନମଦାର ଅନସାରୀ ଗିଲାନିଙ୍କ ନାଁରେ ଥିଲା। ତେହରାନ୍‌ରେ ୨୨ ଜୁଲାଇ ୨୦୨୫ରେ କରିଥିବା ପ୍ରୟାସରେ ସେ ଗୋଟିଏ ମିନିଟ୍‌ରେ ୧୭୮ଟି ପଞ୍ଚ ମାରି ଗିନିଜ୍‌ ବିଶ୍ବ ରେକର୍ଡ ସ୍ଥାପନ କରିଥିଲେ। ଗିଲାନିଙ୍କ ପୂର୍ବ ରେକର୍ଡଠାରୁ ସତ୍ୟପୀର ୫ଟି ଅଧିକ ପଞ୍ଚ ମାରି ତାଙ୍କୁ ସହଜରେ ଅତିକ୍ରମ କରିଛନ୍ତି।

ଏହି ରେକର୍ଡ ପାଇଁ ସେ ଗତ କିଛି ବର୍ଷ ହେବ କଠିନ ଅଭ୍ୟାସ ଜାରି ରଖିଥିଲେ। ଶେଷରେ ବୈଷୟିକ ବିଶେଷଜ୍ଞଙ୍କ ଉପସ୍ଥିତି ଓ ମାର୍ଗଦର୍ଶନରେ ଗତ ମାର୍ଚ୍ଚ ୮ ତାରିଖରେ ଏହି ରେକର୍ଡ ଲାଗି ଆନୁଷ୍ଠାନିକ ପ୍ରୟାସ କରିଥିଲେ। ଏହାର ତଥ୍ୟଗତ ପ୍ରମାଣ ମଧ୍ୟ ଗିନିଜ୍‌ ୱାର୍ଲ୍ଡ ରେକର୍ଡ୍ସକୁ ପଠାଇଥିଲେ। ବ୍ୟାପକ ପ୍ରସ୍ତୁତି, ଶୃଙ୍ଖଳିତ ପ୍ରଶିକ୍ଷଣ, ନିୟମିତ ଅଭ୍ୟାସ, ଶାରୀରିକ ଫିଟ୍‌ନେସ୍‌, କୌଶଳ ବିକାଶ ଓ ଦୃଢ଼ ସଙ୍କଳ୍ପ ତାଙ୍କୁ ଏହି ସଫଳତା ଦେଇଛି ବୋଲି ସତ୍ୟପୀର ‘ସମ୍ବାଦ’କୁ କହିଛନ୍ତି। ସୂଚନାଯୋଗ୍ୟ ଯେ କଳାହାଣ୍ଡି ଜିଲ୍ଲା ଦେପୁର ଗ୍ରାମର ବାସିନ୍ଦା ସତ୍ୟପୀର ପେସାରେ ଜଣେ ଫିଜିଓଥେରାପିଷ୍ଟ। ସେ ପର୍ବତାରୋହଣର ମୌଳିକ ଓ ଉଚ୍ଚତର ପାଠ୍ୟକ୍ରମ ମଧ୍ୟ ସଫଳତାର ସହ ଶେଷ କରିଛନ୍ତି। ଏହି ବିଶ୍ବ ରେକର୍ଡ ହାସଲ କରିବାରେ ଅନ୍ତର୍ଜାତୀୟ କରାଟେ ରେଫରି ସୁଧୀର ଚନ୍ଦ୍ର ଛତିରା, ଇନ୍‌ଷ୍ଟ୍ରକ୍ଟର ଶେଖ୍‌ ମୁନାୱର, ଦୌଡ଼କୁଦର ବୈଷୟିକ ବିଶେଷଜ୍ଞ ମନୋଜ କୁମାର ବିଶ୍ୱାଳ, ନିର୍ମଳ ଚନ୍ଦ୍ର ପ୍ରଧାନ, ପୂର୍ବତନ ଭାରତୀୟ ନୌସେନା କମାଣ୍ଡର ପି. ରାମାରାଓ, ଆଇନଜୀବୀ ହିରେନ୍ଦୁ ଶେଖର ରଣା ପ୍ରମୁଖ  ତାଙ୍କୁ ସହଯୋଗ କରିଥିଲେ। ସମସ୍ତଙ୍କୁ ସତ୍ୟପୀର କୃତଜ୍ଞତା ଜ୍ଞାପନ କରିଛନ୍ତି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button