ଦେଶ ବିଦେଶ

Rahul Gandhi: ରାହୁଲ-ପ୍ରିୟଙ୍କାଙ୍କ ବିରୋଧରେ ମାମଲା; ବିକ୍ଷୋଭ ସମୟରେ ପୁଲିସ କର୍ମଚାରୀ ଆକ୍ରମଣ, ସରକାରୀ କାର୍ଯ୍ୟରେ ବାଧା ଅଭିଯୋଗ; ୯୧ ଅଟକ

ମୁଖ୍ୟ ନିର୍ବାଚନ କମିସନର୍‌ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ବିରୋଧ କରି ବୁଧବାର ଦିଲ୍ଲୀରେ ହୋଇଥିବା ବିକ୍ଷୋଭ ଘଟଣାରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଂସଦ...

ନୂଆଦିଲ୍ଲୀ: ମୁଖ୍ୟ ନିର୍ବାଚନ କମିସନର୍‌ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି ଏବଂ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌)କୁ ବିରୋଧ କରି ବୁଧବାର ଦିଲ୍ଲୀରେ ହୋଇଥିବା ବିକ୍ଷୋଭ ଘଟଣାରେ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରିଛି। ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରିବା ଏବଂ ସରକାରୀ କାର୍ଯ୍ୟରେ ବାଧା ଦେବା ଅଭିଯୋଗରେ ଏହି ମାମଲା ହୋଇଛି। ଏହା ଦୁଇ ନେତାଙ୍କ ବିରୋଧରେ ଦୁଇ ଦିନ ମଧ୍ୟରେ ରୁଜୁ ହୋଇଥିବା ଦ୍ୱିତୀୟ ଏଫ୍‌ଆଇଆର୍‌ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।

ସରକାରୀ କାର୍ଯ୍ୟରେ ବାଧା

ବୁଧବାର କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ୱରେ ଇଣ୍ଡି ମେଣ୍ଟର ନେତାମାନେ ଦିଲ୍ଲୀର ଜନପଥ ଅଞ୍ଚଳର ଏକ ରେସ୍ତୋରାଁରେ ମଧ୍ୟାହ୍ନଭୋଜନ ପରେ ବସ୍‌ ଯୋଗେ ଯନ୍ତରମନ୍ତର ଅଭିମୁଖେ ବାହାରିଥିଲେ। ସେଠାରେ ବିକ୍ଷୋଭ କରିବାର ଯୋଜନା ଥିଲା। ତେବେ ଆଶୋକା ରୋଡ୍‌ ନିକଟରେ ପୁଲିସ ସେମାନଙ୍କ ବସ୍‌ ଅଟକାଇଥିଲା। ଏହା ପରେ ରାହୁଲ ଗାନ୍ଧୀଙ୍କ ସମେତ ବିରୋଧୀ ଦଳର ସାଂସଦମାନେ ରାସ୍ତାକୁ ଓହ୍ଲାଇ ଧାରଣା ଦେଇଥିଲେ।

ପୁଲିସ ରାହୁଲ ଗାନ୍ଧୀଙ୍କୁ ହଟାଇବାକୁ ଉଦ୍ୟମ କରିବାବେଳେ ସେ ଏହାକୁ ବିରୋଧ କରିଥିଲେ। ପ୍ରିୟଙ୍କା ଗାନ୍ଧୀ ଅନ୍ୟ ମହିଳା ନେତାଙ୍କ ସହ ରାସ୍ତାରେ ଶୋଇ ପଡ଼ିଥିଲେ। ତାଙ୍କ ହାତରେ ସମ୍ବିଧାନର ଏକ ନକଲ ଥିଲା। ପରେ ପୁଲିସ ତାଙ୍କ ସମେତ ଅନ୍ୟ ନେତାମାନଙ୍କୁ ଉଠାଇ ନେଇଥିଲା। ଏହି ସମୟରେ ବିକ୍ଷୋଭକାରୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ପୁଲିସର କହିବା ଅନୁଯାୟୀ, ବିକ୍ଷୋଭ ସମୟରେ କିଛି ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରାଯିବା ସହ ସେମାନଙ୍କ ସରକାରୀ କାର୍ଯ୍ୟରେ ବାଧା ଦିଆଯାଇଥିଲା। ଏହି ଘଟଣାରେ ରାହୁଲ ଓ ପ୍ରିୟଙ୍କାଙ୍କ ସମେତ କଂଗ୍ରେସର ଅନ୍ୟ ନେତା ଓ କର୍ମୀଙ୍କ ବିରୋଧରେ ମଧ୍ୟ ମାମଲା ହୋଇଛି। ବୁଧବାରର ବିକ୍ଷୋଭରେ ମୋଟ ୯୧ ଜଣଙ୍କୁ ପୁଲିସ ଅଟକ ରଖିଥିଲା। ସେମାନଙ୍କ ମଧ୍ୟରେ ଅନେକ ସାଂସଦ ଓ ବିରୋଧୀ ଦଳର ନେତା ଥିଲେ।

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button