Youth Body Found: ପ୍ରତାପ ଶାସନ କେନାଲ ବ୍ରିଜରୁ ପଡ଼ି ଯୁବକ ନିଖୋଜ ଘଟଣା, ଦିନକ ପରେ ମିଳିଲା ମୃତଦେହ

ବାଳକାଟି, ୦୮/୧୧: ପୁରୀ ମେନ୍ କେନାଲ ବ୍ରିଜ୍ରୁ ଖସି ନିଖୋଜ ଥିବା ଯୁବକଙ୍କ ମୃତଦେହ ଦିନକ ପରେ ଉଦ୍ଧାର ହୋଇଛି। ମୃତ ଯୁବକ ହେଉଛନ୍ତି ବାଳକାଟି ଫାଣ୍ଡି ଅଧୀନ ନାଗପୁର ଗ୍ରାମର ସୁନାକର କାଣ୍ଡି। ବାଲିଅନ୍ତା ଥାନା ଅନ୍ତର୍ଗତ ପ୍ରତାପ ଶାସନ (ମାଳ) ନିକଟ ପୁରୀ ମେନ୍ କେନାଲ ବ୍ରିଜ ସେ ଖସିପଡ଼ି ନିଖୋଜ ହୋଇଯାଇଥିଲେ।
ସୂଚନା ଅନୁଯାୟୀ, ଗତ ଶନିବାର ରାତି ପ୍ରାୟ ୯ଟା ସମୟରେ ସୁନାକର କେନାଲକୁ ଖସିପଡ଼ିଥିଲେ। ଖବର ପାଇ ବାଲିଅନ୍ତା ଅଗ୍ନିଶମ ବାହିନୀ, ଗ୍ରାମବାସୀ ଓ ବାଳକାଟି ପୁଲିସ ଫାଣ୍ଡି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କେନାଲ କୂଳେ କୂଳେ ଖୋଜାଖୋଜି ଆରମ୍ଭ କରିଥିଲେ। ହେଲେ ପ୍ରଥମ ଦିନରେ ତାଙ୍କର କୌଣସି ସନ୍ଧାନ ମିଳିନଥିଲା। ଏହାପରେ ମଧ୍ୟ ଅଗ୍ନିଶମ ବାହିନୀ ପକ୍ଷରୁ ସର୍ଚ୍ଚ ଅପରେସନ୍ ଜାରି ରହିଥିଲା। ଶେଷରେ ଆଜି ସକାଳେ କେନାଲରେ ଭାସୁଥିବା ଅବସ୍ଥାରେ ସୁନାକରଙ୍କ ମୃତଦେହ ଠାବ ହୋଇଥିଲା।
ସୁନାକର ପ୍ରତିଦିନ ବ୍ରିଜ୍ର କଲଭର୍ଟ ଉପରେ ସାଙ୍ଗମାନଙ୍କ ସହ ବସାଉଠା କରୁଥିଲେ। ତେବେ ଘଟଣା ଦିନ ସେ କିପରି ବ୍ରିଜ୍ ଉପରୁ କେନାଲକୁ ଖସିପଡ଼ିଲେ, ତାହା ସ୍ପଷ୍ଟ ହୋଇନାହିଁ। ନିଶାସକ୍ତ ଅବସ୍ଥାରେ ବ୍ରିଜ୍ ଉପରେ ବସିଥିବା ସମୟରେ ଅସାବଧାନତାବଶତଃ ପାଣିକୁ ଖସିପଡ଼ିଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ବ୍ରିଜ୍ ଉପରେ ତାଙ୍କ ଗାମୁଛା ଓ ଚପଲ ପଡ଼ିଥିବା ଦେଖିବାକୁ ମିଳିଥିଲା।
ସୌଜନ୍ୟ ପ୍ରମେୟ




