ଡାଇନିଂ ଟେବୁଲରେ ମହଙ୍ଗା ମାଡ଼! କେବେ କମିବ ଖାଦ୍ୟ ସାମଗ୍ରୀ ଦର? ଜାଣନ୍ତୁ ପୂରା ଚିତ୍ର

- ଅଗଷ୍ଟରେ ଖାଦ୍ୟ ମୁଦ୍ରାସ୍ଫୀତି ୫.୯୫%କୁ ବଢ଼ିଛି
- ପିଆଜ ଦର ବର୍ଷକୁ ବର୍ଷ ୪୮.୨୭% ବଢ଼ିଛି
- ଏଲ୍ ନିନୋ, ଦୁର୍ବଳ ମୌସୁମୀ ବର୍ଷା ଓ ଫସଲ ଉତ୍ପାଦନ ଉପରେ ଚିନ୍ତା ରହିଛି
- ପରିସ୍ଥିତି ଅନୁକୂଳ ରହିଲେ ୨୦୨୬ ଶେଷ କିମ୍ବା ୨୦୨୭ ଆରମ୍ଭରୁ ଖାଦ୍ୟ ଦରରେ ଆଶ୍ୱସ୍ତି ମିଳିପାରେ
ନୂଆଦିଲ୍ଲୀ, ୦୬/୧୦: ଘରର ମାସିକ ବଜେଟରେ ଖାଦ୍ୟ ସାମଗ୍ରୀର ବଢୁଥିବା ଦରର ପ୍ରଭାବ ହଠାତ୍ ଦେଖାଯାଏ ନାହିଁ। ଧୀରେ ଧୀରେ ଏହା ଘରର ରୋଷେଇ ଖର୍ଚ୍ଚକୁ ବଢ଼ାଇ ଦିଏ। ପିଆଜ, ଖାଇବା ତେଲ ଓ ଡାଲି ଭଳି ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀର ଦର ବଢ଼ିଲେ ମାସ ଶେଷରେ ଏହାର ସିଧା ପ୍ରଭାବ ପରିବାର ବଜେଟ୍ ଉପରେ ପଡ଼େ। ତେବେ ଚଳିତ ସମୟରେ ସବୁ ଖାଦ୍ୟ ସାମଗ୍ରୀର ଦର ସମାନ ଭାବେ ବଢ଼ିନାହିଁ। ସରକାରୀ ତଥ୍ୟ ଅନୁସାରେ, ଅଗଷ୍ଟରେ ପିଆଜ ଦର ଗତବର୍ଷ ତୁଳନାରେ ୪୮.୨୭ ପ୍ରତିଶତ ବଢ଼ିଥିବା ବେଳେ ଟମାଟୋ ଦର ୩୧.୦୯ ପ୍ରତିଶତ ଏବଂ ଆଳୁ ଦର ୧୩.୧୪ ପ୍ରତିଶତ କମିଛି। କିନ୍ତୁ କିଛି ସାମଗ୍ରୀର ଦର କମିଥିଲେ ମଧ୍ୟ ଅନ୍ୟ ସାମଗ୍ରୀର ମୂଲ୍ୟ ବୃଦ୍ଧିକୁ ଏହା ପୂରଣ କରିପାରିନାହିଁ। ଫଳରେ ଖାଦ୍ୟ ମୁଦ୍ରାସ୍ଫୀତି ଜୁଲାଇର ୫.୫୨ ପ୍ରତିଶତରୁ ବଢ଼ି ଅଗଷ୍ଟରେ ୫.୯୫ ପ୍ରତିଶତରେ ପହଞ୍ଚିଛି। ଏହି ସମୟରେ ମୁଖ୍ୟ ଖୁଚୁରା ମୁଦ୍ରାସ୍ଫୀତି ମଧ୍ୟ ୪.୪୫ ପ୍ରତିଶତରୁ ବଢ଼ି ୪.୮୨ ପ୍ରତିଶତ ହୋଇଛି।
ସୌଜନ୍ୟ ପ୍ରମେୟ




