Palace: ୪୦୦ କୋଠରୀବିଶିଷ୍ଟ ମହଲ: ମୋଗଲ ସମ୍ରାଟଙ୍କ ପାଇଁ ନିର୍ମିତ ହୋଇଥିଲା, କିନ୍ତୁ କେହି ରହିଲେନି
୧୭ଶ ଶତାବ୍ଦୀରେ ନିର୍ମିତ ଏହି ଭବ୍ୟ ଭବନ ଯେଉଁ ଖାସ୍ ଶାସକଙ୍କ ସ୍ୱାଗତ ପାଇଁ ତିଆରି ହୋଇଥିଲା, ସେ ଏଠାରେ କେବେ ରହିପାରିନଥିଲେ। ଫଳରେ ଏହି ପ୍ରାସାଦ ନିର୍ମାଣ ଦିନଠାରୁ ଆଜି ପର୍ଯ୍ୟନ୍ତ ଖାଲି ହୋଇ ରହିଛି।

ଦତିଆ: ମଧ୍ୟପ୍ରଦେଶର ଐତିହାସିକ ସହର ଦତିଆଠାରେ ଅବସ୍ଥିତ ‘ବୀର ସିଂହ ଦେବ ପ୍ୟାଲେସ୍’, ଯାହା ସ୍ଥାନୀୟ ଅଞ୍ଚଳରେ ‘ସତଖଣ୍ଡା ମହଲ’ ଭାବେ ପରିଚିତ, ତାହା ଭାରତୀୟ ସ୍ଥାପତ୍ୟ କଳାର ଏକ ଅନନ୍ୟ ନିଦର୍ଶନ। ସାତ ମହଲାବିଶିଷ୍ଟ ଏହି ବିଶାଳ ପ୍ରାସାଦ ଓ ଏହାର ଶହ ଶହ ସୁନ୍ଦର କୋଠରୀ ପଛରେ ରହିଛି ଏକ ରୋଚକ ଏବଂ ଆଶ୍ଚର୍ଯ୍ୟଜନକ ଇତିହାସ। ୧୭ଶ ଶତାବ୍ଦୀରେ ନିର୍ମିତ ଏହି ଭବ୍ୟ ଭବନ ଯେଉଁ ଖାସ୍ ଶାସକଙ୍କ ସ୍ୱାଗତ ପାଇଁ ତିଆରି ହୋଇଥିଲା, ସେ ଏଠାରେ କେବେ ରହିପାରିନଥିଲେ। ଫଳରେ ଏହି ପ୍ରାସାଦ ନିର୍ମାଣ ଦିନଠାରୁ ଆଜି ପର୍ଯ୍ୟନ୍ତ ଖାଲି ହୋଇ ରହିଛି।
ମୋଗଲ ସମ୍ରାଟ ଜାହାଙ୍ଗୀରଙ୍କ ସହ ଗଭୀର ବନ୍ଧୁତା
ଦତିଆର ପ୍ରସିଦ୍ଧ ବୁନ୍ଦେଲା ଶାସକ ରାଜା ବୀର ସିଂହ ଦେବଙ୍କ ସହ ମୋଗଲ ରାଜକୁମାର ସଲିମ୍ (ପରବର୍ତ୍ତୀ ସମୟରେ ସମ୍ରାଟ ଜାହାଙ୍ଗୀର)ଙ୍କ ଗଭୀର ଐତିହାସିକ ବନ୍ଧୁତା ଥିଲା। ସଙ୍କଟ ସମୟରେ ରାଜା ବୀର ସିଂହ, ସଲିମଙ୍କୁ ବହୁତ ସାହାଯ୍ୟ କରିଥିଲେ, ଯାହାଫଳରେ ଖୁସି ହୋଇ ଜାହାଙ୍ଗୀର ତାଙ୍କୁ ଓରଛାର ସିଂହାସନ ପ୍ରଦାନ କରିଥିଲେ। ଏହି ନିବିଡ଼ ବନ୍ଧୁତାର ପ୍ରତୀକ ସ୍ୱରୂପ ରାଜା ବୀର ସିଂହ ଦତିଆରେ ଏକ ଅତୁଳନୀୟ ମହଲ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଥିଲେ, ଯେପରି ମୋଗଲ ସମ୍ରାଟ ଦତିଆ ଗସ୍ତରେ ଆସିଲେ ଏଠାରେ ତାଙ୍କର ଭବ୍ୟ ଆତିଥେୟତା କରାଯାଇପାରିବ।
୯ ବର୍ଷ ଲାଗିଥିଲା ନିର୍ମାଣ କାର୍ଯ୍ୟ
ଦସ୍ତାବିଜ ଅନୁସାରେ, ୧୬୧୪ରୁ ୧୬୨୩ ମସିହା ମଧ୍ୟରେ (ପ୍ରାୟ ୯ ବର୍ଷ ସମୟ ମଧ୍ୟରେ) ଏହି ସାତ ମହଲା ମହଲ ନିର୍ମାଣ କରାଯାଇଥିଲା। ସେହି ସମୟରେ ଏହାକୁ ତିଆରି କରିବା ପାଇଁ ପ୍ରାୟ ୩୫ ଲକ୍ଷ ଟଙ୍କାର ବିଶାଳ ଅର୍ଥ ବ୍ୟୟ ହୋଇଥିଲା।
କାଠ ଓ ଲୁହା ବିନା ତିଆରି ଅଦ୍ଭୁତ ସ୍ଥାପତ୍ୟ
ଏହି ମହଲର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ନିର୍ମାଣ ଶୈଳୀ। ସାତ ମହଲାବିଶିଷ୍ଟ ଏହି ସମ୍ପୂର୍ଣ୍ଣ ସୌଧ ନିର୍ମାଣରେ କେବଳ ଚୂନ, ପଥର ଏବଂ ଇଟାର ବ୍ୟବହାର କରାଯାଇଛି। ଏଥିରେ କୌଣସି ପ୍ରକାର କାଠ କିମ୍ବା ଲୁହାର ବିମ୍ ବ୍ୟବହାର କରାଯାଇ ନାହିଁ। କୌଣସି ଆଧୁନିକ ଧାତୁର ସାହାଯ୍ୟ ବିନା ଏହି ମହଲ ଗତ ୪୦୦ ବର୍ଷ ହେବ ଦୃଢ଼ ଭାବେ ଠିଆ ହୋଇରହିଛି।
ସୌଜନ୍ୟ ସମ୍ବାଦ




