Cabinet Decision: କ୍ୟାବିନେଟ୍ ନିଷ୍ପତ୍ତି: ଇନ୍ଦ୍ରାବତୀ ଜଳଭଣ୍ଡାରରେ ହେବ ୬୦୦ ମେଗାୱାଟ୍ ପମ୍ପ୍ଡ ଷ୍ଟୋରେଜ୍ ପ୍ରକଳ୍ପ
କଳହାଣ୍ଡି ଜିଲ୍ଲା ରାଣୀବାହାଲ ଠାରେ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ ଲିମିଟେଡ୍ (ଓଏଚ୍ପିସି) ପକ୍ଷରୁ ନିର୍ମାଣ ହେବ ୬୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ‘ଇନ୍ଦ୍ରାବତୀ ପମ୍ପ୍ଡ ଷ୍ଟୋରେଜ୍ ପ୍ରକଳ୍ପ’।

ଭୁବନେଶ୍ବର: କଳହାଣ୍ଡି ଜିଲ୍ଲା ରାଣୀବାହାଲ ଠାରେ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଓଡ଼ିଶା ହାଇଡ୍ରୋ ପାୱାର କର୍ପୋରେସନ୍ ଲିମିଟେଡ୍ (ଓଏଚ୍ପିସି) ପକ୍ଷରୁ ନିର୍ମାଣ ହେବ ୬୦୦ ମେଗାୱାଟ୍ କ୍ଷମତା ବିଶିଷ୍ଟ ‘ଇନ୍ଦ୍ରାବତୀ ପମ୍ପ୍ଡ ଷ୍ଟୋରେଜ୍ ପ୍ରକଳ୍ପ’। ଏହି ପ୍ରକଳ୍ପକୁ ମେଘା ଇଞ୍ଜିନିୟରିଂ ଆଣ୍ଡ ଇନଫ୍ରାଷ୍ଟ୍ରକଚର୍ସ ଲିମିଟେଡ୍ ଇପିସି କଣ୍ଟ୍ରାକ୍ଟ ମାଧ୍ୟମରେ କାର୍ଯ୍ୟକାରୀ କରିବ। ଏଥିପାଇଁ ସଂସ୍ଥାର ୩୩୭୨.୮୮କୋଟି (ଜିଏସ୍ଟି ବ୍ୟତୀତ) ଟେଣ୍ଡରକୁ ଆଜି ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ଏହାସହ ଏହି ପ୍ରକଳ୍ପ ପାଇଁ ପରାମର୍ଶ ଶୁଳ୍କ, ଜମି ଅଧଗ୍ରହଣ, ଜଙ୍ଗଲ ଜମି ମଞ୍ଜୁରୀ, ନିର୍ମାଣକାଳୀନ ସୁଧ ଆଦି ବାବଦକୁ ମୋଟ୍ ୪୭୦୮.୬୪କୋଟି ଖର୍ଚ୍ଚ ହେବ। ଆଜି ଏହି ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।
ଏହି ପ୍ରକଳ୍ପଟି ୮୦:୨୦ର ଋଣ ଇକ୍ବିଟି ଅନୁପାତରେ କାର୍ଯ୍ୟକାରୀ ହେବ। ଓଏଚ୍ପିସି ଏହାର ୨୦% ଇକ୍ବିଟି ଅଂଶଧନ ନିଜସ୍ବ ଆଭ୍ୟନ୍ତରୀଣ ପାଣ୍ଠିରୁ ପର୍ଯ୍ୟାୟକ୍ରମେ ବିନିଯୋଗ କରିବ। ଅବଶିଷ୍ଟ ୮୦% ଅର୍ଥ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରକଳ୍ପ ଆବଶ୍ୟକତା ଅନୁଯାୟୀ ଏକ ସ୍ବଳ୍ପ ସୁଧ ସରକାରୀ ଋଣ ଆକାରରେ ଯୋଗାଇ ଦିଆଯିବ। ଯାହାର ବାର୍ଷିକ ସୁଧ ହାର ଆର୍ବିଆଇର ରେପୋ ରେଟ୍ ସହ ସମାନ ରହିବ।
ଏହି ୬୦୦ ମେଗାୱାଟ୍ କ୍ଷମତା ସମ୍ପନ୍ନ ପ୍ରକଳ୍ପଟି ବାର୍ଷିକ ପ୍ରାୟ ୧୦୪୦ମିଲିଅନ୍ ୟୁନିଟର ବୈଦ୍ୟୁତିକ ପିକ୍ ଶକ୍ତି ଉତ୍ପାଦନ କରିବ। ଯେଉଁଥିପାଇଁ ବାର୍ଷିକ ୧୨୮୩ମିଲିଅନ ୟୁନିଟର ଅଫ୍ ପିକ୍ ପମ୍ପିଂ ଶକ୍ତିର ଆବଶ୍ୟକତା ପଡ଼ିବ। ଏହି ପ୍ରକଳ୍ପ ୨୦୩୦-୩୧ ସୁଦ୍ଧା କାର୍ଯ୍ୟକ୍ଷମ ହେବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉପର ଇନ୍ଦ୍ରାବତୀ ପିଏସ୍ପି ଏକ ବିଶାଳ ଗ୍ରୀଡ୍ସ୍ତରୀୟ ଶକ୍ତି ସଂରକ୍ଷଣ ପ୍ରଣାଳୀ ଭାବେ କାର୍ଯ୍ୟ କରିବ। ଯାହା ଅଫ୍ ପିକ୍ (କମ୍ ଚାହିଦା ଥିବା ସମୟରେ) ବଳକା ବିଦ୍ୟୁତ ଗ୍ରହଣ କରି ସଂରକ୍ଷିତ କରିବ ଏବଂ ପିକ୍ (ଅଧିକ ଚାହିଦା ଥିବା ସମୟରେ) ବିଦ୍ୟୁତ ଉତ୍ପାଦନ କରିବ।
ସେହିପରି ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ ବ୍ଲକର ପଥର୍ଲା ଗ୍ରାମ ନିକଟରେ ତେଲ୍ ନଦୀର ଉପର ନଦୀ ଇନ୍ଦ୍ର/ସୁନ୍ଦର ନଦୀ ଅବବାହିକାରେ ଏକ ଅନ୍ତଃନଦୀ ଜଳାଶୟ (ଆଇଏସ୍ଏସ୍) ନିର୍ମାଣ ହେବ। ଏଥିପାଇଁ ୯୯କୋଟି ୯୯ଲକ୍ଷ ୯୯ହଜାର ୯୯୯ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପଟି ୩୦ମାସରେ ସରିବ। ଆଜି ଏହି ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଏହି ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ଟିଟିଲାଗଡ଼ ଓ ବଙ୍ଗମୁଣ୍ଡା ବ୍ଲକର ୧୨ଟି ଗ୍ରାମକୁ ଜଳଯୋଗାଣ ସହ ଚାଷୀଙ୍କର ସାମାଜିକ ଓ ଆର୍ଥିକ ଉନ୍ନତିରେ ସହାୟକ ହେବ। ଏହାବାଦ୍ ରାଜ୍ୟ କ୍ୟାବିନେଟ୍ ଆଜି ପାର୍ବତୀ ଗିରି ମେଗା ଲିଫ୍ଟ ଜଳସେଚନ ଯୋଜନାର କ୍ଲଷ୍ଟର-୨୮ ଅଧୀନରେ ନୂଆପଡ଼ା ଜିଲ୍ଲାରେ ୭ଟି ମେଗା ଲିଫ୍ଟ ଜଳସେଚନ ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ୨୮୯.୬୮କୋଟିର ଟେଣ୍ଡରକୁ ଅନୁମୋଦନ କରିଛି।
ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ପାଇଁ ୨୬୮,୨୨,୪୦,୮୪୨ ଟଙ୍କା ଖର୍ଚ୍ଚ ହେବାକୁ ଥିବାବେଳେ ୧୫ବର୍ଷ ପର୍ଯ୍ୟନ୍ତ ରକ୍ଷଣାବେକ୍ଷଣ ପାଇଁ ୨୧,୪୫,୭୯,୨୬୮ଟଙ୍କା ଖର୍ଚ୍ଚ ହେବ। ପ୍ରକଳ୍ପଟି ୩ବର୍ଷରେ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏହି ୭ଟି ପ୍ରକଳ୍ପରେ ନୂଆପଡ଼ା ଜିଲ୍ଲାର ଚାଷ ଉପଯୋଗୀ ଢିପ ଜମିଗୁଡ଼ିକୁ ଉଦନ୍ତୀ ନଦୀ ଏବଂ ଲୋୟର ଇନ୍ଦ୍ର ଜଳାଶୟରୁ ଜଳ ଉତ୍ତୋଳନ କରି ଜଳସେଚନ ସୁବିଧା ଯୋଗାଇ ଦିଆଯିବ। ଏହା କାର୍ଯ୍ୟକ୍ଷମ ହେଲେ ବୋଡେନ୍, ସିନାପାଲି, କୋମନା ବ୍ଲକର ୫୯ଟି ଗ୍ରାମର ୮,୮୦୦ହେକ୍ଟର ଜମିକୁ ଅତିରିକ୍ତ ଜଳସେଚନ କ୍ଷମତା ସୃଷ୍ଟି ହେବ।
ଗଠନ ହେବ ଗୋ-ପ୍ରଜନନ ନିୟନ୍ତ୍ରଣ କର୍ତ୍ତୃପକ୍ଷ
ଭୁବନେଶ୍ବର: ଓଡ଼ିଶା ଗୋ-ପ୍ରଜନନ(ନିୟନ୍ତ୍ରଣ) ବିଧେୟକ- ୨୦୨୬ ଆଜି କ୍ୟାବିନେଟରେ ପାରିତ ହୋଇଛି। ଏହା ବିଧାନସଭାରେ ଉପସ୍ଥାପିତ ହେବ। ଏହି ପ୍ରସ୍ତାବିତ ଆଇନରେ ବୈଜ୍ଞାନିକ ଉପାୟରେ ପ୍ରଜନନ ସେବା ପାଇଁ ବ୍ୟବସ୍ଥା ରହିଛି। ପଞ୍ଜୀକରଣ, ପ୍ରମାଣପତ୍ର ପ୍ରଦାନ, ଗୁଣବତ୍ତା ତଦାରଖ ଓ ନିୟମାବଳୀ କାର୍ଯ୍ୟକାରିତା ଉପରେ ନଜର ରଖିବା ପାଇଁ ‘ଓଡ଼ିଶା ଗୋ-ପ୍ରଜନନ ନିୟନ୍ତ୍ରଣ କର୍ତ୍ତୃପକ୍ଷ’ ଗଠନ କରିବାକୁ ପ୍ରସ୍ତାବ ରହିଛି। ଗାଈ ଓ ମଇଁଷି ଉତ୍ପାଦନକୁ ଉନ୍ନତ କରିବା ସହ ସ୍ବଦେଶୀ ପ୍ରଜାତିକୁ ସଂରକ୍ଷଣ କରି ଚାଷୀଙ୍କ ଆୟକୁ ବୃଦ୍ଧି କରିବା ଏବଂ କ୍ଷୀର ଉତ୍ପାଦନ ବୃଦ୍ଧି କରିବା ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।
ପିଇଓ ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା +୩ ପାସ୍
ଭୁବନେଶ୍ବର: ଓଡ଼ିଶା ପଞ୍ଚାୟତ ନିର୍ବାହୀ ଅଧିକାରୀ (ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତାବଳୀ) ନିୟମାବଳୀ, ୨୦୨୧ର ସଂଶୋଧନ ଏବଂ ପୁନର୍ଗଠିତ ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ) କ୍ୟାଡର ଅଧୀନରେ ବିଭିନ୍ନ ପଦବିର ଜିଲ୍ଲାୱାରି ଅନୁମୋଦିତ ପଦ ସଂଖ୍ୟା ବଣ୍ଟନ ସମ୍ବନ୍ଧୀୟ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ବର୍ତ୍ତମାନ ପିଇଓ ପଦବିରୁ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ପଦବିକୁ ପଦୋନ୍ନତିର ସୁଯୋଗ ୨.୫%ରେ ସୀମିତ ଥିବାବେଳେ ଏହାକୁ ଏବେ ପେ-ଲେଭେଲ୍ ୭ରେ ୨୦୩୦ଟି, ପେ-ଲେଭେଲ୍ ୯ରେ ୧୨୬୪ଟି ପଦବିରେ ପଦୋନ୍ନତି ସୁଯୋଗ ସୃଷ୍ଟି ହେବ। ଏହାସହ ପିିଇଓ ପଦବିରେ ସିଧାସଳଖ ନିଯୁକ୍ତି ପାଇଁ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା +୩ ପାସ୍ ରଖାଯାଇଛି।
ସୌଜନ୍ୟ ସମ୍ବାଦ




