ଜାତିସଂଘ: ଆତଙ୍କବାଦ ପ୍ରସଙ୍ଗରେ ଜାତିସଂଘରେ ପାକିସ୍ତାନକୁ କଡ଼ା ଜବାବ ଦେଇଛି ଭାରତ। ବୁଧବାର ଜାତିସଂଘ ମହାସଭାର ଷଷ୍ଠ କମିଟିରେ ଆତଙ୍କବାଦ ଦମନ ପ୍ରସଙ୍ଗରେ ଆଲୋଚନା ବେଳେ ଭାରତ ‘ରାଇଟ୍ ଅଫ୍ ରିପ୍ଲାଏ’ରେ ପାକିସ୍ତାନର ଆଭିମୁଖ୍ୟକୁ ପ୍ରଶ୍ନ କରିଛି। ଭାରତୀୟ ମିସନର ପ୍ରଥମ ସଚିବ ରଘୁ ପୁରୀ କହିଛନ୍ତି ଯେ ଗୋଟିଏ ପଟେ ଆତଙ୍କବାଦ ବିରୋଧରେ ଲଢ଼ୁଥିବା ଦେଶ ଭାବେ ନିଜକୁ ଉପସ୍ଥାପନ କରି ଅନ୍ୟପଟେ ନିଜ ଭୂଖଣ୍ଡରେ ଆତଙ୍କବାଦୀ ସଂଗଠନ ଓ ସେମାନଙ୍କ ନେତାଙ୍କୁ କାର୍ଯ୍ୟ କରିବାକୁ ସୁଯୋଗ ଦେବା ଏକାସାଙ୍ଗରେ ଚାଲିପାରିବ ନାହିଁ।
ପାକିସ୍ତାନ କିପରି ଅଜଣା
ପାକିସ୍ତାନ ନିକଟରେ ଜୈଶ୍-ଏ-ମହମ୍ମଦ ମୁଖ୍ୟ ମସୁଦ୍ ଆଝାର ସମ୍ପର୍କରେ ସୂଚନା ଦେଲେ ପୁରସ୍କାର ଦିଆଯିବ ବୋଲି ଘୋଷଣା କରିଥିଲା। ଏହି ଘୋଷଣାକୁ ନେଇ ଭାରତ ପ୍ରଶ୍ନ କରିଛି। ରଘୁ ପୁରୀ କହିଛନ୍ତି, ପାକିସ୍ତାନ ଆଝାରକୁ ଧରିବା ପାଇଁ ପୁରସ୍କାର ଘୋଷଣା କରି ନିଜ ଉପରେ ଥିବା ଆତଙ୍କବାଦକୁ ସମର୍ଥନ ଅଭିଯୋଗକୁ ଏଡ଼ାଇବାକୁ ଚାହୁଛି। କିଛି ମାସ ପୂର୍ବରୁ ପାକିସ୍ତାନୀ ପ୍ରତିନିଧିମାନେ ଜୈଶ୍-ଏ-ମହମ୍ମଦକୁ ଏକ ନିଷ୍କ୍ରିୟ ସଂଗଠନ ବୋଲି କହିଥିଲେ। ତେବେ ଆଝାର ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିବାରୁ ତା’ ଅବସ୍ଥିତି ସମ୍ପର୍କରେ ପାକିସ୍ତାନ ଅଜଣା ବୋଲି କିପରି ଦାବି କରୁଛି ବୋଲି ଭାରତ ପ୍ରଶ୍ନ କରିଛି।
ରଘୁ ପୁରୀ ଆତଙ୍କବାଦ ବିରୋଧରେ କେବଳ ଘୋଷଣା ନୁହେଁ, ଆତଙ୍କବାଦୀ, ସେମାନଙ୍କ ସଂଗଠକ, ଅର୍ଥ ଯୋଗାଣକାରୀ ଓ ସମର୍ଥକଙ୍କ ବିରୋଧରେ ପ୍ରକୃତ କାର୍ଯ୍ୟାନୁଷ୍ଠାନ ଆବଶ୍ୟକ ବୋଲି କହିଛନ୍ତି। ପାକିସ୍ତାନ ନିଜକୁ ଦୀର୍ଘଦିନ ଧରି ଆତଙ୍କବାଦର ଶିକାର ଓ ତାହା ବିରୋଧରେ ଲଢ଼ୁଥିବା ଦେଶ ଭାବେ ଦର୍ଶାଇ ଆସୁଛି। କିନ୍ତୁ ଭାରତର ଅଭିଯୋଗ ହେଉଛି, ପାକିସ୍ତାନରେ ତିଆରି ଓ ସମର୍ଥିତ ଆତଙ୍କବାଦୀ ଗୋଷ୍ଠୀଗୁଡ଼ିକ ଏବେ ନିଜ ଦେଶ ପାଇଁ ମଧ୍ୟ ବିପଦ ସୃଷ୍ଟି କରୁଛନ୍ତି। ଏହି ପ୍ରସଙ୍ଗରେ ପୁରୀ କହିଥିଲେ, ତୁମେ ଠେକୁଆଙ୍କ ସହ ଦୌଡ଼ି ଶିକାରୀ କୁକୁରଙ୍କ ସହ ଶିକାର କରିପାରିବ ନାହିଁ। ବାସ୍ତବତା ଏଭଳି କାମ କରେ ନାହିଁ। ପାକିସ୍ତାନର ପଞ୍ଜାବ ମୁଖ୍ୟମନ୍ତ୍ରୀ ମରିୟମ ନୱାଜ ନିକଟରେ ଦେଇଥିବା ଏକ ବୟାନକୁ ମଧ୍ୟ ସେ ଉଲ୍ଲେଖ କରିଥିଲେ। ମରିୟମ କହିଥିଲେ ଯେ ପଞ୍ଜାବକୁ ପଡ଼ୋଶୀ ଦେଶ ଅପେକ୍ଷା ପାକିସ୍ତାନର ଅନ୍ୟ ପ୍ରଦେଶଗୁଡ଼ିକରୁ ଅଧିକ ବିପଦ ରହିଛି।
ସୌଜନ୍ୟ ସମ୍ବାଦ