ଜିଲ୍ଲାରାଜ୍ୟ

ସମ୍ବଲପୁରରେ ନିୟମକୁ ଫୁ’: ବାୟୁ ପ୍ରଦୂଷଣ ସଙ୍ଗୀନ, ନୀରବ ପ୍ରଶାସନ

ସମ୍ବଲପୁର,୯।୧୧(ପ୍ରମୋଦ ବହିଦାର): ସମ୍ବଲପୁର ସହରରେ ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ପ୍ରଶାସନର କଟକଣା ସମ୍ପୂର୍ଣ୍ଣ ରୂପେ ଭୁଲୁଣ୍ଠିତ ହୋଇଛି। ପ୍ରଦୂଷଣ ନିୟନ୍ତ୍ରଣ ନିର୍ଦ୍ଦେଶାବଳୀ ଅନୁଯାୟୀ ସନ୍ଧ୍ୟା ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମୟ ସୀମା ଭିତରେ ବାଣ ଫୁଟାଇବା ପାଇଁ ଅନୁମତି ରହିଥିବା ବେଳେ ରାତି ୯ଟା ୩୭ ଅତିକ୍ରାନ୍ତ ହେବା ପରେ ମଧ୍ୟ ସହରସାରା କାନଫଟା ଶବ୍ଦରେ ବାଣ ଫୁଟା ଅବ୍ୟାହତ ରହିଛି। ସର୍ବୋଚ୍ଚ ସୀମା ୧୨୫ ଡେସିବଲ୍ରୁ ଅଧିକ ଶବ୍ଦ କରୁଥିବା ବିସ୍ଫୋରକ ବାଣର ଗର୍ଜନରେ ସମଗ୍ର ସହର ପ୍ରକମ୍ପିତ ହେଉଥିବା ବେଳେ ଏହା ବିଳମ୍ବିତ ରାତି ବା ଭୋର ପର୍ଯ୍ୟନ୍ତ ଚାଲିବାର ଆଶଙ୍କା ଦେଖାଦେଇଛି।
ଏହି ବେପରୁଆ କାର୍ଯ୍ୟକଳାପ ଯୋଗୁ ସହରର ବାୟୁମଣ୍ଡଳ ଅତ୍ୟନ୍ତ ବିଷାକ୍ତ ସ୍ଥିତିରେ ପହଞ୍ଚିଛି। ରିଅଲ-ଟାଇମ ପ୍ରଦୂଷଣ ମାପକ ସୂଚୀ ଅନୁଯାୟୀ ସମ୍ବଲପୁରର ଏୟାର କ୍ୱାଲିଟି ଇଣ୍ଡେକ୍ସ (AQI) ମାରାତ୍ମକ ଭାବେ ବୃଦ୍ଧି ପାଇ ୬୯୮ ଛୁଇଁଛି, ଯାହା ଅତ୍ୟନ୍ତ ବିପଜ୍ଜନକ ବୋଲି ଦର୍ଶାଉଛି। ବାୟୁମଣ୍ଡଳରେ ପିଏମ୨.୫ର ମାତ୍ରା ୪୨୫ ଏବଂ ପିଏମ୧୦ର ମାତ୍ରା ୫୧୦ ମାଇକ୍ରୋଗ୍ରାମ ପ୍ରତି ଘନ ମିଟରକୁ ବୃଦ୍ଧି ପାଇ ବାୟୁ ବିଷାକ୍ତ ଧୂଆଁଳିଆ ଆସ୍ତରଣରେ ଢାଙ୍କି ହୋଇଯାଇଛି। ଏଭଳି ଅସୱାଭାବିକ ପ୍ରଦୂଷଣ ଯୋଗୁଁ ଶିଶୁ, ବୃଦ୍ଧ ତଥା ଶ୍ୱାସକ୍ରିୟା ଜନିତ ରୋଗୀମାନେ ଘରେ ରହି ମଧ୍ୟ ଅଣନିଶ୍ୱାସୀ ହୋଇପଡ଼ୁଛନ୍ତି। ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ଜିଲା ପ୍ରଶାସନ ଓ ପୋଲିସର ନୀରବତାକୁ ନେଇ ସଚେତନ ନାଗରିକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button