Similipal : ନଭେମ୍ବର ୧ରୁ ଖୋଲିବ ଶିମିଳିପାଳ, ଦୈନିକ ୬୦ ଗାଡ଼ିକୁ ଅନୁମତି; ଜାଣନ୍ତୁ ବୁକିଂ ଓ ସଫାରି ନିୟମ
ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ, ଘଞ୍ଚ ଜଙ୍ଗଲ ଓ ଜୈବବିବିଧତାର ଅନନ୍ୟ ଭଣ୍ଡାର ଶିମିଳିପାଳ ପୁଣିଥରେ ପର୍ଯ୍ୟଟକଙ୍କ କୋଳାହଳରେ ମୁଖରିତ ହେବ। ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଆସନ୍ତା ନଭେମ୍ବର ୧ ତାରିଖରୁ ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଖୋଲିବାକୁ ଯାଉଛି।

ବୈଶିଙ୍ଗା(ଦୀପକ କୁମାର ସିଂହ): ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ଅଭୟାରଣ୍ୟ (ଏସଟିଆର) ପର୍ଯ୍ୟଟକଙ୍କ ପାଇଁ ନଭେମ୍ବର ୧ ତାରିଖରୁ ପୁଣି ଖୋଲିବ ବୋଲି ଏସଟିଆର ପକ୍ଷରୁ କୁହାଯାଇଛି।
ପ୍ରକୃତିର ଅପରୂପ ସୌନ୍ଦର୍ଯ୍ୟ, ଘଞ୍ଚ ଜଙ୍ଗଲ ଓ ଜୈବବିବିଧତାର ଅନନ୍ୟ ଭଣ୍ଡାର ଶିମିଳିପାଳ ପୁଣିଥରେ ପର୍ଯ୍ୟଟକଙ୍କ କୋଳାହଳରେ ମୁଖରିତ ହେବ। ୨୦୨୬-୨୭ ପର୍ଯ୍ୟଟନ ଋତୁ ପାଇଁ ଆସନ୍ତା ନଭେମ୍ବର ୧ ତାରିଖରୁ ବିଶ୍ୱପ୍ରସିଦ୍ଧ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଖୋଲିବାକୁ ଯାଉଛି। ଏନେଇ ବନ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ସହ ପର୍ଯ୍ୟଟକଙ୍କ ପାଇଁ ଆବଶ୍ୟକ ନିୟମାବଳୀ ଜାରି ହୋଇଛି। ଶିମିଳିପାଳ ଖୋଲିବା ଖବର ପ୍ରକୃତିପ୍ରେମୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ଉତ୍ସାହ ଭରିଦେଇଛି।
ଦୈନିକ ୬୦ ଗାଡ଼ିକୁ ଅନୁମତି
ପର୍ଯ୍ୟଟନ ପରିଚାଳନା ଓ ବନ୍ୟଜନ୍ତୁଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଦୈନିକ ସର୍ବାଧିକ ୬୦ଟି ଚାରିଚକିଆ ଯାନକୁ ଶିମିଳିପାଳ ଭିତରକୁ ପ୍ରବେଶ ଅନୁମତି ମିଳିବ। ଏଥିମଧ୍ୟରୁ ଯଶିପୁର ଫାଟକ ଦେଇ ୩୫ଟି ଏବଂ ପିଠାବଟା ଫାଟକ ଦେଇ ୨୫ଟି ଗାଡ଼ି ପ୍ରବେଶ କରିପାରିବ। ଗାଡ଼ିର ବୈଧ କାଗଜପତ୍ର ସହ ସର୍ବନିମ୍ନ ୧୮୦ ମିଲିମିଟର ଗ୍ରାଉଣ୍ଡ କ୍ଲିୟରାନ୍ସ ରହିବା ବାଧ୍ୟତାମୂଳକ। ଭାରୀଯାନ ପ୍ରବେଶ ଉପରେ ସମ୍ପୂର୍ଣ୍ଣ କଟକଣା ରହିବ।
ପ୍ରବେଶ ପାଇଁ ଅନଲାଇନ୍ ବୁକିଂ, ଗାଇଡ୍ ବାଧ୍ୟତାମୂଳକ
ପର୍ଯ୍ୟଟକମାନେ ଶିମିଳିପାଳର ନିଜସ୍ୱ ୱେବସାଇଟ୍ ମାଧ୍ୟମରେ ଅଗ୍ରୀମ ଅନୁମତିପତ୍ର ବୁକିଂ କରିବେ। ପିଠାବଟା ଫାଟକରେ ସକାଳ ୮ଟାରୁ ୯ଟା ଏବଂ ଯଶିପୁର ଫାଟକରେ ସକାଳ ୫ଟାରୁ ୯ଟା ମଧ୍ୟରେ ପ୍ରବେଶ ସୁଯୋଗ ମିଳିବ। ପ୍ରବେଶ ସମୟରେ ସରକାରୀ ପରିଚୟପତ୍ର ଯାଞ୍ଚ କରାଯିବା ସହ ପ୍ରତ୍ୟେକ ଗାଡ଼ିରେ ଜଣେ ଲେଖାଏଁ ଅନୁମୋଦିତ ଗାଇଡ୍ ରହିବା ଆବଶ୍ୟକ।
ପର୍ଯ୍ୟଟକମାନଙ୍କୁ ଅପରାହ୍ନ ୪ଟା ସୁଦ୍ଧା ଯୋରନ୍ଦା ଓ ବରେହିପାଣି ଜଳପ୍ରପାତ ଅଞ୍ଚଳ ଛାଡ଼ିବାକୁ ପଡ଼ିବ। ସେହିପରି ସନ୍ଧ୍ୟା ୬ଟା ପୂର୍ବରୁ କାଳିକାପ୍ରସାଦ କିମ୍ବା ପିଠାବଟା ଫାଟକ ଦେଇ ଅଭୟାରଣ୍ୟରୁ ବାହାରିବାକୁ ନିର୍ଦ୍ଦେଶ ରହିଛି।
ଜିପ୍ ସଫାରି ସହ ରାତ୍ରିଯାପନର ସୁଯୋଗ
ଚଳିତ ପର୍ଯ୍ୟଟନ ଋତୁରେ ସ୍ଥାନୀୟ ପରିବେଶ ଉନ୍ନୟନ ସମିତି (ଇଡିସି) ପକ୍ଷରୁ ପରିଚାଳିତ ଖୋଲା ଜିପ୍ ସଫାରିର ମଜା ନେଇପାରିବେ ପର୍ଯ୍ୟଟକ। ଗୁଡୁଗୁଡ଼ିଆ, ପିଠାବଟା, ଜାମୁଆଣି, ତାଳବନ୍ଧ ଓ ବରେହିପାଣିରୁ ସଫାରି ସୁବିଧା ଉପଲବ୍ଧ ହେବ। ଏଥିପାଇଁ ରାଜ୍ୟ ଇକୋ-ଟୁର ୱେବସାଇଟ୍ ମାଧ୍ୟମରେ ଅଗ୍ରୀମ ବୁକିଂ କରିବାକୁ ହେବ। ସକାଳ ସଫାରି ଭୋର ୫ଟା ୩୦ରୁ ପାଞ୍ଚ ଘଣ୍ଟା ଏବଂ ଅପରାହ୍ନ ସଫାରି ଦିନ ୨ଟାରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ଚାଲିବ।
ସେହିପରି କୁମାରୀ, ଗୁଡୁଗୁଡ଼ିଆ, ତାଳବନ୍ଧ, ବରେହିପାଣି ଓ ଜାମୁଆଣିରେ ଥିବା ପ୍ରକୃତି ନିବାସରେ ରାତ୍ରିଯାପନ ପାଇଁ ଅନଲାଇନ୍ରେ ଅଗ୍ରୀମ ଆରକ୍ଷଣ କରିବାକୁ ହେବ।
ବନ୍ୟଜନ୍ତୁ ସୁରକ୍ଷାକୁ ଗୁରୁତ୍ୱ
ଅଭୟାରଣ୍ୟ ମଧ୍ୟରେ ରାତିରେ ଯାତାୟତ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି। ବନ୍ୟଜନ୍ତୁ ସୁରକ୍ଷା ନିୟମ ଉଲ୍ଲଙ୍ଘନ କିମ୍ବା ଅଳିଆ ଆବର୍ଜନା ପକାଇଲେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବନ ବିଭାଗ ସ୍ପଷ୍ଟ କରିଛି। ପର୍ଯ୍ୟଟନ ପରିଚାଳନାକୁ ସୁବ୍ୟବସ୍ଥିତ କରିବା ପାଇଁ ସମ୍ପୃକ୍ତ ବିଭାଗ ଓ ବନ ଅଧିକାରୀମାନଙ୍କୁ ମଧ୍ୟ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।
ପ୍ରକୃତିର ଅନନ୍ୟ ଆକର୍ଷଣ ଶିମିଳିପାଳରେ ପୁଣି ପର୍ଯ୍ୟଟନର ନୂଆ ଋତୁ ଆରମ୍ଭ ହେବାକୁ ଯାଉଥିବାରୁ ମୟୂରଭଞ୍ଜ ଜିଲ୍ଲାର ପର୍ଯ୍ୟଟନ କ୍ଷେତ୍ରରେ ନୂଆ ଉତ୍ସାହ ସୃଷ୍ଟି ହୋଇଛି। ତେବେ ପର୍ଯ୍ୟଟକଙ୍କ ଭ୍ରମଣ ସହ ବନ୍ୟଜନ୍ତୁ ଓ ପରିବେଶର ସୁରକ୍ଷା ଉପରେ ମଧ୍ୟ ବନ ବିଭାଗ ଗୁରୁତ୍ୱ ଦେଇଛି।
ସୌଜନ୍ୟ ସମ୍ବାଦ




