Rally: ଗୋଟିଏ ରାଲି ପାଇଁ ଭାଙ୍ଗିଥିଲା ଗାନ୍ଧୀ ପରିବାରର ସମ୍ପର୍କ
ଗାନ୍ଧୀ ପରିବାରର ଆଭ୍ୟନ୍ତରୀଣ ବିବାଦ ଓ ବୋହୂ ମେନକା ଗାନ୍ଧୀଙ୍କ ସହ ତାଙ୍କ ସମ୍ପର୍କରେ ତିକ୍ତତାକୁ ନେଇ ଅନେକ ଅଜଣା କଥା ସାମ୍ନାକୁ ଆଣିଛନ୍ତି କଂଗ୍ରେସ ସଂସଦୀୟ ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀ।

୧୯୭୩ ଶେଷ ଭାଗରେ ଜଣେ ବନ୍ଧୁଙ୍କ ନିର୍ବନ୍ଧ ଉତ୍ସବରେ ସଞ୍ଜୟ ଗାନ୍ଧୀଙ୍କ ସହ ମେନକା ଆନନ୍ଦଙ୍କ ପରିଚୟ ହୋଇଥିଲା। ସେତେବେଳେ ମେନକାଙ୍କ ବୟସ ୧୮ ବର୍ଷ ହୋଇ ନ ଥିଲା। ତେଣୁ ୧୮ ବର୍ଷ ହେବା ପରେ ବିବାହ କରିବାକୁ ଇନ୍ଦିରା ସଞ୍ଜୟଙ୍କୁ ପରାମର୍ଶ ଦେଇଥିଲେ। ୧୯୭୪ ଜୁଲାଇରେ ଉଭୟଙ୍କ ନିର୍ବନ୍ଧ ହୋଇଥିବାବେଳେ ସେହିବର୍ଷ ସେପ୍ଟେମ୍ବରରେ ବିବାହ ହୋଇଥିଲା।
ସୋନିଆ ଲେଖିଛନ୍ତି ଯେ, ଆରମ୍ଭରେ ମେନକାଙ୍କ ପରିବାରରେ ଯୋଗଦାନକୁ ସେ ସ୍ୱାଗତ କରିଥିଲେ। ମେନକା ବେଶ୍ ଚଳଚଞ୍ଚଳ ଓ କଥାକୁହା ଝିଅ ଥିଲେ। ସାନ ଯାଆ ଆସିବା ପରେ ଘରର ପରିବେଶ ମଧ୍ୟ ଆନନ୍ଦମୟ ହୋଇଥିଲା। ଏପରିକି ପ୍ରିୟଙ୍କା ଗାନ୍ଧୀ ମେନକାଙ୍କ କୋଠରିକୁ ଯାଇ ତାଙ୍କଠାରୁ କାହାଣୀ ଶୁଣୁଥିଲେ। ଘରର କର୍ମଚାରୀମାନେ ସୋନିଆଙ୍କୁ ‘ବୋହୂରାଣୀ’ ଓ ମେନକାଙ୍କୁ ‘ସାନ ବୋହୂ’ ବୋଲି ଡାକୁଥିଲେ। ସୋନିଆଙ୍କ ମତରେ, ଉଭୟଙ୍କୁ ପରିବାରର ସମାନ ସଦସ୍ୟ ଭାବେ ଦେଖାଯାଉଥିଲା। କିନ୍ତୁ ମେନକା ଏହି ସମ୍ବୋଧନକୁ ଅପମାନ ଭାବେ ନେଇଥିବା ସେ ଅନୁଭବ କରିଥିଲେ।
ସମୟ ବିତିବା ସହ ସଞ୍ଜୟ ଓ ମେନକାଙ୍କ ମଧ୍ୟରେ ମଧ୍ୟ ମତଭେଦ ବଢ଼ିଥିଲା। ମେନକା ରାଗିଗଲେ ଇନ୍ଦିରାଙ୍କ ସାମ୍ନାରେ ମଧ୍ୟ ଅଶୋଭନୀୟ ଭାଷା ବ୍ୟବହାର କରୁଥିବା ସୋନିଆ ଲେଖିଛନ୍ତି। ମେନକା ସଞ୍ଜୟଙ୍କ ରାଜନୈତିକ ଆକାଂକ୍ଷାକୁ ଉତ୍ସାହିତ କରୁଥିବା ଇନ୍ଦିରା ଭାବୁଥିଲେ। ଏପରିକି ତତ୍କାଳୀନ କ୍ୟାବିନେଟ୍ ସଚିବ ପିଏନ୍ ଧରଙ୍କୁ ଇନ୍ଦିରା କହିଥିଲେ, ମେନକାଙ୍କର ଏବେଠାରୁ ଡେଣା ଗଜୁରିବା ଆରମ୍ଭ ହେଲାଣି।
ସୌଜନ୍ୟ ସମ୍ବାଦ




