Supreme Court: ଏସିଡ୍ ବିକ୍ରି ବନ୍ଦ କଡ଼ାକଡ଼ି ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ, ଆକ୍ରମଣକାରୀଙ୍କ ଦଣ୍ଡ ବଢ଼ାଅ

ନୂଆଦିଲ୍ଲୀ, ୨୮।୧୦: ଏସିଡ୍ ବିକ୍ରି ଉପରେ ରୋକ୍ ଲଗାଇବାକୁ ଅଣାଯାଇଥିବା ମାର୍ଗଦର୍ଶିକା କଡ଼ାକଡ଼ି ଲାଗୁ କରିବାକୁ ଆଜି ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । କହିଛନ୍ତି ଏହାକୁ ସବୁ ରାଜ୍ୟରେ କଡ଼ାକଡ଼ି ଲାଗୁ କର ଏବଂ ଏସିଡର ଅପବ୍ୟବହାର ରୋକିବାକୁ କଣ ସବୁ ପଦକ୍ଷେପ ନିଆଯାଇପାରିବ ତାହା ଜଣାଅ । ଏସିଡ ଆକ୍ରମଣ ସହ ଜଡ଼ିତ ଏକ ମାମଲାର ଶୁଣାଣି କରିବା ଅବସରରେ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗ୍ଚୀ ଓ ବିଚାରପତି ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ କହିଛନ୍ତି ଯେ ଏସିଡ୍ ବିକ୍ରି ଉପରେ ରୋକ୍ ଲଗାଇବାକୁ ମାର୍ଗଦର୍ଶିକା ଜାରି କରାଯାଇଥିଲେ ମଧ୍ୟ ଆକ୍ରମଣ ଘଟଣା ଦେଖିବାକୁ ମିଳିଛି । ଜଣାପଡୁଛି ଏଥିରେ କିଛି ତ୍ରୁଟି ରହିଛି । ବଜାରରେ ଆଜି ମଧ୍ୟ ଏସିଡ୍ ଅତି ସହଜରେ ମିଳିପାରୁଛି । ତେଣୁ କେବଳ ସର୍କୁଲାର ଜାରି କଲେ କିଛି ହେବନାହିଁ । କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ମିଳିତ ଭାବେ ଏହାର ସମାଧାନ କରିବାକୁ ପଡିବ । ଏସିଡ୍ ଆକ୍ରମଣ ଘଟଣା ବଢ଼ୁଥିବାରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ମାର୍ଗଦର୍ଶିକା ନିଜର ଲକ୍ଷ୍ୟ ପୂରଣ କରିପାରିନାହିଁ ।
କୋର୍ଟ କହିଛନ୍ତି ଯେ, ରାଜ୍ୟ ଉପରେ ଦୋଷ ଦେଇ କେନ୍ଦ୍ର ଖସିପାରିବ ନାହିଁ । ଯଦି କୌଣସି ରାଜ୍ୟ ମାର୍ଗଦର୍ଶିକାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିନାହାନ୍ତି ସେଥିପାଇଁ କେନ୍ଦ୍ର ସରକାର ସେମାନଙ୍କୁ ସ୍ପଷ୍ଟୀକରଣ ମାଗିଛନ୍ତି କି ? ଏସିଡ୍ ବିକ୍ରି ଉପରେ ରୋକ୍ ଲଗାଇବାକୁ ମାର୍ଗଦର୍ଶିକା ଜାରି କରାଯାଇଥିଲେ ମଧ୍ୟ ବିଭିନ୍ନ ରାଜ୍ୟରେ ଆକ୍ରମଣ ଘଟଣା କିଭଳି ବଢ଼ୁଛି ତାହା ଉପରେ କେନ୍ଦ୍ର ସରକାର ରିପୋର୍ଟ ମାଗିଛନ୍ତି କି ? କେନ୍ଦ୍ର ସରକାରଙ୍କ ପକ୍ଷରୁ ଉପସ୍ଥିତ ଅତିରିକ୍ତ ସଲିସିଟର ଜେନେରାଲ ଅର୍ଚ୍ଚନା ପାଠକ ଡାଭେ କହିଥିଲେ ଯେ, ଏସିଡର ଖୁଚୁରା ବିକ୍ରି ଉପରେ କଟକଣା ନେଇ ରାଜ୍ୟପାଳଙ୍କୁ ମାର୍ଗଦର୍ଶିକା ଦିଆଯାଇଥିଲା । ସେମାନେ ମଧ୍ୟ ନିଜସ୍ୱ ମାର୍ଗଦର୍ଶିକା ପ୍ରସ୍ତୁତ କରିଛନ୍ତି । କିନ୍ତୁ ସେମାନେ ତାକୁ ଠିକ୍ ଭାବେ କାର୍ଯ୍ୟକାରୀ କରିନାହାନ୍ତି । କୋର୍ଟ କହିଥିଲେ ଯେ, ମାର୍ଗଦର୍ଶିକାରେ କିଛି ଅଭାବ ରହିଛି । ଯାହାଫଳେର କିଛି ଲୋକ ତାର ଫାଇଦା ଉଠାଉଛନ୍ତି । ତେଣୁ କେନ୍ଦ୍ର ଓ ରାଜ୍ୟ ମିଳିତ ଭାବେ ଏହାର ସମାଧାନ ବାଟ ବାହାର କରିବା ଆବଶ୍ୟକ । କୋର୍ଟ ମଧ୍ୟ ଏସିଡ୍ ଆକ୍ରମଣ ଘଟଣାକୁ ନେଇ ଚିନ୍ତା ପ୍ରକଟ କରିବା ସହ ରହିଥିବା ଦଣ୍ଡକୁ ବଢ଼ାଇବା ଲାଗି ପରାମର୍ଶ ଦେଇଛନ୍ତି ।
ସୌଜନ୍ୟ ପ୍ରମେୟ




