Hit And Run: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ, ବୁଲେଟ୍କୁ ୫୦ ମିଟର ଘୋଷାଡ଼ି ନେଲା କାର୍

ଭୁବନେଶ୍ୱର, ୦୯/୧୧: ରାଜଧାନୀରେ ପୁଣି ହିଟ୍ ଆଣ୍ଡ ରନ୍ ଘଟଣା । ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ । ଶିଖରଚଣ୍ଡି ନିକଟରେ ଏକ ବୁଲେଟ୍କୁ ଧକ୍କା ଦେବା ପରେ ପ୍ରାୟ ୫୦ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା କ୍ରେଟା କାର୍ । ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ବେଳେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛି । ସୂଚନା ଅନୁଯାୟୀ, ଶିଖରଚଣ୍ଡି ନିକଟରେ ଏକ କ୍ରେଟା କାର୍ ଦ୍ରୁତଗତିରେ ଆସି ବୁଲେଟ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋର୍ଦାର ଥିଲା ଯେ କାର୍ଟି ବୁଲେଟ୍କୁ ପ୍ରାୟ ୫୦ ମିଟର ଘୋଷାଡ଼ି ନେଇଥିଲା। ଏଥିରେ ୩ ଜଣ ଗୁରୁତର ଆହତ ହୋଇଥିଲେ। ଦୁର୍ଘଟଣା ପରେ କାର୍ ଚାଳକ ଘଟଣାସ୍ଥଳରୁ ଫେରାର୍ ହେବାକୁ ଉଦ୍ୟମ କରୁଥିଲେ। ତେବେ ସ୍ଥାନୀୟ ଲୋକେ ତାଙ୍କ ପିଛା କରି କାର୍କୁ ଅଟକାଇଥିଲେ। ଏହାପରେ ଉତ୍ତ୍ୟକ୍ତ ଲୋକେ କ୍ରେଟା କାର୍କୁ ଘେରିଯାଇ ଇଟା ଓ ପଥରରେ ଛେଚି ଭାଙ୍ଗି ଦେଇଥିଲେ। ପୁଲିସ ଉପସ୍ଥିତିରେ ମଧ୍ୟ କିଛି ସମୟ ଧରି ଭଙ୍ଗାରୁଜା ଜାରି ରହିଥିଲା।
ଖବର ପାଇ ଜୋନ୍-୬ ଏସିପି, ଇନ୍ଫୋସିଟି ଥାନା ଅଧିକାରୀଙ୍କ ସମେତ ଆଖପାଖ ଥାନାର ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ। ଉତ୍ତ୍ୟକ୍ତ ଲୋକେ ଚାଳକଙ୍କୁ ମାଡ଼ ମାରୁଥିବା ବେଳେ ପୁଲିସ ତାଙ୍କୁ କାବୁ କରି ଥାନାକୁ ନେଇଥିଲା। ବର୍ତ୍ତମାନ ଚାଳକଙ୍କୁ ଅଟକ ରଖି ପୁଲିସ ପଚରାଉଚରା କରୁଛି । ଅନ୍ୟପକ୍ଷରେ ଦୁର୍ଘଟଣାରେ ଗୁରୁତର ଆହତ ୩ ଜଣଙ୍କ ଚିକିତ୍ସା ଚାଲିଥିବା ବେଳେ ୨ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ମିଳିଛି ।
ସୌଜନ୍ୟ ପ୍ରମେୟ




