ଜାତୀୟ

ବିଶ୍ୱର ସବୁଠୁ ବଡ଼ ପରୀକ୍ଷା: ୫ମ ସ୍ଥାନରେ ଏନ୍‌ଇଇଟି ୟୁଜି

ନୂଆଦିଲ୍ଲୀ,୬।୧୦: ଭାରତର ସବୁଠାରୁ ବଡ଼ ଡାକ୍ତରୀ ପ୍ରବେଶିକା ପରୀକ୍ଷା ଏନ୍‌ଇଇଟି ୟୁଜି ବିଶ୍ୱର ସବୁଠାରୁ ବଡ଼ ପରୀକ୍ଷାଗୁଡ଼ିକ ମଧ୍ୟରେ ସ୍ଥାନ ପାଇଛି। ଏସବିଆଇ ରିସର୍ଚ୍ଚର ଏକ ରିପୋର୍ଟ ଅନୁଯାୟୀ ଏହି ମେଡିକାଲ ପ୍ରବେଶିକା ପରୀକ୍ଷା ପାଇଁ ପ୍ରାୟ ୨୫ ଲକ୍ଷ ପ୍ରାର୍ଥୀ ଆବେଦନ କରିଥାଆନ୍ତି, ଯାହାକି ଆବେଦନ ସଂଖ୍ୟା ଦୃଷ୍ଟିରୁ ଏହାକୁ ବିଶ୍ୱର ୫ମ ବୃହତ୍ତମ ପରୀକ୍ଷାରେ ପରିଣତ କରିଛି। ବିଶ୍ୱର ବିଭିନ୍ନ ଦେଶର ପ୍ରମୁଖ ପରୀକ୍ଷାଗୁଡ଼ିକୁ ଆବେଦନ ସଂଖ୍ୟା ଆଧାରରେ ତୁଳନା କରାଯାଇ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି। ବିଶ୍ୱ ସ୍ତରୀୟ ଏହି ତୁଳନାରେ ଏନ୍‌ଇଇଟି ୟୁଜି ହେଉଛି ସର୍ବୋଚ୍ଚ ସ୍ଥାନ ହାସଲ କରିଥିବା ଭାରତୀୟ ପରୀକ୍ଷା ଯେତେବେଳେ କି ଚାଇନାର ଜାତୀୟ କଲେଜ ପ୍ରବେଶିକା ପରୀକ୍ଷା ‘ଗାଓକାଓ’ ପ୍ରାୟ ୧.୨୯ କୋଟି ପଞ୍ଜୀକରଣ ସହିତ ବିଶ୍ୱ ତାଲିକାର ଶୀର୍ଷରେ ରହିଛି।
ସଂଖ୍ୟା ଦୃଷ୍ଟିରୁ ଚାଇନାର ‘ଗାଓକାଓ’ ପ୍ରଥମ ସ୍ଥାନରେ ଥିବାବେଳେ ବ୍ରାଜିଲର ‘ଇଏନ୍‌ଇଏମ୍‌’ ପ୍ରାୟ ୪୮ ଲକ୍ଷ ଆବେଦନ ସହ ୨ୟ, ଚାଇନାର କେନ୍ଦ୍ରୀୟ ସିଭିଲ-ସର୍ଭିସ ପରୀକ୍ଷା ‘ଗୁଓକାଓ’ ପ୍ରାୟ ୩୭ ଲକ୍ଷ ଆବେଦନ ସହ ୩ୟ ଏବଂ ଚାଇନାର ଜାତୀୟ ମାଷ୍ଟର୍ସ ପ୍ରବେଶିକା ପରୀକ୍ଷା ପ୍ରାୟ ୩୪ ଲକ୍ଷ ଆବେଦନ ସହ ଚତୁର୍ଥ ସ୍ଥାନରେ ରହିଛି। ଏହାପରେ ୫ମ ସ୍ଥାନରେ ଭାରତର ‘ଏନ୍‌ଇଇଟି ୟୁଜ’ ରହିଛି। ଏହା ବ୍ୟତୀତ ଭାରତର ଅନ୍ୟାନ୍ୟ ପ୍ରମୁଖ ପ୍ରତିଯୋଗିତାମୂଳକ ପରୀକ୍ଷାଗୁଡ଼ିକ ମଧ୍ୟ ଏହି ବିଶ୍ୱ ତାଲିକାରେ ସ୍ଥାନ ପାଇଛନ୍ତି। ରିପୋର୍ଟ ଅନୁଯାୟୀ, ୟୁପିଏସସି ସିଭିଲ ସର୍ଭିସେସ ପାଇଁ ପ୍ରାୟ ୧୨ ଲକ୍ଷ, ଜେଇଇ ମେନ ଇଞ୍ଜିନିୟରିଂ ପ୍ରବେଶିକା ପାଇଁ ପ୍ରାୟ ୧୦ ଲକ୍ଷ ଏବଂ ୟୁଜିସି ନେଟ୍‌ ପାଇଁ ପ୍ରାୟ ୮ ଲକ୍ଷ ପ୍ରାର୍ଥୀ ଆବେଦନ କରିଥାଆନ୍ତି।
ବଡ଼ ମାତ୍ରାରେ ପ୍ରାର୍ଥୀମାନେ ଆବେଦନ କରୁଥିବାରୁ ପରୀକ୍ଷା ପରିଚାଳନା, ପ୍ରଶ୍ନପତ୍ର ସୁରକ୍ଷା, ପରୀକ୍ଷା କେନ୍ଦ୍ର ପରିଚାଳନା ଏବଂ ଖାତା ମୂଲ୍ୟାୟନ ଭଳି ପ୍ରକ୍ରିୟାଗୁଡ଼ିକ ଅତ୍ୟନ୍ତ ଜଟିଳ ଏବଂ ବ୍ୟାପକ ପ୍ରଶାସନିକ ବ୍ୟବସ୍ଥା ଦାବି କରିଥାଏ। କୋଟି କୋଟି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଏଥିସହ ଜଡ଼ିତ ଥିବାରୁ ଏଭଳି ବୃହତ୍‌ ପରୀକ୍ଷାଗୁଡ଼ିକରେ କୌଣସି ବି ଛୋଟ ଭୁଲ କିମ୍ବା ପ୍ରଶାସନିକ ବିଫଳତା ବଡ଼ଧରଣର ପ୍ରଭାବ ପକାଇପାରେ ବୋଲି ରିପୋର୍ଟରେ ଗୁରୁତ୍ୱାରୋପ କରାଯାଇଛି।

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button