କଟକ: ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ଶୁକ୍ରବାର ବର୍ଷା ପାଣି ଘଣ୍ଟା ଘଣ୍ଟା ଜମି ରହିବା ଫଳରେ ସାଂଘାତିକ ସ୍ଥିତି ସୃଷ୍ଟି ହୋଇଛି। ଅନୁଷ୍ଠାନର ମୁଖ୍ୟ ରାସ୍ତାରେ ପାଣି ଜମି ରହିବାରୁ ସେହି ସମୟରେ ରୋଗୀ ଆଉଟଡୋରକୁ ଯିବାରେ ନାକେଦମ ହୋଇଥିଲେ। ଏ ସଂକ୍ରାନ୍ତରେ ଆଉଟସୋର୍ସିଂ ସଂସ୍ଥା ‘ବ୍ଲୁସ୍ପ୍ରିଙ୍ଗ’ର ପାଣି ମିସ୍ତ୍ରିଙ୍କୁ ଅବଗତ କରାଯାଇଥିଲା। କିନ୍ତୁ କେହି ମଟର ଚଲାଇନଥିଲେ। ଫଳରେ ଆଣ୍ଠୁଏ ପାଣିରେ ପଶି ରୋଗୀ ବାଧ୍ୟ ହୋଇ ଚଳପ୍ରଚଳ କରିଥିଲେ। ପ୍ରତ୍ୟେକ ଥର ବର୍ଷା ହେଲେ ‘ବ୍ଲୁସ୍ପ୍ରିଙ୍ଗ’ର ଏଭଳି ମନମାନିକୁ ନେଇ ରୋଗୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।
ଶୁକ୍ରବାର ଦିନ ଆଚାର୍ଯ୍ୟ ହରିହରରେ ଆଉଟଡୋରକୁ ୫୫୫ ରୋଗୀ ଆସିଥିବା ବେଳେ ଇନଡୋରକୁ ୧୨୦ ରୋଗୀ ଆସିଥିଲେ। ଏମାନଙ୍କ ବାଦ୍ ପରୀକ୍ଷା, ଅଲଟ୍ରାସାଉଣ୍ଡ, ଏମ୍ଆରଆଇ ଇତ୍ୟାଦି ପାଇଁ ରୋଗୀ ମଧ୍ୟ ଆସିଥିଲେ। ଆଟେଣ୍ଡାଣ୍ଟ ବି ଥିଲେ। ଏମାନଙ୍କୁ ମିଶାଇଲେ ପାଖାପାଖି ୧ ହଜାର ଲୋକ ଗୋଟିଏ ଦିନରେ ଆଚାର୍ଯ୍ୟ ହରିହରକୁ ଆସିଥିଲେ। ଶୁକ୍ରବାର ଦିନ ପ୍ରାୟ ୧୦ଟା ବେଳେ ପ୍ରବଳ ବର୍ଷା ହେବାରୁ ଓପିଡି ଟିକଟ କାଉଣ୍ଟରରୁ ମୁଖ୍ୟ ରାସ୍ତା ଯାଏଁ ଆଣ୍ଠୁଏ ଉଚ୍ଚର ପାଣି ଜମି ରହିଥିଲା। ‘ବ୍ଲୁସ୍ପ୍ରିଙ୍ଗ’ ପକ୍ଷରୁ ଅକ୍ସିଜେନ୍ ପ୍ଲାଣ୍ଟ ନିକଟରେ ଏକ କାର୍ଯ୍ୟାଳୟ ଥିବାରୁ ସେଠାରେ ପାଣି ମିସ୍ତ୍ରିମାନେ ବସୁଛନ୍ତି। ହସ୍ପିଟାଲର କୌଣସି ପାଇପ୍ ମରାମତି କିମ୍ବା ଜଳବନ୍ଦି ହେଲେ ମଟର ଚଲାଇ ପାଣି ନିଷ୍କାସନ କରିବା ଦାୟିତ୍ବ ଏହି ସଂସ୍ଥା କର୍ମଚାରୀଙ୍କର। କିନ୍ତୁ ଶୁକ୍ରବାର ଏଭଳି ସ୍ଥିତି ସୃଷ୍ଟି ହେବାରୁ ପାଣି ମିସ୍ତ୍ରିଙ୍କୁ ହସ୍ପିଟାଲ ପକ୍ଷରୁ ମଟର ଚଲାଇବାକୁ କୁହାଯାଇଥିଲା। କିନ୍ତୁ କେହି ଶୁଣିନଥିଲେ। ଦିନ ଗୋଟାଏ ଯାଏଁ ମଟର ଚାଲିନଥିଲା। ଗୁରୁତର ରୋଗୀମାନେ ହ୍ବିଲ୍ ଚେୟାରରେ ପାଣି ଭିତରେ ପଶି ହସ୍ପିଟାଲକୁ ଆସିଥିଲେ। ଦୁଇ ଘଣ୍ଟା ପରେ ମଟର ଚାଲିବାରୁ ଦିନ ଗୋଟାଏ ୩୦ ବେଳେ ହସ୍ପିଟାଲରୁ ପାଣି ନିଷ୍କାସନ ହୋଇଥିଲା। ନିଜ ଆଡ଼ୁ ପାଣି ନିଷ୍କାସନ ଦାୟିତ୍ବ ସେମାନଙ୍କର ହୋଇଥିବା ବେଳେ ସେମାନଙ୍କୁ ବାରମ୍ବାର ଫୋନ୍ କରି କହିବାକୁ ପଡ଼ୁଛି। ଅକ୍ସିଜେନ୍ ପ୍ଲାଣ୍ଟ ନିକଟରେ କାର୍ଯ୍ୟାଳୟ କାମ କରୁଛି।
ମଟର ଚଲାଇଲେନି, ଜଳମଗ୍ନ ମୁଖ୍ୟ ରାସ୍ତାରେ ରୋଗୀ, ସଂପର୍କୀୟ ନାକେଦମ୍
ଆଉଟସୋର୍ସିଂ ସଂସ୍ଥାର ମନମାନି; ଅଭିଯୋଗ କଲେ ବି ବେଫିକର
ଆଚାର୍ଯ୍ୟ ହରିହରରେ ଏଭଳି ସ୍ଥିତି ଲାଗି ରହୁଥିବା ବେଳେ ନିର୍ଦ୍ଦିଷ୍ଟ ଅସାଧୁ ଅଧିକାରୀଙ୍କ ଛତ୍ରଛାୟା ତଳେ ‘ବ୍ଲୁସ୍ପ୍ରିଙ୍ଗ’ ଥିବାରୁ କାହାକୁ ଖାତିର କରୁନଥିବା କୁହାଯାଉଛି। ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନର ଅଧୀକ୍ଷକ ପ୍ରଫେସର ନିହାରିକା ପଣ୍ଡା କହିଛନ୍ତି ଯେ ଦୁଇ ଘଣ୍ଟା ପରେ ପାଣି ନିଷ୍କାସନ କରାଯାଇଛି। ଦାୟିତ୍ବରେ ଥିବା ଆଉଟସୋର୍ସିଂ ସଂସ୍ଥାକୁ ଏ ଦିଗରେ ଅଧିକ ତ୍ବରାନ୍ବିତ କରିବାକୁ କୁହାଯିବ। ଗୋଟିଏ ମଟର ହସ୍ପିଟାଲ ପକ୍ଷରୁ ସ୍ଥାୟୀ ଭାବେ ଲାଗିଥିବା ବେଳେ ଆଉ ଗୋଟିଏ ଅତିରିକ୍ତ ମଟର କେଏମ୍ସି ପକ୍ଷରୁ ଯୋଗାଇ ଦିଆଯାଏ। କ୍ୟାନ୍ସର ହସ୍ପିଟାଲ ପାଣି ଯେଉଁଠି ପଡ଼ୁଛି, ସେଠି ଏସ୍ସିବିର ପାଣି ମଧ୍ୟ ପଡ଼ୁଛି। ମଟର ଚାଲିଲା ପରେ ବି ଧିମାରେ ପାଣି ନିଷ୍କାସନ ହେଉଛି। ୱାଟକୋକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଛି ବୋଲି ପ୍ରଫେସର ପଣ୍ଡା କହିଛନ୍ତି।
ସୌଜନ୍ୟ ସମ୍ବାଦ