ଦେଶ ବିଦେଶ

Rahul Gandhi: ରାହୁଲଙ୍କ ମନରେ ଭାରତ ପ୍ରତି ଘୃଣା ଭରି ରହିଛି: ବିଜେପି

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ପୁଣି ଆକ୍ରମଣାତ୍ମକ ହୋଇଛି ବିଜେପି। ରାହୁଲଙ୍କ ମନରେ ଭାରତ ପ୍ରତି ଘୃଣା ଭରି ରହିଛି ଏବଂ ତାଙ୍କୁ ଦେଶବାସୀ କେବେ ଗ୍ରହଣ କରିବେ ନାହିଁ ବୋଲି ବିଜେପି କହିଛି।

ନୂଆଦିଲ୍ଲୀ: କଂଗ୍ରେସ ନେତାରାହୁଲ ଗାନ୍ଧୀଙ୍କୁ ନେଇ ପୁଣି ଆକ୍ରମଣାତ୍ମକ ହୋଇଛି ବିଜେପି। ରାହୁଲଙ୍କ ମନରେ ଭାରତ ପ୍ରତି ଘୃଣା ଭରି ରହିଛି ଏବଂ ତାଙ୍କୁ ଦେଶବାସୀ କେବେ ଗ୍ରହଣ କରିବେ ନାହିଁ ବୋଲି ବିଜେପି କହିଛି। ବିଦେଶ ଗସ୍ତ ସମୟରେ ଭାରତର ଅର୍ଥନୀତି, ଗଣତନ୍ତ୍ର ଓ ନିର୍ବାଚନ ବ୍ୟବସ୍ଥାକୁ ନେଇ ରାହୁଲ ଦେଉଥିବା ବୟାନକୁ ଦଳ ସମାଲୋଚନା କରିଛି।

ମଙ୍ଗଳବାର ଦିଲ୍ଲୀର ଏକ ଗୁରୁଦ୍ୱାରାରେ ଗୁରୁ ନାନକ ଦେବଙ୍କ ପ୍ରକାଶ ପର୍ବ ଅବସରରେ ପ୍ରାର୍ଥନା ଓ ସେବା କାର୍ଯ୍ୟରେ ଯୋଗଦେବା ପରେ ବିଜେପିର ଜାତୀୟ ମୁଖପାତ୍ର ପ୍ରଦୀପ ଭଣ୍ଡାରୀ ସାମ୍ବାଦିକମାନଙ୍କୁ ଏହା କହିଛନ୍ତି। ସେ କହିଛନ୍ତି, ରାହୁଲ ଗାନ୍ଧୀ ବିଦେଶ ମାଟିରୁ ନିଜର ରାଜନୈତିକ ଜୀବନକୁ ପୁନର୍ଜୀବିତ କରିବାକୁ ଯେତେ ଉଦ୍ୟମ କଲେ ମଧ୍ୟ ତାହା ସଫଳ ହେବ ନାହିଁ। ଯେଉଁ ବ୍ୟକ୍ତିଙ୍କ ମନରେ ନିଜ ଦେଶ ପ୍ରତି ଘୃଣା ରହିଛି, ତାଙ୍କୁ ଭାରତବାସୀ ଗ୍ରହଣ କରିବେ ନାହିଁ ବୋଲି ସେ କହିଛନ୍ତି।

ଭାରତର ଅର୍ଥନୈତିକ ଅଭିବୃଦ୍ଧି ସମ୍ପର୍କରେ ମଧ୍ୟ ଭଣ୍ଡାରୀ ରାହୁଲଙ୍କ ମନ୍ତବ୍ୟକୁ ଖଣ୍ଡନ କରିଛନ୍ତି। ଲୋୱି ଇନ୍‌ଷ୍ଟିଚ୍ୟୁଟ୍‌ର ୨୦୨୬ ଏସିଆ ପାୱାର ଇଣ୍ଡେକ୍ସ ଅନୁଯାୟୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଭାରତ ଏସିଆର ଏକ ପ୍ରମୁଖ ଶକ୍ତି ଭାବେ ନିଜର ସ୍ଥିତି ମଜଭୁତ କରିଛି। ଏହା ସହ ଗୋଲ୍ଡମ୍ୟାନ୍‌ ସାକ୍ସ ଓ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ୍‌) ଭାରତକୁ ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥନୀତି ଭାବେ ଦର୍ଶାଇଥିବା ସେ କହିଛନ୍ତି।

ବିଦେଶ ମାଟିରେ ଭାରତର ଅର୍ଥନୀତି ଓ ଗଣତନ୍ତ୍ରକୁ ସମାଲୋଚନା କରିବା ନେଇ ବର୍ଷିଲା ଶାସକ ଦଳ

ଉଲ୍ଲେଖଯୋଗ୍ୟ, ଗତ ସପ୍ତାହରେ ଆମେରିକାର କଲମ୍ବିଆ ବିଶ୍ୱବିଦ୍ୟାଳୟରେ ଏକ ଆଲୋଚନାଚକ୍ରରେ ଯୋଗଦେଇ ରାହୁଲ ଭାରତର ଅର୍ଥନୀତିକୁ ସମାଲୋଚନା କରିଥିଲେ। ଦେଶରେ ବେକାରି ସମସ୍ୟା ବଢ଼ୁଥିବା, ଉତ୍ପାଦନ କ୍ଷେତ୍ର ଦୁର୍ବଳ ହୋଇଥିବା ଏବଂ ଶିକ୍ଷା ବ୍ୟବସ୍ଥାରେ ଗଭୀର ସମସ୍ୟା ରହିଥିବା ସେ କହିଥିଲେ। ଭାରତ ଏକ ଗୁରୁତର ଅର୍ଥନୈତିକ ସଙ୍କଟ ଆଡ଼କୁ ଗତି କରୁଛି ବୋଲି ମଧ୍ୟ ସେ ଚେତାବନୀ ଦେଇଥିଲେ। ଭାରତର ଅର୍ଥନୈତିକ ମଡେଲ୍‌ ପ୍ରାୟ ଏକ ଦଶନ୍ଧି ହେଲା ଆଶାନୁରୂପ ଫଳ ଦେଉନାହିଁ ବୋଲି ରାହୁଲ ମତ ଦେବା ସହ କେନ୍ଦ୍ର ସରକାରଙ୍କ ‘ମେକ୍‌ ଇନ୍‌ ଇଣ୍ଡିଆ’ ଓ ‘ଷ୍ଟାର୍ଟଅପ୍‌ ଇଣ୍ଡିଆ’ ଯୋଜନାର ସଫଳତା ଉପରେ ପ୍ରଶ୍ନ ଉଠାଇଥିଲେ। ଏହାକୁ ନେଇ ବିଜେପି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହା ପୂର୍ବରୁ ରାହୁଲ ବିଦେଶରେ ଭାରତର ନିର୍ବାଚନ ବ୍ୟବସ୍ଥା ଓ ଗଣତନ୍ତ୍ରକୁ ନେଇ ମଧ୍ୟ ପ୍ରଶ୍ନ ଉଠାଇଥିଲେ। ଭୋଟ୍‌ ଚୋରି ଅଭିଯୋଗ ଉଠାଇବା ସହ ନିର୍ବାଚନ କମିସନଙ୍କ କାର୍ଯ୍ୟପ୍ରଣାଳୀକୁ ସମାଲୋଚନା କରିଥିଲେ। ତେଣୁ ରାହୁଲଙ୍କ ବିଦେଶୀ ମଞ୍ଚରେ ଦେଶର ଆଭ୍ୟନ୍ତରୀଣ ସମସ୍ୟା ଉପସ୍ଥାପନ କରିବାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ବାଗ୍‌ଯୁଦ୍ଧ ତୀବ୍ର ହୋଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button