Abhishek Banerjee: ଅଭିଷେକ ବାନାର୍ଜୀଙ୍କ ଘର ଆଗରେ ବୁଲଡୋଜର ଆକ୍ସନ, ଅସ୍ଥାୟୀ ନିର୍ମାଣ ଭାଙ୍ଗିଲା KMC

କୋଲକାତା, ୧୨।୧୧: ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଗୁରୁବାର ଏକ ବଡ଼ଧରଣର ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି । କୋଲକାତା ମୁନିସିପାଲ୍ କର୍ପୋରେସନ୍ (KMC) ଅଧିକାରୀମାନେ ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କ କାଳୀଘାଟସ୍ଥିତ ବାସଭବନ ସମ୍ମୁଖରେ ନିର୍ମିତ ଏକ ଅସ୍ଥାୟୀ ଢାଞ୍ଚାକୁ ବୁଲଡୋଜର୍ ଲଗାଇ ଭାଙ୍ଗି ଦେଇଛନ୍ତି । ଏହି ଘଟଣା ପରେ ସେଠାରେ ବହୁସଂଖ୍ୟାରେ ପୁଲିସ ଏବଂ କେନ୍ଦ୍ରୀୟ ବାହିନୀ ମୁତୟନ କରାଯାଇଛି ।
କାହିଁକି ହେଲା ଏହି କାର୍ଯ୍ୟାନୁଷ୍ଠାନ ?
ନଗର ନିଗମର ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଅସ୍ଥାୟୀ ଢାଞ୍ଚାଟି ଫୁଟପାଥ୍ ଉପରେ ନିର୍ମାଣ କରାଯାଇଥିଲା, ଯେଉଁଥିପାଇଁ ସାଧାରଣ ଲୋକଙ୍କୁ ଚଳାଚଳ କରିବାରେ ବହୁ ଅସୁବିଧା ହେଉଥିଲା । ତେଣୁ ସ୍ଥାନୀୟ ଲୋକଙ୍କ ଅଭିଯୋଗକୁ ଆଧାର କରି କେଏମସି ପକ୍ଷରୁ ଏହି ବାଉଁଶ ନିର୍ମିତ ଅସ୍ଥାୟୀ ଢାଞ୍ଚାକୁ ଉଚ୍ଛେଦ କରାଯାଇଛି । ଏହି କାର୍ଯ୍ୟାନୁଷ୍ଠାନ ଏବଂ ନିକଟରେ ଘଟିଥିବା ରାଜନୈତିକ ହିଂସାକୁ ନେଇ ଅଭିଷେକ ବାନାର୍ଜୀ କେନ୍ଦ୍ର ସରକାର ଏବଂ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି । ସେ କହିଛନ୍ତି, “ଯେତେ ବୁଲଡୋଜର୍ ଆସିଲେ ମଧ୍ୟ ସେମାନେ ମୋର ସ୍ୱରକୁ ଦବାଇପାରିବେ ନାହିଁ କିମ୍ବା ମୋର ସଂକଳ୍ପକୁ ଭାଙ୍ଗି ପାରିବେ ନାହିଁ । ମୁଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ବଙ୍ଗ ବିରୋଧୀଙ୍କ ବିରୁଦ୍ଧରେ ଲଢ଼େଇ ଜାରି ରଖିବି । ମୁଁ ପଛକୁ ହଟିବି ନାହିଁ ।”
ସୌଜନ୍ୟ ସମ୍ବାଦ




