ଦେଶ ବିଦେଶ

Supreme Court : ସୁପ୍ରିମ୍‌କୋର୍ଟ ପରିସରରେ ନିଷେଧାଦେଶ ହଟିନାହିଁ, ସୂଚନା ଫଳକ ଲଗାଇପାରିବେ କର୍ତ୍ତୃପକ୍ଷ

ସୁପ୍ରିମ୍‌କୋର୍ଟ ପରିସର ଓ ଏହାର ଆଖପାଖ ଅଞ୍ଚଳରେ ଲାଗୁ ହୋଇଥିବା ନିଷେଧାଦେଶ ଏଯାଏ ହଟାଯାଇନାହିଁ। ଏହି ନିଷେଧାଦେଶ ସମ୍ପର୍କରେ ସୂଚନା ଦେବା ପାଇଁ କର୍ତ୍ତୃପକ୍ଷ ପୁନର୍ବାର ସୂଚନା ଫଳକ ଲଗାଇପାରିବେ।

ନୂଆଦିଲ୍ଲୀ: ସୁପ୍ରିମ୍‌କୋର୍ଟ ପରିସର ଓ ଏହାର ଆଖପାଖ ଅଞ୍ଚଳରେ ଲାଗୁ ହୋଇଥିବା ନିଷେଧାଦେଶ ଏଯାଏ ହଟାଯାଇନାହିଁ। ଏହି ନିଷେଧାଦେଶ ସମ୍ପର୍କରେ ସୂଚନା ଦେବା ପାଇଁ କର୍ତ୍ତୃପକ୍ଷ ପୁନର୍ବାର ସୂଚନା ଫଳକ ଲଗାଇପାରିବେ। ତେବେ ଏହାଦ୍ବାରା ସୁପ୍ରିମ୍‌କୋର୍ଟ କିମ୍ବା ଅନ୍ୟ କୌଣସି ଅଦାଲତକୁ ଆସୁଥିବା ଓକିଲ, ମହକିଲ ଓ ଅନ୍ୟ ବ୍ୟକ୍ତିଙ୍କ ଯାତାୟାତରେ ଯେପରି କୌଣସି ବାଧା ସୃଷ୍ଟି ନହୁଏ, ତାହା ନିଶ୍ଚିତ କରିବାକୁ ପଡ଼ିବ। ବୁଧବାର ସୁପ୍ରିମ୍‌କୋର୍ଟ ଏହି ସ୍ପଷ୍ଟୀକରଣ ଦେଇଛନ୍ତି।

ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ, ବିଚାରପତି ଜୟମାଲ୍ୟ ବାଗଚୀ ଓ ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଅକ୍ଟୋବର ୧୧ ନିର୍ଦ୍ଦେଶର ୧୬(ଇ) ଅନୁଚ୍ଛେଦକୁ ପ୍ରତ୍ୟାହାର କରି ଏହି ସ୍ପଷ୍ଟୀକରଣ ଦେଇଛନ୍ତି। ପୂର୍ବ ନିର୍ଦ୍ଦେଶର ଭୁଲ୍‌ ଅର୍ଥ କରାଯାଉଥିବା ଏବଂ ଏହାର ଅପବ୍ୟବହାର ହେଉଥିବା ଖଣ୍ଡପୀଠ ଜାଣିବାକୁ ପାଇଥିଲେ। ଅକ୍ଟୋବର ୧୦ରେ ଦିଲ୍ଲୀରେ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଜ୍ଞାନେଶ କୁମାରଙ୍କ ବିରୋଧରେ ହୋଇଥିବା ବିକ୍ଷୋଭରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଆଗତ ମାମଲାର ଶୁଣାଣି ସମୟରେ ଅକ୍ଟୋବର ୧୧ରେ ସୁପ୍ରିମ୍‌କୋର୍ଟ ଏକ ନିର୍ଦ୍ଦେଶ ଦେଇଥିଲେ। ସେତେବେଳେ ଅଦାଲତ ପରିସର ଓ ଏହାର ଆଖପାଖରେ ଭାରତୀୟ ନାଗରିକ ସୁରକ୍ଷା ସଂହିତା (ବିଏନ୍‌ଏସ୍‌ଏସ୍‌)ର ଧାରା ୧୬୩ ଲାଗୁ ହୋଇଥିବା ଦର୍ଶାଇ ଏକ ସୂଚନା ଫଳକ ଲଗାଯାଇଥିଲା। ଏହାକୁ ତୁରନ୍ତ ହଟାଇବାକୁ ଖଣ୍ଡପୀଠ କହିଥିଲେ। ସୁପ୍ରିମ୍‌କୋର୍ଟ କିମ୍ବା ଅନ୍ୟ ଅଦାଲତକୁ ଯିବାଆସିବା ସମୟରେ ଲୋକଙ୍କ ମନରେ ଯେପରି ଭୟ କିମ୍ବା ଆଶଙ୍କା ସୃଷ୍ଟି ନହୁଏ, ସେଥିପାଇଁ ଏହି ନିର୍ଦ୍ଦେଶ ଦିଆଯାଇଥିଲା।

ତେବେ ଏହାର ଅର୍ଥ ଧାରା ୧୬୩ ଅନୁଯାୟୀ ଜାରି ନିଷେଧାଦେଶକୁ ଉଠାଇ ଦିଆଯାଇଛି ବୋଲି କିଛି ଲୋକ ପ୍ରଚାର କରୁଥିବା ଖଣ୍ଡପୀଠଙ୍କ ନଜରକୁ ଆସିଥିଲା। ନଭେମ୍ବର ୩ରେ ମଧ୍ୟ ଖଣ୍ଡପୀଠ ସ୍ପଷ୍ଟ କରିଥିଲେ ଯେ, ପୂର୍ବ ନିର୍ଦ୍ଦେଶର ଉଦ୍ଦେଶ୍ୟ କେବଳ ଅଦାଲତକୁ ଅବାଧ ପ୍ରବେଶ ଓ ପ୍ରସ୍ଥାନ ସୁନିଶ୍ଚିତ କରିବା। ନିଷେଧାଦେଶକୁ ସ୍ଥଗିତ ରଖିବା କିମ୍ବା ଏହାର ପ୍ରଭାବ କମାଇବା ଏହାର ଉଦ୍ଦେଶ୍ୟ ନଥିଲା। ଏହି ନିଷେଧାଦେଶର ବୈଧତାକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଦୁଇଟି ରିଟ୍‌ ପିଟିସନ୍‌ (କ୍ରିମିନାଲ୍‌) ନମ୍ବର ୪୨୭/୨୦୨୬ ଓ ୪୨୯/୨୦୨୬ ସୁପ୍ରିମ୍‌କୋର୍ଟରେ ବିଚାରାଧୀନ ରହିଛି। ଏହାବ୍ୟତୀତ ଏକାଠି ଶୁଣାଣି ହେଉଥିବା ୩୩ଟି ମାମଲାକୁ ୧୧ଟି ବର୍ଗରେ ବିଭକ୍ତ କରିଛନ୍ତି ଖଣ୍ଡପୀଠ। ଏଣିକି ବର୍ଗ ଅନୁଯାୟୀ ମାମଲାଗୁଡ଼ିକର ଶୁଣାଣି ହେବ। ପ୍ରତ୍ୟେକ ବର୍ଗ ପାଇଁ ପ୍ରତିପକ୍ଷ ପୃଥକ୍‌ ଜବାବ ଦାଖଲ କରିପାରିବେ। ମୁଖ୍ୟ ରିଟ୍‌ ପିଟିସନ୍‌ ଓ ଅଦାଲତ ଅବମାନନା ମାମଲାଗୁଡ଼ିକର ଶୁଣାଣି ନଭେମ୍ବର ୧୮ରେ ହେବ। ସେହିପରି ଧାରା ୧୬୩ ଅନୁଯାୟୀ ଜାରି ନିଷେଧାଦେଶକୁ ଚ୍ୟାଲେଞ୍ଜ କରୁଥିବା ମାମଲାଗୁଡ଼ିକର ଶୁଣାଣି ନଭେମ୍ବର ୨୬ରେ ହେବ ବୋଲି ଅଦାଲତ ଧାର୍ଯ୍ୟ କରିଛନ୍ତି।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button