ଜାତୀୟ

କାହିଁକି ଭାରତର ପ୍ରଧାନମନ୍ତ୍ରୀ ହେଲେନି ସୋନିଆ ଗାନ୍ଧୀ? ଏତେ ବର୍ଷ ପରେ ନିଜେ ଖୋଲିଲେ ବଡ଼ ରହସ୍ୟ, କହିଲେ ରାହୁଲ…

ନୂଆଦିଲ୍ଲୀ,୧୦।୧୧: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ ନିଜ ପୁସ୍ତକ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ ଲଭ’ରେ ସେ କାହିଁକି ପ୍ରଧାନମନ୍ତ୍ରୀ ହୋଇନଥିଲେ, ସେନେଇ ବଡ଼ ଖୁଲାସା କରିଛନ୍ତି। ପ୍ରଧାନମନ୍ତ୍ରୀ ହେବା ପାଇଁ ନିଜ ଦଳର ଅନୁରୋଧକୁ ସେ ଅଗ୍ରାହ୍ୟ କରିଥିଲେ। ତେବେ ତାଙ୍କର ଏହି ନିଷ୍ପତ୍ତି ପଛରେ କ’ଣ କାରଣ ରହିଥିଲା, ତାହା ଏବେ ନିଜେ ସୋନିଆ ଗାନ୍ଧୀ ପ୍ରକାଶ କରିଛନ୍ତି।

ଦେଶର ପ୍ରଧାନମନ୍ତ୍ରୀ ନହେବା ନିଷ୍ପତ୍ତି ସମ୍ପର୍କରେ ସେ ନିଜ ପୁସ୍ତକରେ ଲେଖିଛନ୍ତି, ମୋ ମନରୁ ସନ୍ଦେହର ଶେଷ ଅଂଶ ମଧ୍ୟ ହଠାତ୍‌ ଦୂର ହୋଇଗଲା। ମୋତେ ଲାଗିଲା ଯେମିତି ମୁଁ ନିଜକୁ କହୁଛି, ସୋନିଆ, ନିଜ ପ୍ରତି ସଚ୍ଚୋଟ ରୁହ। ତୁମେ ସବୁବେଳେ ଏହା ଜାଣିଥିଲ। କେବଳ ଏହାକୁ ଛାଡ଼ିଦିଅ।

ରିପୋର୍ଟ ଅନୁସାରେ, ସୋନିଆ କହିଛନ୍ତି ଯେ ନିର୍ବାଚନର କିଛି ମାସ ପୂର୍ବରୁ ସେ ଏବଂ ତାଙ୍କ ପିଲାମାନେ ଏହି ବିଷୟରେ ଆଲୋଚନା କରିଥିଲେ ଯେ ସେ ପ୍ରଧାନମନ୍ତ୍ରୀ ହେବେ କି ନାହିଁ। ତାଙ୍କ ପିଲାମାନଙ୍କ ମଧ୍ୟରୁ ଜଣେ ସିଧାସଳଖ ପଚାରିଥିଲେ, ଯଦି ଆମ ଦଳ ନିର୍ବାଚନ ଜିତେ, ତେବେ ଆପଣ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବେ କି? ଏହାର ଉତ୍ତରରେ ମୁଁ ଟିକେ ବିରକ୍ତ ହୋଇ କହିଥିଲି, କେବେ ବି ନୁହେଁ। ଏହାପରେ ସେ ପୁଣି ପଚାରିଥିଲେ, ଆପଣ ନିଶ୍ଚିତ ତ? ମୁଁ ଦୃଢ଼ତାର ସହ କହିଥିଲି, ମୋ ନିଷ୍ପତ୍ତି ସମ୍ପୂର୍ଣ୍ଣ ସ୍ପଷ୍ଟ।

ସୋନିଆ କହିଛନ୍ତି , ରାହୁଲ ଓ ପ୍ରିୟଙ୍କାଙ୍କ ମଧ୍ୟରୁ କେହି ମଧ୍ୟ ଚାହୁଁନଥିଲେ ଯେ ସେ ପ୍ରଧାନମନ୍ତ୍ରୀ ହୁଅନ୍ତୁ। ଉଭୟ ନିଜ ଜେଜେମା’ଙ୍କ ହତ୍ୟା ଏବଂ ବାପାଙ୍କ ନିର୍ମମ ହତ୍ୟାର ଗଭୀର ମାନସିକ ଆଘାତ ସହିଥିଲେ। ସେମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ପଦରେ ରହିବା ଅର୍ଥ ସିଧାସଳଖ ଭାବେ ଅଧିକ ବିପଦକୁ ଆମନ୍ତ୍ରଣ କରିବା ଥିଲା।

ସେମାନେ ଏହି ନିଷ୍ପତ୍ତିରେ ଆଶ୍ୱସ୍ତ ହୋଇଥିଲେ। ମୁଁ ମଧ୍ୟ ନିଜକୁ ହାଲୁକା ଅନୁଭବ କରିଥିଲି। କାରଣ ପ୍ରଥମ ଥର ପାଇଁ ମୁଁ ଏହି ପ୍ରଶ୍ନ ଉପରେ ଖୋଲାଖୋଲି ନିଜ ମତ ରଖିଥିଲି ଏବଂ ସେହିଠାରେ ହିଁ ଏହି ଆଲୋଚନା ଶେଷ ହୋଇଥିଲା।
ଏହି ବିଷୟରେ କେବେ କାହା ସହ କଥା ହୋଇନାହିଁ ବୋଲି କହିଛନ୍ତି ସୋନିଆ। ତେବେ ସମଗ୍ର ନିର୍ବାଚନ ପ୍ରଚାର ସମୟରେ ଯେତେବେଳେ ସର୍ବସାଧାରଣରେ ତାଙ୍କୁ ଏହି ପ୍ରଶ୍ନ ପଚରାଯାଇଥିଲା, ସେ କୌଣସି ସ୍ପଷ୍ଟ ଉତ୍ତର ଦେଇନଥିଲେ।

କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଆହୁରି କହିଛନ୍ତି ଯେ ସେ ନିଜର ଏହି ମତକୁ ନିଜ ମଧ୍ୟରେ ସୀମିତ ରଖିଥିଲେ। ଏପରିକି ତାଙ୍କର ସବୁଠାରୁ ନିକଟତମ ସହଯୋଗୀମାନଙ୍କୁ ମଧ୍ୟ ଏହା ଜଣାଇନଥିଲେ। ତାଙ୍କ ମନରେ କେବଳ ଗୋଟିଏ ଭାବନା ଥିଲା ଯେ, ପୂର୍ବ କଂଗ୍ରେସ ସରକାରଗୁଡ଼ିକର ଐତିହ୍ୟକୁ ଆଗକୁ ବଢ଼ାଇବାକୁ ଥିବା ବ୍ୟକ୍ତିଙ୍କ ପାଖରେ ସରକାର ଚଳାଇବାର ଦୀର୍ଘ ଅଭିଜ୍ଞତା ରହିବା ଆବଶ୍ୟକ। ଏଥିସହ ତାଙ୍କର ସଚ୍ଚୋଟତା ଓ ନିଷ୍ଠାର ରେକର୍ଡ ମଧ୍ୟ ସମ୍ପୂର୍ଣ୍ଣ ନିର୍ମଳ ହେବା ଦରକାର।

 

 

 

 

 

 

ସୌଜନ୍ୟ ଧରିତ୍ରୀ

Show More

Leave a Reply

Your email address will not be published. Required fields are marked *

Back to top button