China: ଚୀନ୍ର ସର୍ତ୍ତରେ ଟ୍ରମ୍ପ-ପୁଟିନ-ଜିନ୍ପିଙ୍ଗ୍ ବୈଠକ!
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଏହି ତ୍ରିପାକ୍ଷିକ ବୈଠକ ଚଳିତ ମାସରେ ଚୀନ୍ର ସେନ୍ଝେନ୍ ସହରରେ ହୋଇପାରେ।

ନୂଆଦିଲ୍ଲୀ: ବିଶ୍ବର ତିନି ପ୍ରମୁଖ ଶକ୍ତି ଆମେରିକା, ରୁଷ୍ ଓ ଚୀନ୍ର ରାଷ୍ଟ୍ରମୁଖ୍ୟ ଗୋଟିଏ ମଞ୍ଚରେ ଏକାଠି ହେବାକୁ ଯୋଜନା ଚାଲିଥିବା ବେଳେ ଏହାର ରୂପରେଖକୁ ନେଇ ମତଭେଦ ଦେଖାଦେଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ଙ୍କ ମଧ୍ୟରେ ଏହି ତ୍ରିପାକ୍ଷିକ ବୈଠକ ଚଳିତ ମାସରେ ଚୀନ୍ର ସେନ୍ଝେନ୍ ସହରରେ ହୋଇପାରେ। ତେବେ ବୈଠକରେ ମୁକ୍ତ ଆଲୋଚନା ପରିବର୍ତ୍ତେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଓ ପ୍ରସ୍ତୁତ ବକ୍ତବ୍ୟ ଉପରେ ଚୀନ୍ ଗୁରୁତ୍ୱ ଦେଉଥିବା ଜଣାପଡ଼ିଛି। ଏହାକୁ ଆମେରିକା ଗ୍ରହଣ କରିବାକୁ ରାଜି ନୁହେଁ।
‘ଦ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍’ର ରିପୋର୍ଟ ଅନୁଯାୟୀ, ଚୀନ୍ ଚାହୁଛି ତିନି ରାଷ୍ଟ୍ରମୁଖ୍ୟ ପୂର୍ବରୁ ପ୍ରସ୍ତୁତ ବକ୍ତବ୍ୟ ପଢ଼ିବେ। ବୈଠକରେ ହଠାତ୍ କୌଣସି ପ୍ରସଙ୍ଗ ଉଠାଇ ମୁକ୍ତ ଭାବେ ଆଲୋଚନା କରିବାର ସୁଯୋଗ ଯେପରି ନ ରହେ, ସେଥିପାଇଁ ବେଜିଂ ଏଭଳି ବ୍ୟବସ୍ଥା ଚାହୁଛି। ଏହାଦ୍ବାରା ବୈଠକର ଆଲୋଚନା ଓ ନିଷ୍କର୍ଷ ପୂର୍ବରୁ ନିର୍ଦ୍ଧାରିତ ରହିବ। କିନ୍ତୁ ଟ୍ରମ୍ପ ପ୍ରଶାସନ ତିନି ନେତାଙ୍କ ମଧ୍ୟରେ ଅଧିକ ମୁକ୍ତ ଓ ସିଧାସଳଖ ଆଲୋଚନା ଚାହୁଛି।
ନଭେମ୍ବର ୧୮ ଓ ୧୯ରେ ସେନ୍ଝେନ୍ରେ ହେବାକୁ ଥିବା ଏସିଆ-ପାସିଫିକ୍ ଇକୋନୋମିକ୍ କୋଅପରେସନ୍ (ଏପିଇସି) ସମ୍ମିଳନୀ ଅବସରରେ ଏହି ବୈଠକ ଆୟୋଜନ ନେଇ ଆଲୋଚନା ଚାଲିଛି। ଗତ ମାସରେ ପୁଟିନ ଏଭଳି ଏକ ତ୍ରିପାକ୍ଷିକ ବୈଠକ ପାଇଁ ପ୍ରସ୍ତାବ ଦେଇଥିଲେ। ଏହାପରେ ତିନି ଦେଶ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଛି। ତେବେ ଏଯାଏଁ ବୈଠକର ତାରିଖ କିମ୍ବା ଚୂଡ଼ାନ୍ତ କାର୍ଯ୍ୟସୂଚୀ ସ୍ଥିର ହୋଇନାହିଁ।
ସୌଜନ୍ୟ ସମ୍ବାଦ




