Married Life: ସନ୍ତାନଙ୍କ ଗୃହ ପ୍ରସ୍ଥାନ ପରେ ଦାମ୍ପତ୍ୟର ନୂଆ ପର୍ଯ୍ୟାୟ
ଯେତେବେଳେ ପିଲାମାନେ ଉଚ୍ଚଶିକ୍ଷା, କ୍ୟାରିଅର୍ କିମ୍ବା ସ୍ବାଧୀନ ଜୀବନଯାପନ ପାଇଁ ଘର ଛାଡ଼ି ବାହାରକୁ ଚାଲିଯାଆନ୍ତି, ସେତେବେଳେ ବାପାମାଆଙ୍କର ଦୈନନ୍ଦିନ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିଥାଏ। ହଠାତ୍ ଘରଟି ନିସ୍ତବ୍ଧ ଲାଗେ।

ଯେତେବେଳେ ପିଲାମାନେ ଉଚ୍ଚଶିକ୍ଷା, କ୍ୟାରିଅର୍ କିମ୍ବା ସ୍ବାଧୀନ ଜୀବନଯାପନ ପାଇଁ ଘର ଛାଡ଼ି ବାହାରକୁ ଚାଲିଯାଆନ୍ତି, ସେତେବେଳେ ବାପାମାଆଙ୍କର ଦୈନନ୍ଦିନ ଜୀବନରେ ଏକ ବଡ଼ ପରିବର୍ତ୍ତନ ଆସିଥାଏ। ହଠାତ୍ ଘରଟି ନିସ୍ତବ୍ଧ ଲାଗେ। ଏହି ଅବସ୍ଥାକୁ ‘ଏମ୍ପଟି ନେଷ୍ଟ ସିଣ୍ଡ୍ରୋମ୍’ କୁହାଯାଏ। ଖାଲି ଘର ପିତାମାତାଙ୍କ ମନରେ ଏକଲାପଣ ଓ ଅପୂରଣୀୟ ଶୂନ୍ୟତା ଆଣିଦେଇଥାଏ। ତେବେ ସେହି କ୍ଷଣରୁ ଦମ୍ପତିଙ୍କ ଜୀବନର ଏକ ନୂଆ ପର୍ଯ୍ୟାୟ ଆରମ୍ଭ ହୋଇଥାଏ, ଯେଉଁଠି ସେମାନେ ପିତାମାତା ପରିଚୟ ବାହାରେ ନିଜକୁ ପୁନଃଆବିଷ୍କାର କରିବାର ଏକ ସୁବର୍ଣ୍ଣ ସୁଯୋଗ ପାଆନ୍ତି। ଆସନ୍ତୁ ଜାଣିବା ଏହି ପର୍ଯ୍ୟାୟକୁ ସୁନ୍ଦର ଭାବେ ଅତିବାହିତ କରିବାର ୫ଟି ଉପାୟ।
ଗୁଣାତ୍ମକ ସମୟର ସୁଯୋଗ
ପିଲାମାନେ ଘରେ ଥିବାବେଳେ ସମୟ ଓ ଶକ୍ତିର ଏକ ବଡ଼ ଭାଗ ସ୍କୁଲ୍ ପାଇଁ ପ୍ରସ୍ତୁତି, ରୋଷେଇ ଓ ପରିବାର ଦାୟିତ୍ୱରେ ବିତିଯାଏ। ପିଲାମାନେ ବାହାରକୁ ଗଲାପରେ, ଦମ୍ପତି ପରସ୍ପର ପ୍ରତି ଧ୍ୟାନ ଦେଇପାରିବେ। ଏକାଠି ରୋଷେଇ କରିବା, ଭ୍ରମଣରେ ଯିବା, ସିନେମା ଦେଖିବା କିମ୍ବା ବ୍ୟାୟାମ ଭଳି କାର୍ଯ୍ୟକଳାପ କରିପାରିବେ।
ସାଥୀଙ୍କ ସହ ମାସିକ ଯୋଜନା
ପରିବାରର ପରମ୍ପରା ପ୍ରାୟତଃ ପିଲାଙ୍କୁ କେନ୍ଦ୍ର କରି ହିଁ ପ୍ରସ୍ତୁତ ହୋଇଆସିଥାଏ। ତାଙ୍କ ଅନୁପସ୍ଥିତିକୁ ପତିପତ୍ନୀ ପରସ୍ପର ଲାଗି ନୂତନ ପରମ୍ପରା ଗଢ଼ିବାର ଏକ ସୁଯୋଗ ଭାବେ ଦେଖିବା ଉଚିତ। ଯେମିତି ପ୍ରତି ରବିବାର ସକାଳେ ବାହାରେ ଜଳଖିଆ ଖାଇବା, ପ୍ରତି ମାସରେ ଗୋଟିଏ ଦିନ ବାହାରକୁ ବୁଲିଯିବା, ମାସକୁ ଥରେ ନୂଆ ରେସ୍ତୋରାଁକୁ ଯିବା।
‘ଡେଟ୍ ନାଇଟ୍’କୁ ପ୍ରାଥମିକତା
ସନ୍ତାନ ହେବା ପରେ ଯଦି ଡେଟ୍ ନାଇଟ୍ ବନ୍ଦ ହୋଇଯାଇଥିଲା, ତେବେ ଏମ୍ପଟି ନେଷ୍ଟ ପର୍ଯ୍ୟାୟ ଏହାକୁ ପୁଣି ଥରେ ଆରମ୍ଭ କରିବାର ସବୁଠାରୁ ଭଲ ସମୟ। ସପ୍ତାହରେ ଅନ୍ୟୂନ ଗୋଟିଏ ସନ୍ଧ୍ୟା ଘରୋଇ କାମ, କାମର ଚାପ କିମ୍ବା ଅନ୍ୟ କୌଣସି ଦାୟିତ୍ୱରୁ ମୁକ୍ତ ରହି କେବଳ ପରସ୍ପରକୁ ସମୟ ଦିଅନ୍ତୁ।
ଘରୋଇ କାମ ଓ ଦାୟିତ୍ୱର ଭାଗବଣ୍ଟା
ପିଲାମାନେ ଘରେ ଥିବାବେଳେ ସେମାନଙ୍କର ପଢ଼ିବା, ଖାଇବା ଓ ଅନ୍ୟାନ୍ୟ କାର୍ଯ୍ୟ ଅନୁଯାୟୀ ଘରର ଦାୟିତ୍ୱ ସ୍ଥିର ହୋଇଥାଏ। ଏହାପରେ ସବୁ ପରିବର୍ତ୍ତନ ହୋଇଯାଏ। ତେଣୁ ଏକାଠି ବସି ରୋଷେଇ, କିଣାକିଣି, ଘର ସଫେଇ, ଦେୟ ପୈଠ ଆଦି କାମଗୁଡ଼ିକୁ କିପରି ଭାଗ କରାଯିବ ତାହା ଆଲୋଚନା କରନ୍ତୁ। କାମଗୁଡ଼ିକୁ ସମାନ ଭାବେ ବାଣ୍ଟିଲେ ଅସନ୍ତୋଷ କମିଥାଏ।
ବ୍ୟକ୍ତିଗତ ରୁଚି ପାଇଁ ସମୟ
ବର୍ଷ ବର୍ଷ ଧରି ପିଲାଙ୍କ ଲାଳନପାଳନ ପରେ, ଉଭୟ ସାଥୀ ନିଜସ୍ୱ ସ୍ୱପ୍ନ ଓ ରୁଚିକୁ ସମୟ ଦେବା ଗୁରୁତ୍ବପୂର୍ଣ୍ଣ। ଏ କ୍ଷେତ୍ରରେ ସ୍ବାମୀ-ସ୍ତ୍ରୀଙ୍କ ରୁଚି ଭିନ୍ନ ହୋଇପାରେ। ଜଣେ ବହି ପଢ଼ିବା, ବୁଲାବୁଲି କରିବା, କିମ୍ବା ଫିଟନେସ୍ ରୁଟିନ୍ ଆପଣାଇବାକୁ ଚାହୁଁଥିବାବେଳେ ଅନ୍ୟଜଣେ ସମାଜସେବା କିମ୍ବା ନୂତନ ଦକ୍ଷତା ହାସଲରେ ଆଗ୍ରହୀ ହୋଇପାରନ୍ତି। ସେଥିପାଇଁ ପରସ୍ପରର ବ୍ୟକ୍ତିଗତ ଆଗ୍ରହକୁ ସମ୍ମାନ ଦେବା ଉଚିତ।
ସୌଜନ୍ୟ ସମ୍ବାଦ




