College election: ଭଦ୍ରକ ମହିଳା କଲେଜ, ଭଣ୍ଡାରିପୋଖରୀ ନାଆମି କଲେଜ ନିର୍ବାଚନ ବାତିଲ
ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟର କ୍ୟାମ୍ପସ୍ଗୁଡ଼ିକରେ ନିର୍ବାଚନୀ ଉଷ୍ମତା ଦେଖାଦେଇଛି। ଆଠ ବର୍ଷ ବ୍ୟବଧାନରେ ହେଉଥିବା ଏହି ନିର୍ବାଚନ ପାଇଁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍ସାହ ଥିବା ବେଳେ ଅନେକ କଲେଜରେ ଏହାରି ମଧ୍ୟରେ ଗଣ୍ଡଗୋଳଜନିତ ଖବର ଆସିଛି।

ଭୁବନେଶ୍ୱର:ଛାତ୍ର ସଂସଦ ନିର୍ବାଚନ ପାଇଁ ରାଜ୍ୟର କ୍ୟାମ୍ପସ୍ଗୁଡ଼ିକରେ ନିର୍ବାଚନୀ ଉଷ୍ମତା ଦେଖାଦେଇଛି। ଆଠ ବର୍ଷ ବ୍ୟବଧାନରେ ହେଉଥିବା ଏହି ନିର୍ବାଚନ ପାଇଁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଉତ୍ସାହ ଥିବା ବେଳେ ଅନେକ କଲେଜରେ ଏହାରି ମଧ୍ୟରେ ଗଣ୍ଡଗୋଳଜନିତ ଖବର ଆସିଛି। ନିର୍ବାଚନ ପୂର୍ବରୁ ବିଶୃଙ୍ଖଳା ଦେଖାଯାଉଥିବା କଲେଜଗୁଡ଼ିକ ଉପରେ ସ୍ଥାନୀୟ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଏହି କ୍ରମରେ ଭଦ୍ରକ ମହିଳା କଲେଜ ଏବଂ ଭଣ୍ଡାରୀ ନାଆମି କଲେଜ ନିର୍ବାଚନ ବାତିଲ ହୋଇଛି।
କ୍ୟାମ୍ପସରେ ବିଜ୍ଞପ୍ତି ପରେ ଆଜି ନାମାଙ୍କନପତ୍ର ଦାଖଲ ହେବ। ଆଗ୍ରହୀ ପ୍ରାର୍ଥୀମାନେ ସକାଳ ୧୦ଟାରୁ ଅପରାହ୍ଣ ୧ଟା ମଧ୍ୟରେ ନାମାଙ୍କନପତ୍ର ଦାଖଲ କରିପାରିବେ ଏବଂ ଅପରାହ୍ଣ ୨ଟାରୁ ୪ଟା ପର୍ଯ୍ୟନ୍ତ ନାମାଙ୍କନପତ୍ର ଯାଞ୍ଚ ହେବ। ସନ୍ଧ୍ୟା ୫ଟାରେ ଉଚ୍ଚ ଶିକ୍ଷାନୁଷ୍ଠାନ ପକ୍ଷରୁ ବୈଧ ନାମାଙ୍କନପତ୍ର ତାଲିକା ପ୍ରକାଶ ପାଇବ। ଅକ୍ଟୋବର ୧୦ ସକାଳ ୧୦ଟାରୁ ଅପରାହ୍ଣ ୧ଟା ମଧ୍ୟରେ ପ୍ରାର୍ଥୀମାନେ ନିଜ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ। ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।
୫୪୬ରୁ ଅଧିକ ଉଚ୍ଚଶିକ୍ଷାନୁଷ୍ଠାନରେ ନିର୍ବାଚନ
ସୂଚନାଯୋଗ୍ୟ, ଓଡ଼ିଶାର ଉଚ୍ଚଶିକ୍ଷା ଇତିହାସରେ ପ୍ରଥମ ଥର ପାଇଁ ୫୪୬ରୁ ଅଧିକ ଉଚ୍ଚଶିକ୍ଷାନୁଷ୍ଠାନରେ ଚଳିତବର୍ଷ ଛାତ୍ର ସଂସଦ ନିର୍ବାଚନ ହେବାକୁ ଯାଉଛି। ପ୍ରତ୍ୟକ୍ଷ ନିର୍ବାଚନ ଓ ଚୟନ ପଦ୍ଧତିରେ ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ, ସରକାରୀ, ଅନୁଦାନପ୍ରାପ୍ତ ଓ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଛାତ୍ରନେତା ଚୟନ କରାଯିବ। ‘ଆମ କ୍ୟାମ୍ପସ୍ରେ ନିର୍ବାଚନ ହୁଏନାହିଁ’ ଦର୍ଶାଇ ନିର୍ବାଚନରୁ ଦୂରେଇ ରହୁଥିବା ମହାବିଦ୍ୟାଳୟଗୁଡ଼ିକ ଉପରେ ମଧ୍ୟ ଏଥର ଉଚ୍ଚଶିକ୍ଷା ବିଭାଗର ଛାଟ ବାଜିଛି। ଯେକୌଣସି ପଦ୍ଧତିରେ ହେଉ ପଛେ, କ୍ୟାମ୍ପସରେ ଛାତ୍ରନେତା ଚୟନ କରିବା ବାଧ୍ୟତାମୂଳକ ହୋଇଛି। ଫଳରେ ଚଳିତବର୍ଷ ପ୍ରାୟ ପ୍ରତ୍ୟେକ କ୍ୟାମ୍ପସ୍ରେ ଛାତ୍ରନେତା ଚୟନ ହେବା ନିଶ୍ଚିତ ହୋଇଛି।
ସୌଜନ୍ୟ ସମ୍ବାଦ




