Accident News : ଅଶୁଭ ଶୁକ୍ରବାର… ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୧ ଜୀବନ

ନୂଆଦିଲ୍ଲୀ, ୨/୧୦ : ଅଶୁଭ ଶୁକ୍ରବାର । ୟୁପି ଓ ମହାରାଷ୍ଟ୍ରରେ ସଡ଼କ ଦୁର୍ଘଟଣାରେ ଚାଲିଗଲା ୧୧ ଜୀବନ । ମହାରାଷ୍ଟ୍ର ଅମରାବତୀ ଜିଲ୍ଲାର ସମୃଦ୍ଧି ରାଜପଥରେ ଏକ ଦ୍ରୁତଗାମୀ ଟ୍ରକ୍ ଏକ ପିକଅପ୍ ଭ୍ୟାନ୍ କୁ ପଛପଟୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ସାତ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ଗୁରୁତର ଆହତ ହୋଇଛନ୍ତି । କିଛି ଲୋକ ଏକ ପିକଅପ୍ ରେ ଦେବୀ ଦୁର୍ଗାଙ୍କ ମୂର୍ତ୍ତି ନେଇ ଯାଉଥିଲେ । ପିକଅପ୍ ରେ ଲାଗିଥିବା ଟ୍ରଲିକୁ ପଛରୁ ଆସୁଥିବା ଏକ ଦ୍ରୁତଗାମୀ ଟ୍ରକ୍ ଧକ୍କା ଦେଇଥିଲା । ଧକ୍କା ଏତେ ଜୋରରେ ଥିଲା ଯେ ଟ୍ରଲିଟି ସମ୍ପୂର୍ଣ୍ଣ କ୍ଷତିଗ୍ରସ୍ତ ହୋଇଯାଇଥିଲା । ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି । ଟ୍ରକ୍ ଡ୍ରାଇଭରଙ୍କୁ ଅଟକ ରଖାଯାଇଛି । ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ୱାର୍ଦ୍ଧାର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ସେହିପରି ଉତ୍ତର ପ୍ରଦେଶର ଅମ୍ବେଡକରନଗର ଜିଲ୍ଲାସ୍ଥିତ ଗୋରଖପୁର ଲିଙ୍କ୍ ଏକ୍ସପ୍ରେସୱେରେ ଅମ୍ବରପୁର ଟୋଲ୍ ପ୍ଲାଜା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଆଜି ସକାଳେ ଦିଲ୍ଲୀରୁ ବିହାରର ଦରଭଙ୍ଗା ଯାଉଥିବା ଏକ ଭୋଲଭୋ ଏସି ବସ୍ ଓଭରଟେକ୍ କରିବା ସମୟରେ ଆଗରେ ଯାଉଥିବା ଏକ ଟ୍ରେଲର୍ ସହ ଭୟଙ୍କର ଭାବେ ପିଟି ହୋଇଯାଇଥିଲା । ଧକ୍କା ଏତେ ଶକ୍ତ ଥିଲା ଯେ ବସ୍ ର ବାମ ପାଖ ସମ୍ପୂର୍ଣ୍ଣ ଭାଙ୍ଗି ଚୁରମାର୍ ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ସ୍ଥାନୀୟ ଜୈତପୁର ପୋଲିସ ଓ ଉଦ୍ଧାରକାରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛି ।.
ସୌଜନ୍ୟ ପ୍ରମେୟ




