ଦେଶ ବିଦେଶ

El Niño : ୨୦୨୭ରେ ବିଶ୍ୱ ତାପମାତ୍ରା ଓ ପାଣିପାଗ ଉପରେ ପଡ଼ିପାରେ ପ୍ରଭାବ

ପ୍ରଶାନ୍ତ ମହାସାଗରରେ ଏଲ୍‌ନିନୋ ପ୍ରଭାବ ଦିନକୁ ଦିନ ଅଧିକ ତୀବ୍ର ହେଉଛି। ଏହାର ପ୍ରଭାବରେ ଗାଲାପାଗୋସ୍‌ ଦ୍ୱୀପ ଓ ପେରୁ ଉପକୂଳ ନିକଟ ସମୁଦ୍ର ଜଳର ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୧୦ ଡିଗ୍ରି ସେଲ୍‌ସିୟସ୍‌ ଅଧିକ ରହିଥିବା ଏକ ପାଣିପାଗ ମାନଚିତ୍ରରୁ ଜଣାପଡ଼ିଛି।

ନୂଆଦିଲ୍ଲୀ: ପ୍ରଶାନ୍ତ ମହାସାଗରରେ ଏଲ୍‌ନିନୋ ପ୍ରଭାବ ଦିନକୁ ଦିନ ଅଧିକ ତୀବ୍ର ହେଉଛି। ଏହାର ପ୍ରଭାବରେ ଗାଲାପାଗୋସ୍‌ ଦ୍ୱୀପ ଓ ପେରୁ ଉପକୂଳ ନିକଟ ସମୁଦ୍ର ଜଳର ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୧୦ ଡିଗ୍ରି ସେଲ୍‌ସିୟସ୍‌ ଅଧିକ ରହିଥିବା ଏକ ପାଣିପାଗ ମାନଚିତ୍ରରୁ ଜଣାପଡ଼ିଛି। ଏହି ଅସ୍ୱାଭାବିକ ଉତ୍ତାପକୁ ନେଇ ବୈଜ୍ଞାନିକ ଓ ପାଣିପାଗ ବିଶେଷଜ୍ଞମାନେ ଚିନ୍ତା ପ୍ରକାଶ କରିଛନ୍ତି। ଚଳିତ ଏଲ୍‌ନିନୋ ଘଟଣା ଅତୀତର ଶକ୍ତିଶାଳୀ ଘଟଣାଗୁଡ଼ିକର ରେକର୍ଡ ଭାଙ୍ଗିପାରେ ବୋଲି ଆଶଙ୍କା କରାଯାଉଛି।

ପ୍ରଶାନ୍ତ ମହାସାଗରର ଏକ ଅଞ୍ଚଳରେ ତାପମାତ୍ରା ସ୍ୱାଭାବିକଠାରୁ ୧୦ ଡିଗ୍ରି ଅଧିକ

ଆମେରିକୀୟ ପାଣିପାଗ ବିଶେଷଜ୍ଞ ରାୟନ୍‌ ମାଉଏ ନଭେମ୍ବର ୨୨ରେ ସାମାଜିକ ଗଣମାଧ୍ୟମରେ ଏକ ମାନଚିତ୍ର ସେୟାର କରି ଏହାକୁ ‘ମେଗା ଏଲ୍‌ନିନୋ’ ବୋଲି କହିଛନ୍ତି। ୟୁରୋପୀୟ ମଧ୍ୟମ ଅବଧି ପାଣିପାଗ ପୂର୍ବାନୁମାନ କେନ୍ଦ୍ର (ଇସିଏମ୍‌ଡବ୍ଲ୍ୟୁଏଫ୍‌)ର ତଥ୍ୟ ଆଧାରରେ ପ୍ରସ୍ତୁତ ଏହି ମାନଚିତ୍ରରେ ଦକ୍ଷିଣ ଆମେରିକା ନିକଟ ପ୍ରଶାନ୍ତ ମହାସାଗରର ଏକ ଅଞ୍ଚଳରେ ଅସ୍ୱାଭାବିକ ଉତ୍ତାପ ଦେଖାଯାଇଛି। ତେବେ ୧୦ ଡିଗ୍ରିର ଏହି ବୃଦ୍ଧି ସମଗ୍ର ପ୍ରଶାନ୍ତ ମହାସାଗରରେ ନୁହେଁ, ବରଂ ଏକ ନିର୍ଦ୍ଦିଷ୍ଟ ଅଞ୍ଚଳରେ ସୀମିତ। ମହାସାଗର ମଧ୍ୟଭାଗରେ ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୩ରୁ ୪ ଡିଗ୍ରି ଅଧିକ ରହିଛି।
ଏଲ୍‌ନିନୋ ହେଉଛି ପ୍ରାକୃତିକ ଜଳବାୟୁ ପରିବର୍ତ୍ତନର ଏକ ପ୍ରକ୍ରିୟା। ଏହି ସମୟରେ ପ୍ରଶାନ୍ତ ମହାସାଗରର ମଧ୍ୟ ଓ ପୂର୍ବ ଭାଗର ଜଳପୃଷ୍ଠ ଅସ୍ୱାଭାବିକ ଭାବେ ଉତ୍ତପ୍ତ ହୋଇଥାଏ। ସାଧାରଣତଃ ବାଣିଜ୍ୟ ପବନ ଉଷ୍ଣ ଜଳକୁ ପଶ୍ଚିମ ଦିଗକୁ ଠେଲିଥାଏ। କିନ୍ତୁ ଏହି ପବନ ଦୁର୍ବଳ ହେଲେ ଉଷ୍ଣ ଜଳ ପୂର୍ବ ଦିଗକୁ ବ୍ୟାପିଥାଏ। ଏହା ଫଳରେ ବିଶ୍ୱର ବିଭିନ୍ନ ଅଞ୍ଚଳରେ ବର୍ଷା, ମରୁଡ଼ି ଓ ତାପମାତ୍ରାରେ ପରିବର୍ତ୍ତନ ଦେଖାଦିଏ।

ଆମେରିକାର ଜାତୀୟ ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପ୍ରଶାସନ (ଏନ୍‌ଓଏଏ)ର ତଥ୍ୟ ଅନୁସାରେ, ଏଲ୍‌ନିନୋ ନିରୀକ୍ଷଣ ପାଇଁ ବ୍ୟବହୃତ ମଧ୍ୟ ପ୍ରଶାନ୍ତ ମହାସାଗରର ନିନୋ ୩.୪ ଅଞ୍ଚଳରେ ଜଳପୃଷ୍ଠ ତାପମାତ୍ରା ସ୍ୱାଭାବିକଠାରୁ ୨.୫ ଡିଗ୍ରି ଅଧିକ ହୋଇଛି। ପୂର୍ବ ପ୍ରଶାନ୍ତର ନିନୋ ୧+୨ ଅଞ୍ଚଳରେ ଏହି ବୃଦ୍ଧି ୪.୪ ଡିଗ୍ରି ରହିଛି। ୧୯୫୦ରୁ ରେକର୍ଡ ହୋଇଥିବା ଏଲ୍‌ନିନୋ ଘଟଣାଗୁଡ଼ିକ ମଧ୍ୟରେ ଚଳିତ ଘଟଣା ସବୁଠୁ ଶକ୍ତିଶାଳୀ ହେବାର ପ୍ରାୟ ୬୦ ପ୍ରତିଶତ ସମ୍ଭାବନା ଥିବା ଏନ୍‌ଓଏଏ ଆକଳନ କରିଛି। ୧୯୯୭-୯୮ ଓ ୨୦୧୫-୧୬ର ଶକ୍ତିଶାଳୀ ଏଲ୍‌ନିନୋ ମଧ୍ୟ ଏହି ରେକର୍ଡ ତାଲିକାରେ ରହିଛି। ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ) ମଧ୍ୟ ଏହି ଘଟଣା ରେକର୍ଡ ସ୍ତରରେ ପହଞ୍ଚିପାରେ ବୋଲି ସତର୍କ କରାଇଛି। ଏହାର ପ୍ରଭାବ ୨୦୨୭ ମାର୍ଚ୍ଚ ପର୍ଯ୍ୟନ୍ତ ରହିବା ଆଶଙ୍କା ରହିଛି। ଏଲ୍‌ନିନୋ ସମୁଦ୍ରରେ ସଞ୍ଚିତ ଉତ୍ତାପକୁ ବାୟୁମଣ୍ଡଳକୁ ଛାଡ଼ିଥାଏ। ଫଳରେ ବିଶ୍ୱ ତାପମାତ୍ରା ଆହୁରି ବଢ଼ିପାରେ। ଭାରତରେ ମଧ୍ୟ ବର୍ଷା ଓ ତାପମାତ୍ରା ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା ରହିଛି। ତେବେ ଭାରତର ପାଣିପାଗ କେବଳ ଏଲ୍‌ନିନୋ ଦ୍ୱାରା ନିର୍ଦ୍ଧାରିତ ହୁଏ ନାହିଁ। ଅନ୍ୟ ଜଳବାୟୁଗତ କାରଣ ମଧ୍ୟ ଏଥିରେ ପ୍ରଭାବ ପକାଇଥାଏ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button