ଜାତୀୟ

Kulgam Terrorist Attack: CRPF ଯବାନଙ୍କୁ ଟାର୍ଗେଟ୍ କଲେ ଆତଙ୍କୀ, ୩ ଯବାନ ଆହତ; ଲସ୍କର କମାଣ୍ଡର ଲତିଫ୍‌କୁ ନେଇ ସନ୍ଦେହ

ଶ୍ରୀନଗର, ୧୨।୧୧: ଜମ୍ମୁ-କାଶ୍ମୀରର କୁଲଗାମ ଜିଲ୍ଲା ଅନ୍ତର୍ଗତ ଅଖରାନ ଅଞ୍ଚଳରେ ବୁଧବାର ଆତଙ୍କୀମାନେ ଏକ ବଡ଼ଧରଣର ଆକ୍ରମଣ କରିଛନ୍ତି । ଏକେ-୪୭ ବନ୍ଧୁକରେ ସଜ୍ଜିତ ଦୁଇଜଣ ଆତଙ୍କବାଦୀ ସେଠାରେ ମୁତୟନ ଥିବା ସିଆରପିଏଫ୍ ଯବାନଙ୍କ ଉପରେ ହଠାତ୍ ଆଖିବୁଜା ଗୁଳିଚାଳନା କରିଥିଲେ । ତେବେ ସତର୍କ ଯବାନମାନଙ୍କ ଦୃଢ଼ ମୁକାବିଲା ଯୋଗୁଁ ଆତଙ୍କବାଦୀଙ୍କ ଏକ ବଡ଼ ଷଡ଼ଯନ୍ତ୍ର ବିଫଳ ହୋଇଛି । ଏହି ଆକ୍ରମଣରେ ସିଆରପିଏଫ୍‌ର ୩ ଜଣ ଯବାନ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆକ୍ରମଣ ପରେ ଆତଙ୍କବାଦୀମାନେ ନିକଟସ୍ଥ ଜଙ୍ଗଲ ଆଡ଼କୁ ଫେରାର ହୋଇଯାଇଛନ୍ତି ।

କିଏ ଏହି ମହମ୍ମଦ ଲତିଫ୍ ଭଟ୍ ?

ସୁରକ୍ଷା ଏଜେନ୍ସିଗୁଡ଼ିକର ସୂତ୍ରରୁ ପ୍ରକାଶ ଯେ, ଏହି ଆକ୍ରମଣ ପଛରେ ‘ଲସ୍କର-ଏ-ତଏବା’ର କମାଣ୍ଡର ତଥା ସ୍ଥାନୀୟ ୱାଣ୍ଟେଡ୍ ଆତଙ୍କବାଦୀ ମହମ୍ମଦ ଲତିଫ୍ ଭଟ୍‌ର ହାତ ରହିଥିବା ସନ୍ଦେହ କରାଯାଉଛି । ଦକ୍ଷିଣ କାଶ୍ମୀରରେ ସକ୍ରିୟ ଥିବା ଲତିଫ୍ ଭଟ୍ ସକ୍ରିୟ ଆତଙ୍କବାଦୀ ହେବା ପୂର୍ବରୁ ପ୍ରାୟ ୫ ବର୍ଷ ଧରି ଲସ୍କରର ‘ଓଭର ଗ୍ରାଉଣ୍ଡ ନେଟୱାର୍କ’ ସହ ଜଡ଼ିତ ଥିଲା । ଅମରନାଥ ଯାତ୍ରା ସମୟରେ ଅନନ୍ତନାଗର ଲାଲ୍‌ ଚୌକରେ ଜମ୍ମୁ-କାଶ୍ମୀର ପୁଲିସର ଜଣେ ଏଏସ୍‌ଆଇଙ୍କ ହତ୍ୟା ମାମଲାରେ ପ୍ରଥମେ ସେ ସୁରକ୍ଷା ଏଜେନ୍ସିଗୁଡ଼ିକର ନଜରକୁ ଆସିଥିଲା । ଏହି ଆକ୍ରମଣରେ ଲତିଫ୍ ସହ କୌଣସି ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ ସାମିଲ ଥାଇପାରେ ବୋଲି ସନ୍ଦେହ କରାଯାଉଛି । ତେବେ ଏହାର କୌଣସି ସରକାରୀ ପୁଷ୍ଟି ହୋଇନାହିଁ ।

 

 

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button