ରାଜ୍ୟ

Landslides: ଭୁସ୍ଖଳନରେ ଗଙ୍ଗାବାଡ ପଞ୍ଚାୟତ ବିଚ୍ଛିନ୍ନ; ପାହାଡ଼ ଧସି ରାସ୍ତା ଅବରୋଧ

ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ମହେନ୍ଦ୍ରଗିରି ପାହାଡ଼ ଅଞ୍ଚଳରେ ହୋଇଥିବା ପ୍ରବଳ ବର୍ଷା ଗଜପତି ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ବିପର୍ଯ୍ୟୟ ସୃଷ୍ଟି କରିଛି। ପାହାଡ଼ ଉପରୁ ପ୍ରଖର ଜଳସ୍ରୋତ ମାଡ଼ି ଆସିବା ଫଳରେ ରାୟଗଡ଼ ବ୍ଲକ୍‌ର ଅନେକ...

ପାରଳାଖେମୁଣ୍ଡି (ସୁଜିତ ବିଶୋୟୀ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ମହେନ୍ଦ୍ରଗିରି ପାହାଡ଼ ଅଞ୍ଚଳରେ ହୋଇଥିବା ପ୍ରବଳ ବର୍ଷା ଗଜପତି ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ବିପର୍ଯ୍ୟୟ ସୃଷ୍ଟି କରିଛି। ପାହାଡ଼ ଉପରୁ ପ୍ରଖର ଜଳସ୍ରୋତ ମାଡ଼ି ଆସିବା ଫଳରେ ରାୟଗଡ଼ ବ୍ଲକ୍‌ର ଅନେକ ଅଞ୍ଚଳରେ ବଡ଼ଧରଣର ଭୂସ୍ଖଳନ ହୋଇଛି। ଏଥିସହ ଗଙ୍ଗାବାଡ଼ ପଞ୍ଚାୟତକୁ ସଂଯୋଗ କରୁଥିବା କଇଁପୁର-ଗଙ୍ଗାବାଡ଼ ରାସ୍ତାର ମୋଟ ୫ଟି ସ୍ଥାନରେ ପାହାଡ଼ ଧସି ମାଟି ଓ ପଥର ରାସ୍ତା ଉପରେ ଜମି ରହିଛି। ଆଜି ଗୋଟିଏ  ସ୍ଥାନ ମାଟି ଅତଡକୁ ପ୍ରଶାସନ ପକ୍ଷରୁ ସଫା କରାଯାଇଥିଲେ ମଧ୍ୟ ଅନ୍ୟ ସ୍ଥାନଗୁଡ଼ିକରେ ପାହାଡ ଧସି ରାସ୍ତା ଅବରୋଧ ହୋଇ ରହିଛି। ଫଳରେ ଗଙ୍ଗାବାଡ଼ ପଞ୍ଚାୟତକୁ  ଯୋଗାଯୋଗ ବିଚ୍ଛିନ୍ନ ହୋଇ ରହିଛି।

ଭୂସ୍ଖଳନର ପରିମାଣ ଅଧିକ ଥିବାରୁ ରାସ୍ତାରୁ ମାଟି ଓ ପଥର ହଟାଇ ଯାତାୟାତ ସ୍ୱାଭାବିକ କରିବା ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇଛି। ଗୋଟିଏ ସ୍ଥାନରେ ସଫେଇ କାର୍ଯ୍ୟ ସରିଥିବା ବେଳେ ଅନ୍ୟ ସ୍ଥାନଗୁଡ଼ିକରେ ରାସ୍ତା ଅବରୋଧ ହାତ ଯାଇ ପାରି ନାହିଁ। ଏପରିକି ରାସ୍ତାର ଅନେକ ଅଂଶ ଅତ୍ୟନ୍ତ ବିପଦସଙ୍କୁଳ ହୋଇପଡ଼ିଛି। ଅନ୍ୟପକ୍ଷରେ ବର୍ତ୍ତମାନ ସାମାନ୍ୟ ବର୍ଷା ହେଉଥିଲେ ମଧ୍ୟ ପାହାଡ଼ ଉପରୁ ଜଳ ରାସ୍ତା ଉପରେ ପ୍ରବାହିତ ହେଉଛି। ଫଳରେ ମାଟି ଓ ପଥର ଦୁର୍ବଳ ହୋଇ ପୁନର୍ବାର ଭୂସ୍ଖଳନ ହେବାର ଆଶଙ୍କା ରହିଛି।

ସୂଚନା ଅନୁସାରେ, ରାସ୍ତା ଅବରୋଧ ଯୋଗୁଁ ଗଙ୍ଗାବାଡ଼ ପଞ୍ଚାୟତର ବଡ଼ଦେଉଳା, ସାନଦେଉଳା, ପାଚିଡ଼ିଆ, ସାମୁଣ୍ଟିଆ, ବୁରୁଙ୍ଗୀ, ଶଗଡ଼ିଆ, ମୁନ୍ତାସାହି ଓ ଅମାରିଙ୍ଗ ସମେତ ୧୦ରୁ ଊର୍ଦ୍ଧ୍ୱ ଗ୍ରାମର ଲୋକେ ଯୋଗାଯୋଗ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାଦ୍ୱାରା ଗ୍ରାମବାସୀଙ୍କ ଦୈନନ୍ଦିନ ଜୀବନ ସହ ଜରୁରୀ ସ୍ୱାସ୍ଥ୍ୟସେବା, ଖାଦ୍ୟ ସାମଗ୍ରୀ ଯୋଗାଣ ଓ ଅନନ୍ୟ ଆବଶ୍ୟକ କାର୍ଯ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି। ରାସ୍ତାର ଅନ୍ୟ ସ୍ଥାନରେ ମଧ୍ୟ ଭୂସ୍ଖଳନ ହେବାର ମଧ୍ୟ  ସମ୍ଭାବନା ରହିଛି। ଏଭଳି ସ୍ଥିତିରେ ତୁରନ୍ତ ରାସ୍ତା ସଫେଇ କାର୍ଯ୍ୟ ଶେଷ କରିବା ସହ ବିପଦସଙ୍କୁଳ ଅଞ୍ଚଳରେ ସତର୍କତାମୂଳକ ବ୍ୟବସ୍ଥା କରି ଗ୍ରାମଗୁଡ଼ିକୁ ଯୋଗାଯୋଗ ସୁବିଧା ଯୋଗାଇଦେବାକୁ ଦାବି ହେଉଛି।

 

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button