ଜାତୀୟ

ବରଗଡ଼ ବାୟୋ-ଇଥାନଲ୍ କାରଖାନା ଉଦ୍‌ଘାଟନ ପାଇଁ ଅମିତ ଶାହଙ୍କୁ ନିମନ୍ତ୍ରଣ କଲେ ବରଗଡ଼ ସାଂସଦ

ବରଗଡ଼, ୧୨/୧୧: ବରଗଡ଼ରେ ନବନିର୍ମିତ ବିପିସିଏଲ୍‌ର ଏକୀକୃତ ଜୈବ-ଇଥାନଲ୍ କାରଖାନାର ଉଦ୍‌ଘାଟନ ପାଇଁ କେନ୍ଦ୍ରୀୟ ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହଙ୍କୁ ନିମନ୍ତ୍ରଣ ଜଣାଇଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ । ଏଥିସହ ବନ୍ଦ ପଡ଼ିଥିବା ବରଗଡ଼ ସମବାୟ ଚିନିକଳର ପୁନରୁଦ୍ଧାର ପାଇଁ ମଧ୍ୟ ସେ ଗୃହମନ୍ତ୍ରୀ ଅମିତ ଶାହଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ଦିଲ୍ଲୀସ୍ଥିତ କର୍ତ୍ତବ୍ୟ ଭବନ-୩ କାର୍ଯ୍ୟାଳୟରେ ସାଂସଦ ପ୍ରଦୀପ ପୁରୋହିତ ଅମିତ ଶାହଙ୍କୁ ସାକ୍ଷାତ୍ କରି ଦୁଇଟି ପୃଥକ ଚିଠି ମାଧ୍ୟମରେ ଏହି ଦାବି ଉପସ୍ଥାପନ କରିଥିଲେ। ଚିନିକଳ ପୁନର୍ବାର ଖୋଲିବା ଦିଗରେ ପଦକ୍ଷେପ ନେବାକୁ ସ୍ବରାଷ୍ଟ୍ର ଅମିତ ଶାହ ପ୍ରତିଶ୍ରୁତି ଦେଇଥିବା ସାଂସଦ ସୂଚନା ଦେଇଛନ୍ତି।

ସାଂସଦଙ୍କ ଚିଠି ଅନୁଯାୟୀ, ବିପିସିଏଲ୍ ପକ୍ଷରୁ ପ୍ରାୟ ୧,୭୭୫ କୋଟି ଟଙ୍କା ବ୍ୟୟରେ ବରଗଡ଼ରେ ପୂର୍ବ ଭାରତର ପ୍ରଥମ ଦ୍ୱିତୀୟ ପିଢ଼ିର ଏକୀକୃତ ଜୈବ-ଇଥାନଲ୍ କାରଖାନା ସ୍ଥାପନ କରାଯାଇଛି । ପ୍ରଧାନମନ୍ତ୍ରୀ ଜୀ-ଭାନ୍ ଯୋଜନା ଅନ୍ତର୍ଗତ ଏହି କାରଖାନାର ଦୈନିକ ୨୦୦ କିଲୋଲିଟର ଇନ୍ଧନ ଉତ୍ପାଦନ କରିବାର କ୍ଷମତା ରହିଛି । ଧାନନଡ଼ା ଓ ଅନ୍ୟାନ୍ୟ କୃଷି ଅବଶେଷର ଉପଯୋଗ ଦ୍ୱାରା ଚାଷୀଙ୍କ ଆୟ ବୃଦ୍ଧି, ନିଯୁକ୍ତି ସୃଷ୍ଟି ଏବଂ ଗ୍ରାମୀଣ ଅର୍ଥନୀତିର ବିକାଶରେ ଏହି ପ୍ରକଳ୍ପ ସହାୟକ ହେବ । ତେଣୁ ଏହାର ଉଦ୍‌ଘାଟନ ପାଇଁ ଅମିତ ଶାହ ନିଜେ ବରଗଡ଼ ଆସିବାକୁ ସାଂସଦ ଅନୁରୋଧ କରିଛନ୍ତି ।

ଏଥିସହ ଗନ୍ଧମାର୍ଦ୍ଦନ ପର୍ବତର ଐତିହାସିକ, ଧାର୍ମିକ ଓ ପରିବେଶଗତ ମହତ୍ତ୍ୱ ସମ୍ପର୍କରେ ଅମିତ ଶାହଙ୍କୁ ଅବଗତ କରାଇବା ସହ ଶ୍ରୀଶ୍ରୀ ନୃସିଂହନାଥ ମନ୍ଦିର ପରିଦର୍ଶନରେ ଆସିବାକୁ ନିମନ୍ତ୍ରଣ ଜଣାଇଛନ୍ତି । ଏହି ଅବସରରେ ସାଂସଦ ଶ୍ରୀ ପୁରୋହିତ ପଶ୍ଚିମ ଓଡ଼ିଶାର ସଂସ୍କୃତି ଓ ସମ୍ବଲପୁରୀ ବୁଣାକାରଙ୍କ କଳାର ପ୍ରତୀକ ସ୍ୱରୂପ ଏକ ସମ୍ବଲପୁରୀ ବସ୍ତ୍ରରେ ନିର୍ମିତ ଜ୍ୟାକେଟ୍ ଉପହାର ଦେଇଥିଲେ। ଏହି ସାକ୍ଷାତ୍କାର ସମୟରେ ଓଡ଼ିଶାର ରାଜନୈତିକ ସ୍ଥିତି ନେଇ ଉଭୟଙ୍କ ମଧ୍ୟରେ ଦୀର୍ଘ ସମୟ ଆଲୋଚନା ହୋଇଥିଲା ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button