PM Narendra Modi: ବିଦେଶ ମାଟିରେ ମୋଦୀଙ୍କ କାର୍ ସେବା, ୧୦୦ ବର୍ଷ ପୁରୁଣା ଗୁରୁଦ୍ୱାରର କରିବେ ପୁନର୍ବିକାଶ !

ନୂଆଦିଲ୍ଲୀ, ୧୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦିନିଆ ଫିଲିପାଇନ୍ସ ଗସ୍ତରେ ଅଛନ୍ତି । ସେଠାରେ ମନିଲାରେ ଚାଲିଥିବା ୨୩ତମ ଆସିଆନ୍ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ସେ ପହଞ୍ଚିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ମଙ୍ଗଳବାର ଦିନ ଆସିଆନ୍ ଶିଖର ସମ୍ମିଳନୀରେ ଭାଗ ନେବେ । ଏହାବ୍ୟତୀତ ଏକ ଗୁରୁତ୍ୱପୂର୍ଣ୍ଣ ଖବର ହେଉଛି, ପ୍ରଧାନମନ୍ତ୍ରୀ ମୋଦୀ ମନିଲାର ଐତିହାସିକ ଖାଲସା ଦୀୱାନ ଗୁରୁଦ୍ୱାରର ପୁନର୍ବିକାଶ କାର୍ଯ୍ୟର ଶିଳାନ୍ୟାସ ସମାରୋହରେ ଯୋଗଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନିଲାର ଐତିହାସିକ ଗୁରୁଦ୍ୱାର ଖାଲସା ଦୀୱାନରେ କାର୍ ସେବା କରିଛନ୍ତି । ସୂଚନାଯୋଗ୍ୟ ଯେ, ମନିଲାର ଏହି ଗୁରୁଦ୍ୱାରଟି ୧୦୦ ବର୍ଷରୁ ଅଧିକ ପୁରୁଣା । ୧୯୨୯ ମସିହାରେ ଭାରତରୁ ମନିଲାକୁ ଯାଇଥିବା ପଞ୍ଜାବୀ ସମ୍ପ୍ରଦାୟର ଲୋକମାନେ ଏହାକୁ ନିର୍ମାଣ କରିଥିଲେ । ବର୍ତ୍ତମାନ ଏହାର ପୁନର୍ନିର୍ମାଣ କରାଯାଉଛି ।
ପିଏମ୍ ମୋଦୀ ଦେଇଥିଲେ ଖାଲସା ଦୀୱାନ କାର୍ଯ୍ୟକ୍ରମର ସୂଚନା:
ପ୍ରଧାନମନ୍ତ୍ରୀ ମୋଦୀ ସୋମବାର ଦିନ ନିଜର ଅଫିସିଆଲ୍ ‘ଏକ୍ସ’ ହ୍ୟାଣ୍ଡେଲରେ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ସମ୍ପର୍କରେ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ- “ଗତକାଲି, ୧୭ ନଭେମ୍ବର ଏକ ଅତି ସ୍ୱତନ୍ତ୍ର ଦିନ । ମନିଲାର ଐତିହାସିକ ଗୁରୁଦ୍ୱାର ଖାଲସା ଦୀୱାନରେ ପୁନର୍ବିକାଶ କାର୍ଯ୍ୟର ଶୁଭାରମ୍ଭ ଅବସରରେ ଆୟୋଜିତ ସମାରୋହରେ ସାମିଲ ହେବାର ସୌଭାଗ୍ୟ ମିଳିବ । ଏହି ଗୁରୁଦ୍ୱାର ଏକ ଶତାବ୍ଦୀରୁ ଅଧିକ ପୁରୁଣା ଏବଂ ଏହାର ବଡ଼ ଆଧ୍ୟାତ୍ମିକ ମହତ୍ତ୍ୱ ରହିଛି । ଗୁରୁ ସାହିବାନଙ୍କ ଶିକ୍ଷାରୁ ପ୍ରେରଣା ପାଇ ସିଖ୍ ସମ୍ପ୍ରଦାୟ ବିଶ୍ୱବ୍ୟାପୀ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଅନ୍ୟମାନଙ୍କ ସେବା କରିବା ଏବଂ ଏକ ଉନ୍ନତ ବିଶ୍ୱ ଗଠନ ଦିଗରେ ସେମାନେ ସର୍ବଦା ଆଗରେ ରହିଆସିଛନ୍ତି ।”
ସୌଜନ୍ୟ ପ୍ରମେୟ




