ରାଜ୍ୟ

IPS officer: ବାଣଫୁଟାକୁ ନେଇ ତୁମୁଳକାଣ୍ଡ: ମହିଳା ଆଇପିଏସ୍‌ଙ୍କୁ ମାଡ଼

ନୟାସଡ଼କରେ ଦୀପାବଳି ରାତିରେ ବାଣଫୁଟାକୁ ନେଇ ତୁମୁଳକାଣ୍ଡ ଘଟିଛି। କିଛି ଯୁବକ ମହିଳା ଆଇପିଏସ୍‌ ଅଧିକାରୀ ଅନନ୍ୟା ଅୱସ୍ତିଙ୍କୁ ଠେଲାପେଲା କରିବା ସହିତ ମାଡ଼ ମାରିଛନ୍ତି। ଧାର୍ଯ୍ୟ ସମୟ ପରେ ବି ବାଣ ଫୁଟା ଯାଉଥିବାରୁ ଜୋନ୍ ୩ ଏସିପି ଅନନ୍ୟା...

କଟକ: ନୟାସଡ଼କରେ ଦୀପାବଳି ରାତିରେ ବାଣଫୁଟାକୁ ନେଇ ତୁମୁଳକାଣ୍ଡ ଘଟିଛି। କିଛି ଯୁବକ ମହିଳା ଆଇପିଏସ୍‌ ଅଧିକାରୀ ଅନନ୍ୟା ଅୱସ୍ତିଙ୍କୁ ଠେଲାପେଲା କରିବା ସହିତ ମାଡ଼ ମାରିଛନ୍ତି। ଧାର୍ଯ୍ୟ ସମୟ ପରେ ବି ବାଣ ଫୁଟା ଯାଉଥିବାରୁ ଜୋନ୍ ୩ ଏସିପି ଅନନ୍ୟା ଅୱସ୍ତିଙ୍କ ନେତୃତ୍ବରେ ଯାଇଥିବା ପୁଲିସ ସେମାନଙ୍କୁ ବିରୋଧ କରିଥିଲେ। ବାଣ ଫୁଟାଉଥିବା ଯୁବକମାନେ ପୁଲିସକୁ ବିରୋଧ କରିବା ସହିତ ଶ୍ରୀମତୀ ଅୱସ୍ତିଙ୍କୁ ଠେଲାପେଲା କରିଥିଲେ। ଲାଲବାଗ ଥାନାର ଏସ୍‌ଆଇଙ୍କୁ ମଧ୍ୟ ଧକ୍କା ମାରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଚାରି ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପୁରୀଘାଟ ନୟାସଡ଼କର ବିନୟ ଅଗ୍ରୱାଲ(୩୨), ମୋହିତ ନାନଗଲିଆ(୨୨), ଉପର ତେଲେଙ୍ଗାବଜାରର କ୍ରିଷ୍ଣା ସୋନି(୨୦), ଲାଲବାଗ କାଳୀଗଳିର ୟଶ ଚୌଧୁରୀ(୨୩)।

ସୂଚନା ଅନୁଯାୟୀ ଦୀପାବଳି ପାଇଁ କମିସନରେଟ୍ ପୁଲିସ ପକ୍ଷରୁ ରାତି ୯ଟା ଯାଏଁ ବାଣ ଫୁଟାଇବାକୁ ଅନୁମତି ଦିଆଯାଇଥିଲା। କିନ୍ତୁ ନୟାସଡ଼କ ଅଞ୍ଚଳରେ ରାତି ୧୦ଟା ପରେ ବାଣ ଫୁଟୁଥିବା ସମ୍ପର୍କରେ କମିସନରେଟ୍ ପୁଲିସ ଖବର ପାଇଥିଲା। ଜୋନ୍ ୩ ଏସିପି ଅନନ୍ୟା ଅୱସ୍ତିଙ୍କ ସମେତ ଏକ ପ୍ଲାଟୁନ ପୁଲିସ ଫୋର୍ସ ଘଟଣାସ୍ଥଳରେ ପହଞ୍ଚି ଆଉ ବାଣ ନ ଫୁଟାଇବାକୁ ଯୁବକମାନଙ୍କୁ ପରାମର୍ଶ ଦେଇଥିଲେ। କିନ୍ତୁ ସେମାନେ ପୁଲିସର ପରାମର୍ଶକୁ ଖାତିର କରିନଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତିଙ୍କ ଦେହରେ ବାଣ ବାଜିଥିଲା। ପୁଲିସ ଏହାକୁ ବିରୋଧ କରିବାକୁ ସେଠାରେ ଉପସ୍ଥିତ ଥିବା ପାଖାପାଖି ୧୦୦ ଲୋକ ପୁଲିସ ସହିତ ମୁହାଁମୁହିଁ ହୋଇଥିଲେ। ଲାଲବାଗ ଥାନା ଏସ୍‌ଆଇ ଶୁଭ୍ରଜିତ ମଙ୍ଗୁଆଳ ଲୋକଙ୍କୁ ବୁଝାସୁଝା କରିବାକୁ ଉଦ୍ୟମ କରିବାରୁ ତାଙ୍କୁ ଧକ୍କା ମାରିଥିଲେ। ଉପସ୍ଥିତ ଥିବା ଏସିପି ଶ୍ରୀମତୀ ଅୱସ୍ତିଙ୍କୁ ମଧ୍ୟ ଉତ୍ତ୍ୟକ୍ତ ଲୋକ ଧକ୍କା ମାରିବା ସହିତ ଠେଲାପେଲା କରିଥିଲେ। ଲୋକଙ୍କ ଆକ୍ରମଣରେ ଏସ୍‌ଆଇ ଶୁଭ୍ରଜିତ ଆହତ ହୋଇଛନ୍ତି।

ଲାଲବାଗ ଥାନା ଆଇଆଇସି ସତ୍ୟବ୍ରତ ଭୂତିଆ ସ୍ଥିତି ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିବା ସହିତ ୮ ଜଣ ଯୁବକଙ୍କୁ ପୁଲିସ ଫୋର୍ସ ସହାୟତାରେ ଟେକିନେଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ପୁଲିସ ଅଭିଯୁକ୍ତ ଦର୍ଶାଇ କୋର୍ଟ ଚାଲାଣ କରିଛି। ଲାଲବାଗ ଥାନା ଏସ୍‌ଆଇ ଶୁଭ୍ରଜିତଙ୍କ ଏତଲା ଆଧାରରେ ପୁଲିସ  ବିଏନ୍‌ଏସ୍‌ର ଧାରା ୧୨୧(୧), ୧୨୫(ଏ), ୧୨୬(୨), ୧୩୨, ୧୮୯(୨), ୧୮୯(୩), ୧୯୦, ୧୯୧(୨), ୨୨୧, ୨୨୪, ୨୮୫, ୨୮୭, ୩୨୬(ଏଫ୍), ୩୫୧(୩), ୩୫୨, ଓଡ଼ିଶା ସହରାଞ୍ଚଳ ପୁଲିସ ଆଇନ ୨୦୦୩ର ଧାରା ୯୬ରେ ମାମଲା(କେସ୍‌ ନଂ ୪୪୪) ରୁଜୁ କରିଛି।

 

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button