ରାଜ୍ୟ

Chief Minister: ଚାଷୀଙ୍କ ଦୁଃଖସୁଖ ସହ ସରକାର ଅଛନ୍ତି: ମୁଖ୍ୟମନ୍ତ୍ରୀ

ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି( ପିଏମ୍‌ କିଷାନ) ଯୋଜନାର ୨୪ତମ କିସ୍ତି ରାଶି ସିଧାସଳଖ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଜି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ବନାସକାଣ୍ଠାଠାରେ ଅନୁଷ୍ଠିତ ଜାତୀୟ...

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି( ପିଏମ୍‌ କିଷାନ) ଯୋଜନାର ୨୪ତମ କିସ୍ତି ରାଶି ସିଧାସଳଖ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଆଜି ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜରାଟର ବନାସକାଣ୍ଠାଠାରେ ଅନୁଷ୍ଠିତ ଜାତୀୟ ସମାରୋହରୁ ଆଭାସୀ ମାଧ୍ୟମରେ ଏହି ସହାୟତା ରାଶି ବଣ୍ଟନ କରିଛନ୍ତି। ସମଗ୍ର ଦେଶରେ ୯.୩୪ କୋଟିରୁ ଅଧିକ ଚାଷୀଙ୍କୁ ୧୮,୬୯୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର କୃଷି ଶିକ୍ଷା ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ କହିଛନ୍ତି ଯେ, ବିଗତ ଦିନରେ ଲଗାଣ ବର୍ଷା, ବନ୍ୟା ଏବଂ ସାମ୍ପ୍ରତିକ ବାତ୍ୟା ପରବର୍ତ୍ତୀ ବର୍ଷା ଯୋଗୁଁ ରାଜ୍ୟର କେତେକ ଜିଲ୍ଲାରେ ଫସଲ ନଷ୍ଟ ହୋଇଛି। ଯେତେ ବିପତ୍ତି ଆସୁ ନା କାହିଁକି, ସରକାର ଓ ମୁଖ୍ୟମନ୍ତ୍ରୀ ସର୍ବଦା ଚାଷୀଙ୍କ ଦୁଃଖସୁଖରେ ସାଥୀ ହୋଇ ଠିଆ ହୋଇଛନ୍ତି। କ୍ଷତିଗ୍ରସ୍ତ ଫସଲର ଆକଳନ କରାଯାଇ ନିୟମାନୁଯାୟୀ ଚାଷୀମାନଙ୍କୁ ଯଥାଶୀଘ୍ର ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରାଯିବ।

ମୁଖ୍ୟମନ୍ତ୍ରୀ କହିଲେ, ରାଜ୍ୟର କୌଣସି ଜଣେ ବି ଯୋଗ୍ୟ କୃଷକ ଯେପରି ପିଏମ୍‌ କିଷାନ ଯୋଜନାର ସହାୟତାରୁ ବଞ୍ଚିତ ନହୁଅନ୍ତି, ସେଥିପାଇଁ ରାଜ୍ୟ ସରକାର ସ୍ୱତନ୍ତ୍ର ପଦକ୍ଷେପ ନେଇଛନ୍ତି। କୃଷକମାନଙ୍କ ଉନ୍ନତି ଓ ଆର୍ଥିକ ବିକାଶ ହିଁ ଓଡ଼ିଶାର ସାମଗ୍ରିକ ବିକାଶକୁ ଆଗକୁ ନେବ। କେନ୍ଦ୍ର ସରକାରଙ୍କ ପିଏମ୍ କିଷାନ ଯୋଜନା ସହିତ ତାଳ ଦେଇ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ସିଏମ୍ କିଷାନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହି ଯୋଜନା ମାଧ୍ୟମରେ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ବାର୍ଷିକ ୪ ହଜାର ଟଙ୍କା ଏବଂ ଭୂମିହୀନ କୃଷି ପରିବାରକୁ ଜୀବନଜୀବିକା ସହାୟତା ବାବଦରେ ୧୨,୫୦୦ ଟଙ୍କା ପ୍ରଦାନ କରାଯାଉଛି। ସିଏମ୍ କିଷାନ ହିତାଧିକାରୀଙ୍କ ପିଲାମାନଙ୍କ ଉଚ୍ଚଶିକ୍ଷା ପାଇଁ ଉଦ୍ଦିଷ୍ଟ କୃଷି ବିଦ୍ୟାନିଧି ଯୋଜନା ଅଧୀନରେ ଡାକ୍ତରୀ, ଇଞ୍ଜିନିୟରିଂ, କୃଷି ଓ ଆନୁଷଙ୍ଗିକ ବୈଷୟିକ ପାଠ୍ୟକ୍ରମ ପଢ଼ିବା ପାଇଁ ଛାତ୍ରବୃତ୍ତି ପ୍ରଦାନ କରାଯାଉଛି। ୨୦୨୪-୨୫ରେ ୧୩,୯୨୩ ପିଲାଙ୍କୁ ୫୩.୬୯ କୋଟି ଟଙ୍କା କୃଷି ବିଦ୍ୟାନିଧି ବୃତ୍ତି ଦିଆଯାଇଥିବା ବେଳେ ୨୦୨୫-୨୬ରେ ସର୍ବକାଳୀନ ରେକର୍ଡ ସୃଷ୍ଟି କରି ୬୮,୯୧୦ ପିଲାଙ୍କୁ ୨୯୧.୬୦ କୋଟି ଟଙ୍କା ପ୍ରଦାନ କରାଯାଇଛି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button