ଦେଶ ବିଦେଶ

BJP: ପିଏମ୍‌ ପଦ ଛାଡ଼ି ‘ସୁପର୍‌ ପିଏମ୍‌’ ହୋଇଥିଲେ ସୋନିଆ: ସୁଧାଂଶୁ ତ୍ରିବେଦୀ

୨୦୦୪ରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାକୁ ମନା କରିଥିବା ସୋନିଆ ଗାନ୍ଧୀ ପରବର୍ତ୍ତୀ ସମୟରେ ‘ସୁପର୍‌ ପିଏମ୍‌’ ଭାବେ କାର୍ଯ୍ୟ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଂସଦ ତଥା ଜାତୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ।

ନୂଆଦିଲ୍ଲୀ: ୨୦୦୪ରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ କରିବାକୁ ମନା କରିଥିବା ସୋନିଆ ଗାନ୍ଧୀ ପରବର୍ତ୍ତୀ ସମୟରେ ‘ସୁପର୍‌ ପିଏମ୍‌’ ଭାବେ କାର୍ଯ୍ୟ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ବିଜେପି ସାଂସଦ ତଥା ଜାତୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ। ସୋନିଆଙ୍କ ନୂଆ ଆତ୍ମଜୀବନୀ ‘ବିଲଙ୍ଗିଂ: ଏ ଜର୍ଣ୍ଣି ଅଫ୍‌ ଲଭ୍‌’ ପ୍ରକାଶ ପାଇବା ପରେ ଏହାକୁ ନେଇ ରାଜନୈତିକ ବିବାଦ ଆରମ୍ଭ ହୋଇଛି। ବୁଧବାର ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ତ୍ରିବେଦୀ ସୋନିଆଙ୍କ ଭୂମିକାକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ତ୍ରିବେଦୀଙ୍କ କହିବା ଅନୁଯାୟୀ, ୨୦୦୪ରେ ସୋନିଆ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ ନ କରି ମନମୋହନ ସିଂହଙ୍କୁ ଏହି ଦାୟିତ୍ୱ ଦେଇଥିଲେ। କିନ୍ତୁ ପରେ ସେ ଜାତୀୟ ପରାମର୍ଶଦାତା ପରିଷଦ (ଏନ୍‌ଏସି)ର ଅଧ୍ୟକ୍ଷା ହୋଇଥିଲେ। ଏହି ପଦରେ କ୍ୟାବିନେଟ୍‌ ମନ୍ତ୍ରୀ ପାହ୍ୟା ମିଳୁଥିବାରୁ ସେ ସରକାରରେ ପ୍ରଭାବ ବଜାୟ ରଖିଥିଲେ ବୋଲି ତ୍ରିବେଦୀ ଅଭିଯୋଗ କରିଛନ୍ତି। ତାଙ୍କ ମତରେ, ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ପରେ ମଧ୍ୟ କ୍ୟାବିନେଟ୍‌ ପାହ୍ୟାର ଏକ ପଦ ଗ୍ରହଣ କରିବା ଏକ ଅସାଧାରଣ ବ୍ୟବସ୍ଥା ଥିଲା। ଏହା ସହିତ ଏହି ନିଯୁକ୍ତି ଅଫିସ୍‌ ଅଫ୍‌ ପ୍ରଫିଟ୍‌ ନିୟମ ପରିସରକୁ ଆସୁଥିଲା କି ନାହିଁ, ସେ ନେଇ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି।
ସୋନିଆଙ୍କ ଆତ୍ମଜୀବନୀରେ ୨୦୦୪ରେ ପ୍ରଧାନମନ୍ତ୍ରୀ ପଦ ଗ୍ରହଣ ନ କରିବା ପଛର କାରଣ ବର୍ଣ୍ଣନା କରାଯାଇଛି। ସେ ଲେଖିଛନ୍ତି, ନିର୍ବାଚନ ପୂର୍ବରୁ ଏ ବିଷୟରେ ନିଜ ପିଲା ରାହୁଲ ଓ ପ୍ରିୟଙ୍କାଙ୍କ ସହ ଆଲୋଚନା କରିଥିଲେ। ପୂର୍ବରୁ ଇନ୍ଦିରା ଗାନ୍ଧୀ ଓ ରାଜୀବ ଗାନ୍ଧୀଙ୍କ ହତ୍ୟା ଯୋଗୁଁ ପରିବାର ଯେଉଁ ମାନସିକ ଆଘାତ ପାଇଥିଲା, ସେଥିପାଇଁ ଉଭୟେ ତାଙ୍କୁ ପ୍ରଧାନମନ୍ତ୍ରୀ ହେବାକୁ ବାରଣ କରିଥିଲେ। ପରେ ମେଣ୍ଟର ବରିଷ୍ଠ ନେତାମାନେ ତାଙ୍କୁ ପଦ ଗ୍ରହଣ କରିବାକୁ ଅନୁରୋଧ କରିଥିଲେ। ସେ ପ୍ରଥମେ ସମ୍ମତି ଦେଇଥିଲେ ମଧ୍ୟ ଶେଷରେ ନିଜ ପୂର୍ବ ନିଷ୍ପତ୍ତିରେ ଅଟଳ ରହିଥିଲେ। ସଂସଦରେ ନିଜ ଅନ୍ତରାତ୍ମାର ସ୍ୱର ଅନୁସରଣ କରିବେ ବୋଲି କହି ମନମୋହନ ସିଂହଙ୍କ ନାମ ପ୍ରସ୍ତାବ କରିଥିଲେ।
ତ୍ରିବେଦୀ କେବଳ ସୋନିଆଙ୍କ ପ୍ରଧାନମନ୍ତ୍ରୀ ପଦ ତ୍ୟାଗ ପ୍ରସଙ୍ଗରେ ନୁହେଁ, ତାଙ୍କ ପୁସ୍ତକରେ ଜରୁରୀ ପରିସ୍ଥିତି ଏବଂ ସଞ୍ଜୟ ଗାନ୍ଧୀଙ୍କ ଭୂମିକା ସମ୍ପର୍କରେ ଥିବା ବର୍ଣ୍ଣନାକୁ ମଧ୍ୟ ସମାଲୋଚନା କରିଛନ୍ତି। ରାଜୀବ ଗାନ୍ଧୀ ଜରୁରୀ ପରିସ୍ଥିତିକୁ ବିରୋଧ କରୁଥିଲେ ବୋଲି ସୋନିଆଙ୍କ ଲେଖାରେ ଥିବା ଦାବିକୁ ସେ ଖଣ୍ଡନ କରିଛନ୍ତି। ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟରେ ରାଜନୈତିକ ବାଗ୍‌ଯୁଦ୍ଧ ଆହୁରି ତୀବ୍ର ହେବାର ସଙ୍କେତ ମିଳିଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button