ଖେଳ

Odisha Ranji team: ଓଡ଼ିଶା ରଣଜୀ ଦଳ ଘୋଷଣା ୪ରେ: ବରିଷ୍ଠଙ୍କୁ ବିଦାୟ ରାସ୍ତା

ମାତ୍ର ଗୋଟିଏ ସପ୍ତାହ ପରେ ଓଡ଼ିଶା ରଣଜୀ ଦଳ ଏହାର ୨୦୨୬-୨୭ ଋତୁ ଆରମ୍ଭ କରିବ। କିନ୍ତୁ ଏ ପର୍ଯ୍ୟନ୍ତ ଦଳ ଘୋଷଣା ହୋଇନାହିଁ। ଆନୁଷ୍ଠାନିକ ଘୋଷଣା ହୋଇ ନଥିଲେ ମଧ୍ୟ ‘ସମ୍ବାଦ’କୁ ମିଳିଥିବା ସୂଚନା ଅନୁସାରେ ଦଳ ଚୟନ ଚୂଡାନ୍ତ ହୋଇ ସାରିଛି।

ଭୁବନେଶ୍ବର: ମାତ୍ର ଗୋଟିଏ ସପ୍ତାହ ପରେ ଓଡ଼ିଶା ରଣଜୀ ଦଳ ଏହାର ୨୦୨୬-୨୭ ଋତୁ ଆରମ୍ଭ କରିବ। କିନ୍ତୁ ଏ ପର୍ଯ୍ୟନ୍ତ ଦଳ ଘୋଷଣା ହୋଇନାହିଁ। ଆନୁଷ୍ଠାନିକ ଘୋଷଣା ହୋଇ ନଥିଲେ ମଧ୍ୟ ‘ସମ୍ବାଦ’କୁ ମିଳିଥିବା ସୂଚନା ଅନୁସାରେ ଦଳ ଚୟନ ଚୂଡାନ୍ତ ହୋଇ ସାରିଛି। ଏପରିକି ମନୋନୀତ ଖେଳାଳିଙ୍କୁ ନେଇ ଶୁକ୍ରବାରଠାରୁ ଦଳ ଏକମାତ୍ର ଅଭ୍ୟାସ ମ୍ୟାଚ୍‌ ପୂର୍ବତନ ରଣଜୀ ବିଜେତା ରେଳବାଇ ବିପକ୍ଷରେ ଖେଳିବ। ଏହି ୩ ଦିନିଆ ମ୍ୟାଚ୍‌ ବାରବାଟୀ ଷ୍ଟାଡିୟମ୍‌ରେ ଖେଳାଯିବ। ଏହା ପରେ ଓଡ଼ିଶା ଦଳ ଅହମଦାବାଦ ଗସ୍ତ କରି ଅକ୍ଟୋବର ୧୧ ତାରିଖରୁ ଗୁଜରାଟ ବିପକ୍ଷରେ ନିଜ ସିଜନ୍‌ ଓପନର୍‌ ଖେଳିବ।

ଆଜିଠାରୁ ରେଳବାଇ ସହ ଅଭ୍ୟାସ

ରେଳବାଇ ବିପକ୍ଷ ମ୍ୟାଚ୍‌ ପାଇଁ ମନୋନୀତ ୧୬ ଜଣିଆ ଦଳ ହିଁ ରଣଜୀ ଟ୍ରଫି ପାଇଁ ପ୍ରାରମ୍ଭିକ ତାଲିକା ବୋଲି ‘ସମ୍ବାଦ’ ଅନୁସନ୍ଧାନରୁ ଜଣାପଡ଼ିଛି। ଗତ ସିଜନ୍‌ରେ ଓଡ଼ିଶା ଅତି ନୈରାଶ୍ୟଜନକ ପ୍ରଦର୍ଶନ କରି ୮ ଦଳୀୟ ଏଲିଟ୍‌-ଏ’ର ସପ୍ତମ ସ୍ଥାନରେ ରହିଥିଲା। ନୂଆ ସିଜନ୍ ଆରମ୍ଭରୁ କିନ୍ତୁ ଓଡ଼ିଶା ପାଇଁ ନୂଆ ଆହ୍ବାନ ଆସିଯାଇଛି। ଆହତ କାରଣରୁ ଦଳର ଶ୍ରେଷ୍ଠ ଅଲ୍‌ରାଉଣ୍ଡର୍‌ ତଥା ଉଦୀୟମାନ ସମ୍ବିତ ବରାଳ ପ୍ରଥମରୁ ବାଦ୍‌ ପଡ଼ିବା ଏବଂ ପୂର୍ବରୁ ଆହତ ତାଲିକାରୁ ମୁକ୍ତ ହୋଇଥିବା ଯୁବ ବ୍ୟାଟର୍‌ ଅନିଲ ପରିଡ଼ା ସନ୍ଦେହ ତାଲିକାରେ ଥିବାରୁ ଦଳ ଅଧିକ ଚିନ୍ତାରେ ରହିଛି। ସବୁଠାରୁ ବଡ଼ କଥା ହେଉଛି ନୂଆ ଚୟନ ସମିତି ମଧ୍ୟ ଏଥର ପ୍ରାୟ ସବୁ ବରିଷ୍ଠ ଖେଳାଳିଙ୍କୁ ମୂଳପୋଛ କରି ଏକ ନୂଆ ଦଳ ନେଇ ୨୦୨୬-୨୭ରେ ପରୀକ୍ଷା ନିରୀକ୍ଷା କରିବ। ଶୁଭ୍ରାଂଶୁ ସେନାପତିଙ୍କୁ ଦଳର ନେତୃତ୍ବ ପ୍ରଦାନ କରାଯିବା ପ୍ରାୟ ନିଶ୍ଚିତ ଥିବାବେଳେ ଏମ୍‌ ଟି ମୁଣ୍ଡେ, ଶ୍ରେୟାଂଶ ଭରଦ୍ବାଜ, ସମ୍ବିତ ବେଜା ଓ ସୌମ୍ୟ ଲେଙ୍କାଙ୍କ ଭଳି ଖେଳାଳିଙ୍କ ପାଇଁ ରଣଜୀ ଟ୍ରଫି ପଦାର୍ପଣ ଅପେକ୍ଷା କରିଛି। ଗତ ଋତୁ ପ୍ରାରମ୍ଭରୁ ଉପେକ୍ଷିତ ଆଶୀର୍ବାଦ ସ୍ବାଇଁ ପୁଣି ଦଳର ପ୍ରଥମ ପସନ୍ଦ ୱିକେଟ୍‌ରକ୍ଷକ ହେବେ। ଦୁଇ ପେସାଦାର ଖେଳାଳି ନିନାଦ ରାଥୱା ଏବଂ ଲଳିତ ଯାଦବଙ୍କୁ ନେଇ ଓଡ଼ିଶା ଏଥର ପୁଣି ପୁରୁଣା ଦିନ ଭଳି ଶକ୍ତିଶାଳୀ ହେବ ବୋଲି ବିଶ୍ବାସ ରଖିଛି।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button