ରାଜ୍ୟ

Chief Minister: ଗଞ୍ଜାମ ଛିନ୍‌ଛତ୍ର: ଆକାଶମାର୍ଗରୁ ମୁଖ୍ୟମନ୍ତ୍ରୀଙ୍କ ଅନୁଧ୍ୟାନ, ଅତିରିକ୍ତ ୨୦ କୋଟି ଟଙ୍କା ଅନୁଦାନ

ବାତ୍ୟା ପରେ ଭୟଙ୍କର ବନ୍ୟା ବିପତ୍ତି ଗଞ୍ଜାମ ଜିଲ୍ଲାରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ସମସ୍ତ ବିପନ୍ନଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ ଚାଲିଛି। ବର୍ଷା ଛାଡ଼ିବା ପରେ ତଟରକ୍ଷୀ ବାହିନୀ ଓ ନୌସେନା...

ବ୍ରହ୍ମପୁର/ଛତ୍ରପୁର: ବାତ୍ୟା ପରେ ଭୟଙ୍କର ବନ୍ୟା ବିପତ୍ତି ଗଞ୍ଜାମ ଜିଲ୍ଲାରେ ହାହାକାର ପରିସ୍ଥିତି ସୃଷ୍ଟି କରିଛି। ସମସ୍ତ ବିପନ୍ନଙ୍କ ନିକଟରେ ପହଞ୍ଚିବାକୁ ଉଦ୍ୟମ ଚାଲିଛି। ବର୍ଷା ଛାଡ଼ିବା ପରେ ତଟରକ୍ଷୀ ବାହିନୀ ଓ ନୌସେନା ସହାୟତାରେ ଆଜି ୪ଟି ହେଲିକପ୍ଟର ଯୋଗେ ଧରାକୋଟ ଓ ଆସିକା ଜଳବନ୍ଦି ଅଞ୍ଚଳରୁ ଲୋକଙ୍କୁ ଏୟାରଲିଫ୍ଟ କରାଯାଇ ବୋଟ୍‌ ଯୋଗେ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ଅଣାଯାଇଛି। ଏଯାବତ ୬୩୦ ଜଣ ଗର୍ଭବତୀଙ୍କୁ ସ୍ଥାନାନ୍ତର କରାଯାଇଥିବା ବେଳେ ୩୬୬ ଜଣଙ୍କର ସୁରକ୍ଷିତ ପ୍ରସବ କରାଯାଇଛି। ଜଳବନ୍ଦି ଅଞ୍ଚଳରୁ ଏୟାରଲିଫ୍ଟିଂ ଓ ରିଲିଫ୍‌ ଯୋଗାଣ ଜାରି ରହିଛି। ପ୍ରଶାସନ ପକ୍ଷରୁ ଶୁଖିଲା ଓ ରନ୍ଧାଖାଦ୍ୟ, ପାନୀୟ ଜଳ ପହଞ୍ଚାଯାଉଛି। ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ରାଜସ୍ବମନ୍ତ୍ରୀ ସୁରେଶ ପୂଜାରୀ ଆକାଶମାର୍ଗରୁ ବନ୍ୟା ସ୍ଥିିତି ଅନୁଧ୍ୟାନ କରିଛନ୍ତି।

ସରକାରୀ ଭାବେ ଗଞ୍ଜାମ ବନ୍ୟାରେ ୪୨,୫୬୪ ଜଣ ପ୍ରଭାବିତ ହୋଇଛନ୍ତି। ବାସ୍ତବରେ ଏହି ସଂଖ୍ୟା ଦେଢ଼ଲକ୍ଷରୁ ଅଧିକ ହେବ ବୋଲି ଆକଳନ କରାଯାଉଛି। ଖଲ୍ଲିକୋଟ, ପୁରୁଷୋତ୍ତମପୁର, ଗଞ୍ଜାମ, ଛତ୍ରପୁର, ଆସିକା, ଶେରଗଡ଼, ହିଞ୍ଜିଳିକାଟୁ, ଧରାକୋଟ, ବେଲଗୁଣ୍ଠା, ସୋରଡ଼ା, ଭଞ୍ଜନଗର, କୁକୁଡ଼ାଖଣ୍ଡି, ରଙ୍ଗେଇଲୁଣ୍ଡା, ଚିକିଟି, ପାତ୍ରପୁର, ଦିଗପହଣ୍ଡି, ସାନଖେମୁଣ୍ଡି ଓ ବ୍ରହ୍ମପୁର ବନ୍ୟା ପ୍ରଭାବିତ ହୋଇଛି। ଏବେ ଜିଲ୍ଲାରେ ୪୫ଟି ଓଡ୍ରାଫ୍‌, ୫୨ଟି ଅଗ୍ନିଶମ ଟିମ୍‌ ସହ ୪ଟି ଏନ୍‌ଡିଆରଏଫ୍‌ ଟିମ୍‌ ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଜିଲ୍ଲାକୁ ରାଜ୍ୟ ସରକାର ରିଲିଫ୍‌ ଓ ଉଦ୍ଧାର ଲାଗି ଅତିରିକ୍ତ ୨୦ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଜାତୀୟ ଓ ରାଜ୍ୟ ରାଜପଥ‌ ଉପରେ ଚାଲୁଥିବା ପାଣି ଖସିଛି। ହେଲେ ରାସ୍ତା ଧୋଇ ଯାଇଥିବାରୁ ଯାତାୟାତ ସମ୍ଭବ ହୋଇ ପାରିନାହିଁ। ବାହାରେ ରହୁଥିବା ଲୋକ ଗାଁକୁ ଫେରୁଛନ୍ତି, କିନ୍ତୁ ଘର ପାଖରେ ପହଞ୍ଚି ପାରୁନାହାନ୍ତି। ଏବେବି ଅନେକ ଗାଁ ୫/୬ ଫୁଟରେ ବନ୍ୟାପାଣି ଘେରରେ। ଆସିକା, ଶେରଗଡ଼, ଧରାକୋଟ, ବେଲଗୁଣ୍ଠା ଓ ଭଞ୍ଜନଗର ଭୟଙ୍କର ଭାବେ କ୍ଷତିଗ୍ରସ୍ତ ହୋଇଛି। ହଜାର ହଜାର ହେକ୍ଟର ଧାନଜମି ପାଣିରେ ବୁଡ଼ିରହିଛି। ରାସ୍ତା, ବ୍ରିଜ୍ ଓ ଘରଦ୍ବାର ନଷ୍ଟ ହୋଇଯାଇଛି। ନୌସେନା ଓ ତଟରକ୍ଷୀବାହିନୀ ହେଲିକପ୍ଟରରୁ ରିଲିଫ୍‌ ସାମଗ୍ରୀ ଚିହ୍ନିତ ୨୧ ସ୍ଥାନରେ ଏୟାରଡ୍ରପ୍‌ ହେଉଥିଲା ବେଳେ ସେଠାରୁ ଅଧିକାରୀମାନେ ତାହାକୁ ସଂଗ୍ରହ କରି ବଣ୍ଟନ କରୁଛନ୍ତି। ଆସିକାରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର ଜେନା ନିଜେ ଟ୍ରାକ୍ଟରରେ ଯାଇ ପ୍ରଭାବିତଙ୍କୁ ରିଲିଫ୍‌ ବାଣ୍ଟିଛନ୍ତି। ଖୁବଶୀଘ୍ର କେନ୍ଦ୍ରୀୟ ଟିମ୍‌ ଗଞ୍ଜାମ ଗସ୍ତରେ ଆସି କ୍ଷୟକ୍ଷତି ଆକଳନ କରିବ ବୋଲି ସୂଚନା ମିଳିଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button